କଟକ: ବାରବାଟୀ-କଟକ ବିଧାନସଭା ଆସନରୁ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ ବି କଟକରେ କଂଗ୍ରେସ ସଙ୍ଗଠନ ଓ ନେତୃତ୍ବ ଏବେ ‌ଦିଗହରା। ସମ୍ମାନଜନକ ବାରବାଟୀ-କଟକ ଆସନରୁ ଲଗାତାର ଦୁଇ ଥର ବିଜୟ ହାସଲ କରିବା ପଛରେ ଅବଶ୍ୟ କଂଗ୍ରେସ ଦଳକୁ ବିଶେଷ ଶ୍ରେୟ ଯାଉ ନାହିଁ। ଦୁଇ ଦୁଇ ଥରର ବିଜୟର ଶ୍ରେୟ ଯାଉଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ। ସାଧାରଣ ନିର୍ବାଚନର ଠିକ ପୂର୍ବ ସମୟ ପର୍ଯ୍ୟନ୍ତ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ନିଲମ୍ବିତ କରି ରଖାଯାଇଥିଲା। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମହମ୍ମଦ ମୋକିମ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ବିଜୟୀ କରାଇବାରେ ସଫଳ ହେଲେ। କିନ୍ତୁ ଏହି ବିଜୟରୁ କଂଗ୍ରେସ କଟକରେ ଯେତିକି ଶ୍ରେୟ ନେଇ ଆଗକୁ ବଢିବା କଥା ତାହା ବିଭିନ୍ନ କାରଣରୁ ସମ୍ଭବ ହୋଇପାରୁ ନାହିଁ।

Advertisment

ବାରବାଟୀ-କଟକରେ ବିଜୟକୁ ବାଦ୍ ଦେଲେ କଟକ ଜିଲ୍ଲାର ଅନ୍ୟ କୌଣସି ବିଧାନସଭା ଅଥବା ଲୋକସଭା ଆସନରେ ବି କଂଗ୍ରେସ ସମ୍ମାନଜନକ ଲଢେଇ ଲଢି ପାରି ନାହିଁ। ବାଙ୍କୀ ବିଧାନସଭାରେ ଦଳର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଯଦିଓ କିଛିଟା ସମ୍ମାନ ରଖିବାରେ ସଫଳ ହୋଇଛନ୍ତି, କିନ୍ତୁ ସେ ଏଥର ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ଅନ୍ୟ ସବୁ ଆସନରେ କଂଗ୍ରେସ ଅମାନତ ହରାଇବା ସ୍ଥିତିକୁ ଚାଲି ଯାଇଛି। କିନ୍ତୁ ଏସବୁ ସତ୍ତ୍ବେ ଦଳର ଅନେକ ବରିଷ୍ଠ ନେତା ଓ ଆଗ ଧାଡ଼ିର କର୍ମୀଙ୍କ ବିରୋଧରେ ଯେଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ପଦକ୍ଷେପ ନିଆଯାଉଛି, ତାହା ଅନେକ କଂଗ୍ରେସପ୍ରେମୀଙ୍କୁ ବି ହତାଶ କରୁଛି। ଠିକ ନିର୍ବାଚନ ପରେ ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ମାନସଙ୍କୁ ସମର୍ଥନ କରୁଥିବା ଆଗ ଧାଡିର ନେତା ଓ କର୍ମୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗଲା ସାଧାରଣ ନିର୍ବାଚନରେ କଟକ ସଦର ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ବରିଷ୍ଠ ନେତା ରାମଚନ୍ଦ୍ର ଗୋଚ୍ଛାୟତଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। କଟକ ଜିଲ୍ଲା କଂଗ୍ରେସ ଓବିସି ସେଲ୍, ମିଡିଆ ସେଲର ଅଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଅଶୋକ ସ୍ବାଇଁଙ୍କୁ ବି ଦଳରୁ ୬ ବର୍ଷ ପାଇଁ ଦୁଇ ଦିନ ପୂର୍ବରୁ ନିଲମ୍ବନ କରାଯାଇଛି। କଟକ ଜିଲ୍ଲାର ଦୁଇଟି ଆସନକୁ ବାଦ୍ ଦେଲେ ଅନ୍ୟ ୭ଟି ଆସନରେ କଂଗ୍ରେସ କାହିଁକି ଲଢେଇକୁ ବି ଆସି ପାରିଲାନି, ତାହାର ସମୀକ୍ଷା ବଦଳରେ ଜିଲ୍ଲାରେ କଂଗ୍ରେସର ପ୍ରଚାର ପ୍ରସାର କରି ଆସୁଥିବା ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ନିର୍ବାଚନ ପୂର୍ବରୁ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଶେଷ କରି ଚୌଦ୍ବାର-କଟକ, ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ପ୍ରତିବାଦର ସ୍ବର ଉଠିଥିଲା। କଟକ ଲୋକସଭା ଆସନ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଆଠଗଡ଼ରେ ପ୍ରଥମେ ଟିକେଟ ପାଇଥିବା ମେହେବୁବ ଅହମ୍ମଦ ଖାଁ, ଟିକେଟ ଫେରାଇ ଦେଇଥିଲେ। ଫଳରେ ସୁଦର୍ଶନ ସାହୁଙ୍କୁ ଆଣି କଂଗ୍ରେସ ଶେଷ ସମୟରେ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ଚୌଦ୍ବାର-କଟକରେ ଲଢିବା ପାଇଁ ରାଜନୀତିରେ ସକ୍ରିୟ ଥିବା ଅନେକ ନେତା ଆଶାୟୀ ଥିଲେ ବି ପୂର୍ବରୁ ରାଜନୀତିର ଧାର ଧରି ନ ଥିବା ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ବୋହୂ ମୀରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କଲା। ସେଥିରେ ଅ‌ସନ୍ତୋଷ ପ୍ରକାଶ କରି ଅନେକ ନେତା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଲେ। ଦୁଇ ଜଣ ଯୁବ ନେତା ବି ସ୍ବାଧୀନ ଭାବେ ପ୍ରାର୍ଥୀ ହେଲେ। ମାନସ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପରେ ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ କଟକ ଜିଲ୍ଲା କଂ‌ଗ୍ରେସର ଅସ୍ଥାୟୀ ସଭାପତି ନିଯୁକ୍ତ କରାଯାଇଛି। ସେପଟେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ସୁରେଶ ମହାପାତ୍ର କଟକ ନଗର କଂଗ୍ରେସ ସଭାପତି ଅଛନ୍ତି। ଦୁଇ ବରିଷ୍ଠ ନେତାଙ୍କୁ ଦଳ ସାଙ୍ଗଠନିକ ଦାୟିତ୍ବ ଦେଇଛି। କିନ୍ତୁ ଗୋଟିଏ ପଟେ ବାରବାଟୀ-କଟକରେ ବିଜେଡି, ବିଜେପି ଶକ୍ତିକୁ କଂଗ୍ରେସ ପରାସ୍ତ କରି ପାରୁଥିବା ବେଳେ ଅନ୍ୟ ସ୍ଥାନରେ ସମ୍ମାନ ରଖିବା ସ୍ଥିତିକୁ ଆସି ନ ପାରିବା ଘଟଣାର ସମୀକ୍ଷା କରାଯାଇ କେବେ ଆବଶ୍ୟକ ପଦକ୍ଷେପ ନିଆଯିବ, ତାହାକୁ ନେଇ ଦଳର କର୍ମୀ ପ୍ରଶ୍ନ କରୁଛନ୍ତି।