ଜୟପୁର: ଜୟପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀର୍ଘ ୯ମାସ ଧରି ସେଭଳି ପଡ଼ି ରହିଥିବା ମିଶନ ଶକ୍ତି କାଫେକୁ ଗତ ମାସକ ତଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  ଲୋକାର୍ପିତ କରିଥିଲେ।   ପୂର୍ବରୁ କୋଠା ନିର୍ମାଣ ହୋଇ ୯ମାସ ଓ ଲୋକାର୍ପଣର ମାସକ  ଏଭଳି ଦଶ ମାସ ପରେ ବି ଏହା ଆରମ୍ଭ  ନ ହୋଇ ସେଭଳି ପଡ଼ି ରହିବା କେତେ ଦୁର ଯୁକ୍ତି ଯୁକ୍ତ। ଯେଉଁ ଉଦେଶ୍ୟ ନେଇ ଏହାକୁ ଆରମ୍ଭ କରାଯାଉଛି ତାହା  ଏହି ସ୍ଥିତିରେ ପୁରଣ ହେବ କି ବୋଲି ପ୍ରଶ୍ନ ସୃଷ୍ଟି କରିଛି।

Advertisment

ସୂଚନା ମୁତାବକ, ବ୍ଲକ ପ୍ରଶାସନ ମିଶନ ଶକ୍ତିରୁ ଆସିଥିବା ଅନୁଦାନରେ କାଫେ ପାଇଁ  କବେଳ କୋଠା ନିର୍ମାଣ କରିଥିଲେ। ଏହାର ଲୋକାର୍ପଣ ପୂର୍ବରୁ ମହିଳା ସ୍ବୟଂ ସହାୟକ ଦଳ ବ୍ଲକ ମହାସଂଘ ପକ୍ଷରୁ  ସାଢ଼େ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ଚେୟାର ଟେବୁଲ, ଅନ୍ୟାନ୍ୟ ରୋଷଇ ସାମଗ୍ରୀ ଆଦି କିଣିଥିଲେ। ମହାସଂଘ ଏହାକୁ ଆରମ୍ଭ ‌କରିବା ପୂର୍ବରୁ ଗୋଟିଏ ବାଟ ବ୍ଲକ କାର୍ଯ୍ୟାଳୟକୁ ରହିଥିବାରୁ ଅନ୍ୟ ଆଡକୁ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ତେବେ ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ପ୍ରଥମେ ଚା, ଜଳଖିଆଓ ସୁଖିଲା ଖାଦ୍ୟ ବିକ୍ରୀ କରିବାର ଯୋଜନା ରହିଛି, ତେବେ ବ୍ୟବସାୟକୁ ଦୃଷ୍ଟିରେ ରଖି  ଆଉ ଗୋଟିଏ ବାଟ କରି  କବାଟ ଲଗାଇବାକୁ ବିଡିଓଙ୍କୁ ଅନୁରୋଧ କରିଥିବା କହିଛନ୍ତି ବ୍ଲକ ମହାସଂଘ ସଂପାଦିକା ସୁଜାତା ପାଣିଗ୍ରାହୀ।

ଭିତ୍ତିଭୁମିରେ ସାମାନ୍ୟ ସୁଧାର ସହ କବାଟ ଲଗାଇବା,ଆଉ କିଛି ଆସବାବ, ସାମଗ୍ରୀ କିଣିବା ବାକି ରହିଛି, ମହାସଂଘ ସହ ଖାଦ୍ୟ ପ୍ରସ୍ତୁତି ଉପରେ ଯେଉଁ ମହିଳା ସ୍ବୟଂ ସହାୟକ ଦଳ କାମ କରୁଛି ସେଭଳି ଗୃପକୁ ସାମିଲ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ବିଡିଓ ରାଜୀବ ଦାସ। ଜୟପୁର ସଦରମହକୁମାରେ ଥିବା ମିଶନଶକ୍ତି କାଫେକୁ ଆରମ୍ଭ କରିବାକୁ ଯଦି ୧୦ମାସ ଲାଗିବା ପରେ ବି ଆରମ୍ଭ ହୋଇ ପାରୁନି ତେବେ ଗ୍ରାମାଂଚଳରେ ଥିବା କାଫେ ଗୁଡିକ ଆରମ୍ଭ ହେବାକୁ କେତେ ସମୟ ଲାଗିବ ବୋଲି ପ୍ରଶ୍ନ ଉଠିଛି।