ପାଳଲହଡ଼ା: ୨୦ ବର୍ଷ ତଳେ ୨୦୦୩ ମସିହାରେ ହଠାତ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ଲୋକଙ୍କ ସୁଅ ଛୁଟିଥିଲା। ଜଙ୍ଗଲ ରାସ୍ତାରେ ବିଦେଶୀ ପକ୍ଷୀଙ୍କ ପିଛା କରି ଲୋକେ ଆବିଷ୍କାର କଲେ ‘ଦ୍ବିତୀୟ ଚିଲିକା’। ଅବିକଳ ଦେଖିବାକୁ ‘ଚିଲିକା’ ଭଳି। ଦିଗନ୍ତବିସ୍ତାରୀ ଜଳରାଶି, ପାଣି ଆରପାଖେ ଝାପ୍ସା ଦିଶୁଥିବା ପାହାଡ଼ର ସମାହାର। ଦେଖୁଥିବା ଲୋକେ ବି ଆଶ୍ଚର୍ଯ୍ୟ ହୋଇଥିଲେ ଏହି ଜଳାଶୟକୁ ଦେଖି। ପରେ ଏହା ସ୍ଥାନୀୟ ଅଞ୍ଚଳରେ ‘ଦ୍ବିତୀୟ ଚିଲିକା’ର ପରିଚୟ ନେଇଥିଲା। ପାଳଲହଡ଼ା ବ୍ଲକ୍ କରଡ଼ାପାଳ ପଞ୍ଚାୟତ ଅଧୀନ ପୁରୁଣା ଗୁରୁସୁଲେଇଠାରେ ଥିବା ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାରର ଜଳରାଶି ସେବେଠୁଁ ପାଲଟିଯାଇଛି ଲୋକଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ର।
ଯଦିଓ ସରକାର ପ୍ରଥମେ ଏହାକୁ ସ୍ବୀକାର କରୁ ନଥିଲେ, କିନ୍ତୁ ୨୦୧୪ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ବିଭାଗୀୟ ଫଳକ ଲଗାଯାଇଥିଲା। ହେଲେ ଏହି ଫଳକରେ ହିଁ ଅଟକି ଯାଇଛି ଉନ୍ନତୀକରଣ। ଏହି ସ୍ଥାନର ବିକାଶ ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ଆଜିଯାଏଁ ହୋଇପାରିଲା ନାହିଁ। ଯେଉଁଠି ସର୍ବପୁରାତନ ଗାଁ ପୁରୁଣା ଗୁରୁସୁଲେଇ ଜଳଭଣ୍ଡାରରେ ସମାଧି ନେଇଛି, ବହୁଲୋକ ବିସ୍ଥାପିତ ହୋଇଛନ୍ତି; ସେଠାରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ କୁଣ୍ଠାବୋଧ କାହିଁକି? ବୋଲି ପ୍ରଶ୍ନ ଉଠିଛି। ବାରମ୍ବାର ଦାବି ପରେ ରାଜ୍ୟ ସରକାର ଏଠାର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ପ୍ରାୟ ୪କୋଟି ଟଙ୍କା ଏଥିପାଇଁ ମଂଜୁର ହୋଇଥିବା ବି ଘୋଷଣା କରାଯାଇଥିଲା। ସରକାରୀ ବାବୁମାନେ ଘନ ଘନ ଏ ସ୍ଥାନକୁ ଗସ୍ତ କରିଥିଲେ। ହେଲେ ଏବେ ସବୁ ଥଣ୍ଡା ପଡ଼ିଯାଇଛି। ୪ କୋଟି ତ ଦୂରର କଥା, ମାଟି ମୁଠାଏ ବି ପଡ଼ିପାରିଲା ନାହିଁ। କେବଳ ପର୍ଯ୍ୟଟନ ବିଭାଗର ସାଇନ୍ ବୋର୍ଡକୁ ଦେଖି ଖୁସି ହେବା ଛଡ଼ା ଆଉ ରାସ୍ତା ନାହିଁ।
ଶୀତ ବଢ଼ିଲେ ଏଠାରେ ସାଇବେରିଆନ୍ ପକ୍ଷୀଙ୍କ ଭିଡ଼ ଜମେ। ଏବେ ବି କିଛି ପକ୍ଷୀ ଦ୍ବିତୀୟ ଚିଲିକାମୁହାଁ ହୋଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ଉଠାଇବାକୁ ପ୍ରତିଦିନ ଶହ ଶହ ଲୋକ ଏଠାରେ ରୁଣ୍ଡ ହେଉଛନ୍ତି। ବଣଭୋଜିର ଆସର ଜମୁଛି, ପ୍ରି ୱେଡିଂ ଓ ଆଲବମ୍ ସୁଟିଂ ବି ହେଉଛି। କିନ୍ତୁ ମୌଳିକ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମୁହଁ ମୋଡ଼ୁଛନ୍ତି। କୂଳକୁ ଯିବା ପାଇଁ ଓ ବୁଲିବା ପାଇଁ ଭଲ ରାସ୍ତା ସହ ବିଦ୍ୟୁତୀକରଣ, ରାତ୍ରି ରହଣି ଆଦିର ଅଭାବ ରହିଛି। ଆବର୍ଜନା ସଫା କରିବାକୁ ବି ବ୍ୟବସ୍ଥା ନାହିଁ। ମଂଜୁର ହୋଇଥିବା ଅନୁଦାନରେ କଣ କାମ ହେବ ଓ କେବେ କାମ ଆରମ୍ଭ ହେବ ପଚାରିଲେ, ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଅନ୍ୟପଟେ, ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏହି ଦ୍ବିତୀୟ ଚିଲିକାର ଉନ୍ନତି ଲାଗି ସରକାର ଆନ୍ତରିକତା ଦେଖାଇ ମଂଜୁର ହୋଇଥିବା ଅନୁଦାନରେ ତୁରନ୍ତ କାମ ଆରମ୍ଭ କଲେ ଏହା ଆହୁରି ବିକଶିତ ହୋଇପାରନ୍ତା ବୋଲି ସମାଜସେବୀ ତଥା କଳାକାର ବିବେକାନନ୍ଦ ବିଶ୍ବାଳ କହିଛନ୍ତି।