ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡିର ପରାଜୟ ପରେ ବି ବିବାଦ ଥମୁନାହିଁ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦଳ ପକ୍ଷରୁ ସମୀକ୍ଷା କରାଯିବା ପରିବର୍ତ୍ତେ କର୍ମୀ ସମାବେଶ ନାମରେ ବୈଠକ କରିବା ଓ ଦଳର ବରିଷ୍ଠ ସଦସ୍ୟଙ୍କୁ ନିମନ୍ତ୍ରଣ କରାନଯିବା ବିଷୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଗତ ଦୁଇ ଦିନ ପୂର୍ବେ ବ୍ରହ୍ମପୁର ମହାନଗର ବିଜେଡି ପକ୍ଷରୁ ଏକ କର୍ମୀ ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ମେୟର ସଂଘମିତ୍ରା ଦଳେଇଙ୍କ ସହ ଅନ୍ୟ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଏହି ବୈଠକରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦେଖା ମିଳିନଥିଲା। ଗତ ସାଧାରଣ ନିର୍ବାଚନରେ ପୂର୍ବତନ ସାଂସଦ ଶ୍ରୀ ସାହୁଙ୍କୁ ଦଳୀୟ ଟିକଟ ମିଳିନଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ଗୋପାଳପୁର ଆସନରୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା। ବ୍ରହ୍ମପୁର ବିଧରନସଭା ଓ ଲୋକସଭା ଆସନ ବିଜେଡି ହରାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ମେୟର, ଡେପୁଟି ମେୟରଙ୍କ ସମେତ ୩୬ଜଣ କର୍ପୋରେଟର ଅଛନ୍ତି। ତେବେ ଏହି ବୈଠକରେ ଅଧିକାଂଶ କର୍ପୋରେଟର ଅନୁପସ୍ଥିତ ରହିଥିଲେ। ବିଗତ ଦିନରେ ମେୟର ଶ୍ରୀମତୀ ଦଳେଇ ଦଳର କର୍ପୋରେଟରଙ୍କୁ ନେଇ ଏକ ବୈଠକ କରିଥିବା ବେଳେ ଏଠାରେ ବି କିଛି କର୍ପୋରେଟର ଅନୁପସ୍ଥିତ ରହିଥିଲେ। ଏନେଇ ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରେ ଏହି ବୈଠକଟି ମହାନଗର ବିଜେଡି ପକ୍ଷରୁ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ଓ ପୂର୍ବତନ ସାଂସଦ ଶ୍ରୀ ସାହୁଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ବର୍ଷା କାରଣରୁ କିଛି ନେତା ଆସିପାରିନଥିଲେ। ନିମନ୍ତ୍ରଣକୁ ନେଇ ଯେଉଁ ତ୍ରୁଟି ରହିଥିଲା ତା’କୁ ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି।
ବିକ୍ରମ ଓ ଚନ୍ଦ୍ରଙ୍କ ବୈଠକରେ ଅନୁପସ୍ଥିତ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ମେୟର କିଛି କର୍ପୋରେଟରଙ୍କୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟିବା ଆଲୋଚନା ପାଇଁ ଖୋରାକ ଯୋଗାଇଛି। ସାକ୍ଷାତ ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ଜେନା ବ୍ରହ୍ମପୁର ମହାନଗର ନିଗମର ଗେଷ୍ଟହାଉସ୍ ପରିସରରେ ଖୋଲାଯାଇଥିବା ବାର୍ ବନ୍ଦ କରିବାକୁ ମେୟର ଓ କର୍ପୋରେଟର ବନ୍ଧୁ ଅବଗତ କରିଛନ୍ତି ବୋଲି ଉଲ୍ଲେଖ କରି ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ମେୟର ଦଳର କର୍ପୋରେଟରଙ୍କୁ ନେଇ ସଂଗଠିତ ଭାବେ କାମ କରୁଛନ୍ତି ତେବେ କିଛି ନିଜ ସମର୍ଥିତ କର୍ପୋରେଟରଙ୍କୁ ନେଇ ମନ୍ତ୍ରୀଙ୍କୁ ଭେଟିବା ପଛରେ କାରଣ କ’ଣ ବୋଲି ପ୍ରଶ୍ନ କରାଯାଇଛି। ଏହି ଆଲୋଚନାରେ ଡେପୁଟି ମେୟରଙ୍କ ସମେତ ଅନ୍ୟ କର୍ପୋରେଟର ଉପସ୍ଥିତ ରହିଥିଲେ ମେୟରଙ୍କ ଗୁରୁତ୍ବ ବଢ଼ିଥାନ୍ତା ବୋଲି କିଛି କର୍ପୋରେଟର କହିଛନ୍ତି। ମେୟର କିଛି ସମର୍ଥିତ କର୍ପୋରେଟରଙ୍କୁ ନେଇ ମନ୍ତ୍ରୀଙ୍କୁ ଭେଟିବା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ଦଳରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gddjjggjgj.jpg)