ଝରସୁଗୁଡ଼ା: କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଅନେକଗୁଡ଼ିଏ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ମଧ୍ୟ କରାଯାଇଛି। ମାତ୍ର ପ୍ରଶାସନିକ ଅବହେଳା କାରଣରୁ ଏହି ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ସଂପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ ଅଯଥାରେ ଏହି ପ୍ରକଳ୍ପ ଖର୍ଚ୍ଚ ବଢ଼ିବାରେ ଲାଗିଛି। ବହୁ ଆଡ଼ମ୍ବରରେ ଉଦ୍‌ଘାଟନ ହେଉଥିବା ବେଳେ ପ୍ରକଳ୍ପ କାମ ତ୍ବରାନିତ କରିବା ପାଇଁ ସରକାରୀସ୍ତରରେ କୌଣସି ଉଦ୍ୟମ ହେଉନି। ଝାରସୁଗୁଡ଼ା ବିମାନବନ୍ଦର ନିକଟରେ ଏକ ଅତ୍ୟାଧୁନିକ ବୃହତ୍‌ ଷ୍ଟାଡିୟମ ନିର୍ମାଣ ସମସ୍ତ ବିଳମ୍ବ ପ୍ରକ୍ରିୟାକୁ ଟପି ଯାଇଛି।

Advertisment

୨୦୧୬ ମସିହାର ଏହି ପ୍ରକଳ୍ପ ୨୦୧୮ରେ ସଂପୂର୍ଣ୍ଣ ହେବା ହେବାକୁ ଲକ୍ଷ୍ୟ ରଖା ଯାଇଛି। ଚଳିତ ବର୍ଷ ସୁଦ୍ଧ ମଧ୍ୟ ସଂପୂର୍ଣ୍ଣ ହେବା ସମ୍ଭାବନା ନାହିଁ। ଏହି ପ୍ରକଳ୍ପ ପାଇଁ ଏମ୍‌ସିଏଲ୍‌ ୧୮ କୋଟି ୩୦ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଏବେ ଆହୁରି ଅଧିକ ୮ କୋଟି ମଞ୍ଜୁର ହୋଇ ସାରିଛି। ତଥାପି ପ୍ରକଳ୍ପ କାର୍ଯ୍ୟ ଅଧୁରା ପଡ଼ିଛି। ଷ୍ଟାଡିୟମକୁ ଯିବା ପାଇଁ ରାସ୍ତା ନିର୍ମାଣରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ ୬ କୋଟି ଖର୍ଚ୍ଚ କରାଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କାମର ଗୁଣବତ୍ତା ଅତି ନିମ୍ନମାନର ହୋଇଥିବାରୁ କାମ ସରିବା ଆଗରୁ ଅନେକ ଉପକରଣ ଭାଙ୍ଗି ଯାଇଥିବା ଦେଖା ଯାଇଛି। ସେହିପରି  ସହର ଉପକଣ୍ଠରେ ହଂସାମୁରା କଟାପାଲି ମୌଜାରେ ଇଣ୍ଟ୍ରିଗେଟେଡ୍‌ଟ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବାକୁ ଗତ ୨୦୧୯ ମସିହା ଅଗଷ୍ଟ ୧୧ ତାରିଖରେ ଶିଳାନ୍ୟାସ କରାଯାଇଥିଲା।

ଇତିମଧ୍ୟରେ ୩ ବର୍ଷ ହେବାକୁ ଯାଉଥିବା ବେଳେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ। ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳରେ ମାଟି ମୁଠାଏ ମଧ୍ୟ ପଡ଼ି ପାରିନାହିଁ। ଯେଉଁ ସରକାରୀ ଜମିରେ ଏହାର ନିର୍ମାଣ ଲକ୍ଷ୍ୟ ରହିଛି ସେହି ଜମି ବିଧିବଦ୍ଧ ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରାଳୟକୁ ଏଯାଏଁ ହସ୍ତାନ୍ତର ହୋଇ ନଥିବା ଜଣାଯାଇଛି। ପ୍ରାୟ ଦେଢ଼ କୋଟି ଟଙ୍କା ଅନୁଦାନରେ ଏହି କ୍ରୀଡ଼ା ପରିସରର ନିର୍ମାଣ ଲାଗି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଶିଳାନ୍ୟାସ ଉତ୍ସବରେ ଆୟୋଜିତ ସଭାରେ ଘୋଷଣା କରିଥିଲେ। ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଏହି ସଭାରେ ଉପସ୍ଥିତ ଥିଲେ।  ୩୦ବର୍ଷ ପୂର୍ବେ ଏହି ଜମିରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମହାନଦୀ କୋଇଲା କମ୍ପାନି ୨୮ ଲକ୍ଷ ଟଙ୍କା ବିନିଯୋଗ କରି ଆଗ ପଟେ ପାଚେରି ନିର୍ମାଣ କରିଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ୩୦ ବର୍ଷ ତଳେ ନିର୍ମାଣ ହୋଇଥିବା ପାଚେରି ମଧ୍ୟରେ କୋଭିଡ ମୃତକଙ୍କ ଶବଦାହ କରା ଯାଇଥିଲା। ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଜିଲ୍ଲା କ୍ରୀଡାସଂସ୍ଥାର ୧୦ ଡିସିମିଲ ନିଜସ୍ୱ ଜମିରେ ପାଚେରି ଦିଆଯାଇଛି। କିନ୍ତୁ ଗୃହ ନିର୍ମାଣ ହୋଇ ପାରିନାହିଁ। ଗତ ବର୍ଷ ଓଡ଼ିଶା କ୍ରିକେଟ ଆସୋସିଏସନର ଏକ ୭ ଜଣିଆ ବୈଷୟିକ ଟିମ୍‌ ଝାରସୁଗୁଡ଼ା ଗସ୍ତ କରି ବୃହତ୍‌ ଷ୍ଟାଡିୟମ ପରିଦର୍ଶନ କରିବା ସହ ଏହାର ଆବଶ୍ୟକତା ପୂରଣ କରିବାକୁ ଓସିଏ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ଟିମ୍‌ ସହିତ ମନ୍ତ୍ରୀ ଶ୍ରୀ ଦାସ ଆଲୋଚନା କରିବା ପରେ  ଏଠାରେ ରଣଜୀ ଟ୍ରଫି, ଦେଓଧର ଟ୍ରଫି ଭଳି ଜାତୀୟସ୍ତରର କ୍ରିକେଟ୍‌ ମ୍ୟାଚ ଆୟୋଜନ ଲାଗି ଝାରସୁଗୁଡ଼ା ଯୋଗ୍ୟତା ଅର୍ଜନ କରିବାକୁ ଯାଉଛି ବୋଲି କହିଥିଲେ।  ତେବେ ପ୍ରକଳ୍ପ କାମ ଆଗଉ ନଥିବାରୁ  କୋଟି କୋଟି ଟଙ୍କା କ୍ଷତି ଘଟିବା ଆଶଙ୍କା ରହିଛି।