ଲକ୍‌ଡାଉନ୍‌ର ୧୫ ଦିନ ପରେ ବି ଓଡ଼ିଶାରେ ଉଚ୍ଚ ପଜିଟିଭ୍ ହାର

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ୍‌କୁ ୧୫ଦିନ ହୋଇଗଲାଣି। ଏହା ଭିତରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଛି। ମାତ୍ର ଦୈନିକ ପଜିଟିଭ୍ ହାର ପୂର୍ବଭଳି ୧୮ରୁ୨୦ ପ୍ରତିଶତରେ ସ୍ଥିର ରହିଛି। କେବଳ ସେତିକି ନୁହେଁ, ରାଜ୍ୟର ୩୦ଟି ଜିଲ୍ଲାରୁ ୨୮ଟି ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ୧ ଉପରେ ରହିଥିବା ନଜରକୁ ଆସିଛି। ଅର୍ଥାତ୍‌ ସଂକ୍ରମଣର ଦୁଇ ଦୁଇଟି ମାନଦଣ୍ଡ ରାଜ୍ୟରେ ବେଶ୍‌ ଉଚ୍ଚରେ ରହିଛି। ଏଭଳି ପରିସ୍ଥିତିରେ କେଉଁଦିନ ସଂକ୍ରମଣ ସାମାନ୍ୟ ଖସୁଛି ତ ଏହାର ପରଦିନ ପୁଣିଥରେ ବଢ଼ି ଯାଉଛି। ଯଦିଓ ଏକାଧିକ ସଂକ୍ରମଣ ମଡେଲ ରାଜ୍ୟରେ ସଂକ୍ରମଣ ଖୁବ୍‌ଶୀଘ୍ର ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି; ତଥାପି ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ସମ୍ବେଦନଶୀଳ ସ୍ଥିତିରେ ରହିଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ଭୁବନେଶ୍ବର ଏମ୍‌ସର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡା. ବିନୋଦ ପାତ୍ର କହିଛନ୍ତି ଯେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଏକମାତ୍ର ବାଟ ନୁହେଁ। ରାଜ୍ୟରେ ପୁଣି ଦୁଇ ସପ୍ତାହ ଲକଡାଉନ୍‌ ବଢ଼ିଥିବାରୁ ଚଳିତମାସ ଶେଷ ଆଡ଼କୁ ସଂକ୍ରମଣ ଖସି ଆସିବ। ଏପରିକି ପଜିଟିଭ୍ ହାର ୧୦ତଳକୁ ଆସିପାରେ। ଦିଲ୍ଲୀ ଏହାର ଏକ ବଳିଷ୍ଠ ଉଦାହରଣ। ତେବେ ଏଥିରେ ଟିକାକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଥମ ଲହରରେ ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଯାହାଫଳରେ ଘରେ ଲୋକମାନେ ସଂକ୍ରମିତ ହେବାର କମ୍ ଆଶଙ୍କା ଥିଲା। ମାତ୍ର ଏବେ ଗୃହ ପୃଥକବାସ ବା ହୋମ୍ ଆଇସୋଲେସନ୍‌କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଗ୍ରାମାଞ୍ଚଳ ହେଉ ବା ସହର ଉପକଣ୍ଠରେ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଗୃହ ପୃଥଗ୍‌ବାସ ଫଳପ୍ରଦ ହୋଇପାରୁ ନାହିଁ। ତେଣୁ ପରିବାରର ଜଣେ ସଂକ୍ରମିତ ହେଲେ ଅନ୍ୟ ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏହାସହ ସହରାଞ୍ଚଳରେ ଯେମିତି ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ଗ୍ରାମାଞ୍ଚଳରେ ତାହା ସମ୍ଭବ ହେଉନାହିଁ। ଏସବୁ କାରଣ ପାଇଁ ରାଜ୍ୟରେ ଉଚ୍ଚ ପଜିଟିଭ୍ ହାର ରହିଥିବା ଡା.ପାତ୍ର କହିଛନ୍ତି।

ସମାନ କଥା କହିଛନ୍ତି ଆଇସିଏମଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର। ତାଙ୍କ ମତରେ ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପୁଛି ଓ ସେସବୁ ଅଞ୍ଚଳରେ ଲକ୍‌ଡାଉନ୍‌ କଡ଼ାକଡ଼ି ହୋଇପାରୁ ନାହିଁ। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମଧ୍ୟ ଲକ୍‌ଡାଉନ୍/ସଟ୍‌ଡାଉନକୁ ଆହୁରି କଡ଼ାକଡ଼ି ପାଳନ କରନ୍ତୁ। ଲୋକମାନଙ୍କୁ କୋଭିଡର ଭୟାବହତା ସଂପର୍କରେ ଆହୁରି ସଚେତନ କରାଇବା ସହିତ ଅଧିକରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଉ ବୋଲି ଡା.ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର