କଟକ: ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭାଇଙ୍କ ପାଖରୁ ଜବତ ​ହୋଇଥିଲା କାର୍ବାଇନ୍। ଏହାକୁ କେବଳ ପୁଲିସ ଅଧିକାରୀ ବ୍ୟବହାର କରିପାରିବାର ନିୟମ ରହିଛି। ସାଧାରଣ ଲୋକ ଏହାକୁ ବ୍ୟବହାର କରିପାରିବେ ନାହିଁ କି କିଣିପାରିବେ ନାହିଁ। ଧଳସାମନ୍ତ ଭାଇଙ୍କୁ ଉତ୍ତରପ୍ରଦେଶର ଜଣେ ପୁଲିସ ଅଧିକାରୀ କାର୍ବାଇନ୍ ବିକ୍ରି କରିଥିବା କୁହାଯାଉଥିଲା। କିନ୍ତୁ ଘଟଣାକୁ ​୭ ବର୍ଷ ବିତି ଯାଇଥିଲେ ବି ସେହି ପୁଲିସ ବାବୁ କଟକ କମିସନରେଟ୍ ପୁଲିସ ପାଇଁ ଅପହଞ୍ଚ। ଆଜି ବି ଧଳସାମନ୍ତ ଭାଇଙ୍କୁ ଏହି କାର୍ବାଇନ୍ ବିକ୍ରି ରହସ୍ୟ ହୋଇ ରହିଯାଇଛି।

Advertisment

ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭାଇଙ୍କୁ ୨୦୧୬ ଜାନୁଆରି ୧୫ରେ ପୋଖରୀପୁଟ ଘରୁ କଟକ କମିସନରେଟ୍ ପୁଲିସ ଗିରଫ କରିଥିଲା। ପରେ କମିସନରେଟ୍ ପୁଲିସ ସିଡିଏ ସେକ୍ଟର ୯ରେ ଥିବା ଧଳସାମନ୍ତ ଭାଇଙ୍କ ଘରେ ଚଢ଼ଉ କରିଥିଲା। ଧଳସାମନ୍ତ ଭାଇଙ୍କ ଶୌଚାଳୟ ଉପରେ ଏକ ସିକ୍ରେଟ୍ ଚାମ୍ବରରୁ କାର୍ବାଇନ୍ ସହିତ ମାଉଜର୍ ବି ଜବତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ବନ୍ଧୁକ ଓ ୪୮୩ ରାଉଣ୍ଡ ଗୁଳି ଜବତ ହୋଇଥିଲା। ସେହି ଘରୁ ବନ୍ଧୁକ ସହିତ ୬ କୋଟି ୨୭ ଲକ୍ଷ ଟଙ୍କା ଜବତ ବି ହୋଇଥିଲା। ତେବେ ଜବତ ହୋଇଥିବା କାର୍ବାଇନ୍ ଏକ ନିଷିଦ୍ଧ ବନ୍ଧୁକ। ଏ ପ୍ରକାର ଅତ୍ୟାଧୁନିକ ବନ୍ଧୁକ ମିଲିଟାରି ଓ ପାରାମିଲିଟାରି ଫୋର୍ସ (ଆର୍ମଡ୍ ପୁଲିସ, ସିଆରପିଏଫ୍, ବିଏସଏଫ)କୁ କେବଳ ଯୋଗାଣ ହୋଇଥାଏ। ପ୍ରତି ବନ୍ଧୁକର ଏକ ବଟ୍ ନମ୍ବର ଏବଂ ବଡି ନମ୍ବର ଥାଏ। ଧଳସାମନ୍ତଙ୍କ ଘରୁ ମିଳିଥିବା ବଟ୍ ନମ୍ବର ଯାଞ୍ଚ ପରେ ଏହା ଉତ୍ତରପ୍ରଦେଶର ଏକ ପାରାମିଲିଟାରି ସଂସ୍ଥାରୁ ଆସିଥିବା ଜଣାପଡ଼ିଥିଲା। କିନ୍ତୁ ଏହି ବନ୍ଧୁକର ବଟ୍ ନମ୍ବର ଯାଞ୍ଚ ସମୟରେ ଏଥିରେ ଥିବା ସଂଖ୍ୟାର ଶେଷ ସଂଖ୍ୟା ଲିଭାଇ ଦିଆଯାଇଛି। ତେଣୁ ନିର୍ଦ୍ଦିଷ୍ଟ ଭାବେ ମିଲିଟାରି କିମ୍ବା ପାରାମିଲିଟାରି ସଂସ୍ଥାର କେଉଁ ଅଧିକାରୀଙ୍କୁ ଜବତ ହୋଇଥିବା ବନ୍ଧୁକ ଇସ୍ୟୁ କରାଯାଇଥିଲା, ସେ ସମ୍ପର୍କରେ କଟକ କମିସନରେଟ୍ ପୁଲିସ ଆଜି ବି ଅନ୍ଧାରରେ ରହିଛି। ପୁଲିସ ଏ ସଂକ୍ରାନ୍ତ ଏକ ଚିଠି ଉତ୍ତରପ୍ରଦେଶ ପୁଲିସକୁ ଲେଖିଥିଲା। କିନ୍ତୁ ବଟ୍ ସଂଖ୍ୟା ଲିଭାଇ ଦିଆଯାଇଥିବାରୁ କାର୍ବାଇନ୍ ବିକ୍ରି କରିଥିବା ସମ୍ପୃକ୍ତ ଅଧିକାରୀଙ୍କୁ ଠାବ କରାଯାଇପାରୁନାହିଁ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବନ୍ଧୁକ ଯେଉଁ ଫ୍ୟାକ୍ଟ୍ରିରୁ ନିର୍ମାଣ ହୋଇଥାଏ ନିର୍ମାଣ ପରେ ଏଥିରେ ଥିବା ଲୁହା ଅଂଶରେ ଏକ ବଡି ନମ୍ବର ବନ୍ଧୁକ ଫ୍ୟାକ୍ଟ୍ରି ପକ୍ଷରୁ ଖୋଦେଇ ହୋଇଥାଏ। ସେହିଭଳି ଫ୍ୟାକ୍ଟ୍ରିରୁ ବନ୍ଧୁକ ମିଲିଟାରି ଓ ପାରାମିଲିଟାରି ଫୋର୍ସର ଯେଉଁ ୟୁନିଟକୁ ଆସିଥାଏ, ସେହି ୟୁନିଟରେ ଏକ ବଟ୍ ନମ୍ବର ଖୋଦେଇ ହୋଇଥାଏ। ବନ୍ଧୁକର ଶେଷ ଅଂଶ ଯେଉଁଟାକୁ ଧରାଯାଏ, ତାକୁ ବଟ୍ କୁହାଯାଏ। ସେହି ସ୍ଥାନରେ ହିଁ ଏହି ନମ୍ବର ସମ୍ପୃକ୍ତ ୟୁନିଟ ପକ୍ଷରୁ ଲେଖାଯାଇଥାଏ। ଏହି ନମ୍ବରରୁ ହିଁ ଜଣାପଡ଼ିଯାଏ, ସମ୍ପୃକ୍ତ ବନ୍ଧୁକ ଉକ୍ତ ୟୁନିଟ ପକ୍ଷରୁ କେଉଁ ପୁଲିସ ଅଧିକାରୀଙ୍କୁ ଜାରି କରାଯାଇଥାଏ। କିନ୍ତୁ ଧଳସାମନ୍ତ ଭାଇଙ୍କ ନିକଟରୁ ମିଳିଥିବା ବନ୍ଧୁକର ଏହି ବଟ୍ ନମ୍ବରରେ ଏକ ସଂଖ୍ୟା ଲିଭାଇ ଦିଆଯାଇଥିବାରୁ କେଉଁ ପୁଲିସ ଅଧିକାରୀଙ୍କୁ ଇସ୍ୟୁ ହୋଇଥିଲା, ଏହା ଜାଣିବା କଷ୍ଟକର ହୋଇପଡ଼ିଛି। ସାଧାରଣତଃ ଏହା ହାବିଲଦାର ଏବଂ କନଷ୍ଟେବଳ ପାହ୍ୟାର ପୁଲିସ କର୍ମଚାରୀଙ୍କୁ ହିଁ ଇସ୍ୟୁ କରାଯାଇଥାଏ। ଅଫିସରଙ୍କୁ ଇସ୍ୟୁ କରାଯାଇନଥାଏ। ତେଣୁ ଧଳସାମନ୍ତ ଭାଇଙ୍କୁ ବନ୍ଧୁକ ଏହି ପାହ୍ୟାର କୌଣସି ପୁଲିସ କର୍ମଚାରୀ ଉତ୍ତରପ୍ରଦେଶରେ ବିକ୍ରି କରିଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଉତ୍ତରପ୍ରଦେଶ ପୁଲିସ ତରଫରୁ କୌଣସି ପ୍ରକାର ସୂଚନା ମିଳୁନଥିବାରୁ ପୁଲିସ ଏହି ମାମଲାରେ ଆଜି ସୁଦ୍ଧା କୌଣସି ପ୍ରକାର ଅଗ୍ରଗତି କରିପାରିଲା ନାହିଁ।

ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ କାର୍ବାଇନରେ ୨୦ ରାଉଣ୍ଡ ଗୁଳି ରହିଥାଏ। ଏହା ୯ ଏମଏମ ବୋର୍ ହୋଇଥିବା ବେଳେ ଉଭୟ ଅଟୋମେଟିକ୍ ଓ ସେମିଅଟୋମେଟିକ୍ ବ୍ୟବସ୍ଥା ରହିଛି। ତେଣୁ ଏହାକୁ କୌଣସି ସାଧାରଣ ଲୋକଙ୍କୁ ଇସ୍ୟୁ କରାଯାଇପାରିବ ନାହିଁ। ଯେହେତୁ ବଡ଼ ବୋର୍ ରହିଛି, ଏହାକୁ କେବଳ ପୁଲିସ ଓ ଆର୍ମିକୁ ମିଳିପାରିବ। ସାଧାରଣ ଲୋକଙ୍କୁ ଦେଲେ ଏକକାଳୀନ ଅଧିକ ଗୁଳି ବାହାରୁଥିବାରୁ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଲାଇସେନ୍ସପ୍ରାପ୍ତ ସାଧାରଣ ଲୋକଙ୍କୁ .୩୨ ରିଭଲଭର୍ କିମ୍ବା ପିସ୍ତଲ ମିଳିପାରିବ ବୋଲି ଶ୍ରୀ ମାରିକ କହିଛନ୍ତି।