ବାଲେଶ୍ବର: ବାଲେଶ୍ବର ପୌରାଞ୍ଚଳରେ ପିଇବା ପାଣି ଏବେ ବି ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାର ଅମୃତ ଯୋଜନାରେ ବିଶୁଦ୍ଧ ପାଣି ଯୋଗାଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। କେଉଁ ୱାର୍ଡରେ ପାଣି ଆସୁଛି ତ କେଉଁଠି ଜମା ନାହିଁ। ଆଉ କେଉଁଠି ପାଇପ୍ ଫାଟି ଓ ମୁକୁଳା ଟ୍ୟାପ୍ରୁ ଅନବରତ ପାଣି ବୋହି ଚାଲିଛି। ଏବେ ବି ଲୋକେ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି।
ବାଲେଶ୍ବର ସହରରେ ସମସ୍ତ ଘରକୁ ପାଣି ଯୋଗାଇବା ଲକ୍ଷ୍ୟରେ ଅମୃତ ଯୋଜନାରେ ୯୨ କୋଟି ଖର୍ଚ୍ଚ କରାଗଲା। କିନ୍ତୁ ଏହା ଫଳପ୍ରସୂ ହୋଇ ପାରିନାହିଁ। ସହରରେ ବିଭିନ୍ନ ଅଞ୍ଚଳକୁ ପାଣି ପାଇପ୍ ସଂଯୋଗ ହୋଇଥିବା ବେଳେ ନିମ୍ନମାନର ପାଇପ୍ ଯୋଗୁଁ ସେଗୁଡ଼ିକ ଫାଟି ଅନେକ ଜାଗାରେ ପାଣି ବୋହୁଛି। ପୂର୍ବରୁ ସମସ୍ତ ଘରକୁ ସଂଯୋଗ ହୋଇଥିବା ପୁରୁଣା ପାଇପ୍ ଓ ବର୍ତ୍ତମାନର ଅମୃତ ଯୋଜନାରେ ସହରରେ ଥିବା ୧୨୧ଟି ବୋରୱେଲ୍ରେ ନୂଆ ପାଇପ୍ ସଂଯୋଗ କରାଯାଇଛି। କିନ୍ତୁ ସବୁ ଘରକୁ ପାଣି ଆସିପାରୁନାହିଁ। ଯାହାଫଳରେ ଲୋକମାନଙ୍କୁ ପାଣି ପାଇଁ ପାଇପ ପାଖରେ ବହୁସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଚିଡ଼ିଆପୋଲରୁ ଟାଉନହଲ୍ ରାସ୍ତା ଗୋପାଳଗାଁରେ ପ୍ରାୟ ୩ରୁ ୪ ଜାଗାରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।
ଏ ସଂପର୍କରେ ସ୍ଥାନୀୟ ବାସିନ୍ଦା ଯୁବନେତା ବିଭୁପଦ ଦାସଙ୍କ କହିବା କଥା ହେଲା, ଅମୃତ ଯୋଜନା ସହରରେ ସଫଳ ହୋଇ ପାରିନାହିଁ। ରାସ୍ତା ତଳେ ଯେଉଁ ପାଇପ ବିଛାଯାଇଛି, ତାହା ଅତି ନିମ୍ନମାନର। ଯାହାଫଳରେ ଅଧିକାଂଶ ସମୟରେ ପାଇପ୍ ଫାଟି ଯାଉଛି। ବାରମ୍ବାର ପାଇପ ଫାଟିଲେ ଲୋକେ ପାଣି କେମିତି ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ସ୍ଥାନୀୟ ବାସିନ୍ଦା ଗିରିଜା ଶଙ୍କର ଦାସ କହିଛନ୍ତି, ଲୋକଙ୍କ ପାଇଁ ସରକାରଙ୍କ ଯେତେ ସବୁ ଯୋଜନା କରୁଛନ୍ତି ତାହା ଫେଲ୍ ମାରୁଛି। କହିବୁ କାହାକୁ ଶୁଣିବ କିଏ। ଜନପ୍ରତିନିଧି ଯେଉଁମାନେ ଅଛନ୍ତି, ସେମାନେ ଏହାକୁ ନଜରଅନ୍ଦାଜ କରୁଛନ୍ତି। ଏ ସଂପର୍କରେ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପାରେଶ୍ବର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ନିମ୍ନମାନର ପାଇପ୍ ବୋଲି ଯାହା ଅଭିଯୋଗ ହେଉଛି, ତାହା ଠିକ୍ ନୁହେଁ। ରାସ୍ତାରେ ପାଇପ୍ ବିଛା ସରିବା ପରେ ବିଭିନ୍ନ ସମୟରେ ରାସ୍ତା କାମ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କିଛି ସ୍ଥାନରେ ଲୋକଙ୍କ ଘରକୁ ପାଣି ସଂଯୋଗ ପାଇଁ ପାଇପ୍ ମୁହଁ ବନ୍ଦ କରାଯାଇଛି।
କିନ୍ତୁ କିଛି ଲୋକ ପାଣି ଟ୍ୟାପ୍ ଖୋଲି ଦେଉଥିବାରୁ ପାଇପରୁ ପାଣି ବାହାରି ରାସ୍ତାରେ ମାଡ଼ୁଛି। ସହରରେ ଯେଉଁସବୁ ସ୍ଥାନରେ ପାଇପ୍ ଫାଟି ପାଣି ବୋହୁଥିବାର ଅଭିଯୋଗ ଆସୁଛି, ତାକୁ ସଙ୍ଗେ ସଙ୍ଗେ ମରାମତି କରାଯାଉଛି। ଗୋପାଳଗାଁ ରାସ୍ତାରେ ଫାଟି ଯାଇଥିବା ପାଇପ୍କୁ ବଦଳାଯାଇ ନୂଆ ଲଗାଯିବ। ବର୍ତ୍ତମାନ ପୁରୁଣା ପାଇପ୍ ଓ ନୂଆ ପାଇପ୍ ବୋରୱେଲ ସହିତ ସଂଯୋଗ ହୋଇଥିବାରୁ ପାଣି ପାଇଁ ଟିକିଏ ସମସ୍ୟା ଦେଖାଦେବ। କାଳକ୍ରମେ ସମସ୍ୟା ଦୂର ହୋଇଯିବ ବୋଲି ସେ କହିଥିଲେ।