ବାରିପଦା: ଫିଟ୍ନେସ୍ ନାହିଁ, କିନ୍ତୁ ବର୍ଷ ବର୍ଷ ଧରି ମୟୂରଭଂଜ ରାସ୍ତାରେ ଗଡ଼ୁଛି ୧୫ ହଜାରରୁ ଊର୍ଦ୍ଧ୍ବ ଭଙ୍ଗାଦଦରା ଗାଡ଼ି। ଏଥିଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଅକାଳରେ ବହୁ ଜୀବନଦୀପ ଲିଭି ଯାଉଛି। ଦୁର୍ଘଟଣା ରୋକିବା ତଥା ପରିବେଶକୁ ସୁରକ୍ଷା ରଖିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ୨୦୨୦ ମସିହାରେ ସ୍କ୍ରାପ୍ ନୀତି ଘୋଷଣା କରିଥିଲେ। ସ୍କ୍ରାପ୍ ନୀତି ଲାଗୁ ହୋଇଥିଲେ, ରାସ୍ତାରେ ଗଡ଼ୁଥିବା ଭଙ୍ଗାଦଦରା ଗାଡ଼ିକୁ ହଟାଇ ନିଆଯାଇଥାନ୍ତା। ଦୁର୍ଘଟଣା ହ୍ରାସ ପାଇଥା’ନ୍ତା ଓ ପରିବେଶ ଉପରେ କୌଣସି ପ୍ରଭାବ ପଡ଼ିନଥା’ନ୍ତା। କିନ୍ତୁ ୩ବର୍ଷ ପରେ ବି ଏହି ଘୋଷଣା କେବଳ ଘୋଷଣାରେ ସୀମିତ ରହିଛି।
ପ୍ରତିବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ପୂର୍ବରୁ ସ୍କ୍ରାପ୍ ନୀତି ଲାଗୁ ହେବ ବୋଲି କୁହାଯାଉଛି। କିନ୍ତୁ ତା’ ପରେ ଯେଝା ବାଟରେ ଯିଏ। ଆଞ୍ଚଳିକ ପରିବହନ ବିଭାଗର ତାଲିକା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୧୫ରୁ ଅଧିକ ବର୍ଷର ଗାଡ଼ି ଏବେ ବି ରାସ୍ତାରେ ଗଡ଼ୁଛି। ସେଥିମଧ୍ୟରୁ ଅଧିକାଂଶ ବସ୍, ଟ୍ରକ୍ ଓ ଅନ୍ୟ ବଡ଼ ଗାଡ଼ି କଟକ, ଭୁବନେଶ୍ବର, ସମ୍ବଲପୁର, କୋଲକାତା ଆଦି ଦୂର ସ୍ଥାନକୁ ଚଳାଚଳ କରୁଛି। ଜିଲ୍ଲାରେ ମୋଟ୍ ୨ ଲକ୍ଷ ୭୯ ହଜାର ୩୪୮ଟି ବିଭିନ୍ନ ଶ୍ରେଣୀର ଗାଡ଼ି ଚଳାଚଳ କରୁଥିବା ବେଳେ ସେଥିରୁ ୧୫ରୁ ଅଧିକ ବର୍ଷର ପୁରୁଣା ଗାଡ଼ିସଂଖ୍ୟା ହେଉଛି ୧୫ ହଜାର। ୭ ହଜାର ୪୦୨ ଗାଡ଼ି ଅଣପରିବହନ ଓ ୭ ହଜାର ୫୯୮ଟି ପରିବହନ ଗାଡ଼ି ରହିଛି। ୧୫ ହଜାର ପୁରୁଣା ଗାଡ଼ିକୁ ଯଦି ହଠାତ୍ ରାସ୍ତାରୁ ହଟାଇ ନିଆଯାଏ, ତେବେ ପରିବହନ ବାଧାପ୍ରାପ୍ତ ହେବା ସହ ସରକାର ବର୍ଷକୁ ପ୍ରାୟ ୩.୫କୋଟି ରାଜସ୍ବ ହରାଇବା ଆକଳନ କରାଯାଇଛି। ତେବେ ରାଜସ୍ବ କ୍ଷତି ଆଶଙ୍କାରେ ନା ଗାଡ଼ି ମାଲିକଙ୍କ ଚାପରେ ସ୍କ୍ରାପ୍ ନୀତି ଲାଗୁ କରାଯିବାରେ ବିଳମ୍ବ ହେଉଛି, ତାହା ବୁଝାପଡ଼ୁନି।
ଗଲା ୨ ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ୧୨୨ଟି ସ୍ଥାନରେ ଦୁର୍ଘଟଣା ଘଟି ୬୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧୨ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା ଗାଡ଼ି ମଧ୍ୟରୁ ୩ଭାଗ ଗାଡ଼ିର କାଗଜପତ୍ର ନଥିବା ବିଭାଗୀୟ କାର୍ଯ୍ୟାଳୟରୁ ଜଣାପଡ଼ିଛି। ସ୍କ୍ରାପ୍ ନୀତି ନିର୍ଦ୍ଦେଶନାମା ଜାରି ହେଲେ ପୁରୁଣା ଗାଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଞ୍ଚଳିକ ପରିବହନ ଓ ପୁଲିସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/654f6h54sfhfhsfshfh.jpg)