୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ବର : ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ବଗିଗୁଡ଼ିକ ବିଛାଡ଼ି ହୋଇପଡ଼ି ଥିବାରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କାଠିକର ପାଠ ହୋଇପଡ଼ିଛି। ଦୁର୍ଘଟଣାର ୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥଳ‌ସେନାଠାରୁ ଆରମ୍ଭ କରି ବାୟୁସେନା, ୨୪ ୟୁନିଟ୍‌ ଅଗ୍ନିଶମ ପ୍ରଶମନ ଟିମ୍‌, ୫ଟି ଓଡ୍ରାଫ୍‌ ଟିମ୍‌, ୯ଟି ଏନ୍‌ଡିଆର୍‌ଏଫ୍‌ର ଟିମ୍‌, ସ୍ଥାନୀୟ ପୁଲିସ୍‌କୁ ମିଶାଇ ୧୨ଶହରୁ ଅଧିକ କର୍ମଚାରୀ ଦିନରାତି ଏକ କରି ଯୁଦ୍ଧକାଳୀନ ଭିତ୍ତରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ସେନା, ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌, ଅଗ୍ନିଶମ ବାହିନୀଙ୍କ ଦିନରାତି ଏକ
ବାୟୁସେନା ଏମ୍‌ଆଇ-୧୭ ହେଲିକପ୍ଟର୍‌ ବି ସାମିଲ ହେଲା
୨ଶହ ଆମ୍ବୁଲାନ୍ସ, ୫୦ ବସ୍‌, ୨୪ ମୋବାଇଲ୍‌ ହେଲ୍ଥ ୟୁନିଟ୍‌

ସ୍ଥିତି ଏତେ ସଂଗିନ ଯେ ବାୟୁସେନା ଏମ୍‌ଆଇ-୧୭ ହେଲିକପ୍ଟର୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅତ୍ୟାଧୁନିକ କ୍ରେନ୍‌ ସାହାଯ୍ୟରେ ବଗିଗୁଡ଼ିକୁ ଟେକି ଅଲଗା କରାଯିବା ସହ ଗ୍ୟାସ୍‌-କଟର୍‌ରେ କାଟି ଉଦ୍ଧାରକାରୀ ଦଳ ବଗି ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ଏହାଛଡ଼ା ଅନେକ ଯାତ୍ରୀ ଟ୍ରେନ୍‌ ତଳେ ଚାପି ‌ହୋଇଯାଇଥିବାରୁ ସନ୍ଧାନୀ କୁକୁର ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଆହତ, ଗୁରୁତର ଏବଂ ମୃତଯାତ୍ରୀଙ୍କୁ ନିକଟ ହସ୍ପିଟାଲ୍‌ ନେବା ପାଇଁ ୨ଶହ ଆମ୍ବୁଲାନ୍ସ, ୫୦ଟି ବସ୍‌ ଏବଂ ୨୪ଟି ମୋବାଇଲ୍‌ ହେଲ୍ଥ ୟୁନିଟ୍‌କୁ ନିୟୋଜିତ କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର