ଟୋକନ ଅବଧି ଶେଷପରେ ବି ଉଠୁନି ଧାନ: ୩ କେଜିରୁ ଅଧିକ କଟନି କାରସାଦି, ଅପେକ୍ଷାରେ ପଞ୍ଜୀକୃତ ୧୫ ହଜାର ଚାଷୀ

ସୁନ୍ଦରଗଡ଼: ଧାନର ମାନ ଏଫ୍‌ଏକ୍ୟୁ ଥାଉ କି ନଥାଉ, ୩ କେଜି କାଟିବା ଥୟ। ଏଥିରେ ଯେଉଁ ଚାଷୀ ରାଜି ହେଉନାହାନ୍ତି, ତାଙ୍କ ଧାନ ଉଠାଇବାକୁ ମନା କରିଦେଉଛି ମିଲର୍ସ। ଏଫଏକ୍ୟୁ ମାନର ଧାନ ଆଣିଥିଲେ ମଣ୍ଡିରେ ପଡ଼ିବା ସାର ହେଉଛି। ସାରା ସୁନ୍ଦରଗଡ଼ ଜିଲ୍ଲାର ମଣ୍ଡିଗୁଡିକରେ ଚାଲିଛି ମିଲର୍ସର ଏପ୍ରକାର ମନମାନି। ତେବେ ଏତିକିରେ ଅଟକିନି ମିଲର୍ସର ଶୋଷଣ। ଏବେ ୩ କେଜିରୁ ଅଧିକ ଅର୍ଥାତ ୭ରୁ ୧୦ କେଜି କାଟିବାକୁ ବିଭିନ୍ନ ବାହାନାରେ ଚାଷୀଙ୍କ ଧାନ ଉଠାଇବାକୁ ଦିନ ଗଡ଼ାଇ ନେଉଛି। ଏପରିକି ଟୋକନ ଅବଧି ଶେଷ ହେବା ଯାଏ ଧାନ ଉଠାଇବାକୁ ମିଲର୍ସ ମଣ୍ଡିକୁ ଆସୁ ନଥିବା ବେଳେ ଦାୟିତ୍ବନ୍ୟସ୍ତ ଲ୍ୟାମ୍ପ୍‌ସ ବା ଧାନ ସଂଗ୍ରହ କମିଟି ମଧ୍ୟ ହାତ ଟେକି ଦେଉଛି। ଏସ୍ଥିତିରେ ଚାଷୀ ଟୋକନ ଲାପ୍ସ ହୋଇଯିବା ଆଶଙ୍କାରେ ମିଲର୍ସ ମର୍ଜି ମୁତାବକ କଟ୍‌ନିଛଟ୍‌ନିରେ ଧାନ ଦେବାକୁ ବାଧ୍ୟ ହେଉଛି। ହେଲେ ଅନେକ ମଣ୍ଡିରେ ବହୁ ଚାଷୀ ମିଲର୍ସ କଥାରେ ରାଜି ନହୋଇ ଧାନ ପକାଇ ରଖିଛନ୍ତି। ମିଲର୍ସଙ୍କ କଟ୍‌ନି କାରସାଦି ମଧ୍ୟରେ ଅନେକ ମଣ୍ଡିରେ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇ ଯାଇଥିବା ବେଳେ ଚାଷୀ ଧାନ ବିକି ନପାରି  ଚିନ୍ତାରେ।

ଟାଙ୍ଗରପାଲି ବ୍ଲକ୍ ଉଜ୍ଜ୍ବଳପୁର ଲ୍ୟାମ୍ପ୍‌ସରେ ଜାନୁଆରି ମାସ ସରିଯାଇଥିଲେ ମଧ୍ୟ ଡିସେମ୍ବର ମାସ ପାଇଁ ଥିବା ଟୋକନର ଧାନ ଉଠିନାହିଁ। ଏ ଯାଏଁ ମାତ୍ର ୬୨୮ ଜଣ ଚାଷୀଙ୍କ ପାଖରୁ ୪୪,୨୩୧ କ୍ବିଣ୍ଟାଲ ଧାନ ଉଠିଥିବା ବେଳେ ଏହାମଧ୍ୟରେ ୧୬ ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ୨ ଦିନ ମଧ୍ୟରେ ଧାନ ନ ଉଠିଲେ ଆହୁରି ୨ ଶହରୁ ଅଧିକ ଚାଷୀଙ୍କ ଟୋକନ ଲାପ୍‌ସ ହେବା ନିଶ୍ଚିତ ବୋଲି କୁହାଯାଉଛି। ମିଲର୍ସ ଧାନ ଉଠାଇବାକୁ ଆସୁ ନଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା ଖୋଦ୍ ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏବେ ଚାଷୀ କେଉଁଠି ଧାନ ବିକିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର