ବିଂଝାରପୁର: ମାତ୍ର ୬ ମାସରେ ଅପରିପକ୍ବ ଅବସ୍ଥାରେ ଜନ୍ମ ନେଇଥିଲେ। ସେଦିନ ଡାକ୍ତର ଏହାକୁ ନେଇ ଆଶଙ୍କାରେ ଥିଲେ। ସେହି ଆଶଙ୍କା ଆଜି ଇତିହାସ। ସେ ଆଜି ୧୦୧ ବର୍ଷର ବୟୋଜ୍ୟେଷ୍ଠ ନାଗରିକ। ବେଶ୍‌ ସୁସ୍ଥ ସବଳ ଅଛନ୍ତି। ଅବଶ୍ୟ ଚଳପ୍ରଚଳ କମିଛି କିନ୍ତୁ ଖାଲି ଆଖିରେ ସେ ସବୁଦିନ ସମ୍ବାଦ ଖବରକାଗଜ ପଢୁଛନ୍ତି। ଦେଶବିଦେଶର ଘଟଣାକୁ ତର୍ଜମା କରୁଛନ୍ତି। ଏହି ବର୍ଷୀୟାନ ନାଗରିକ ହେଲେ ବିଂଝାରପୁର ବ୍ଲକ ଅଳକୁଣ୍ଡ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହାଜି ସେକ ଫରାଶୁଦ୍ଦିନ। ତାଙ୍କର ଜନ୍ମ ୧୯୨୨ ମସିହା ଜାନୁଆରି ୧୩ରେ ବୋଲି ସେ କୁହନ୍ତି। ବିବି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ନିଜ ଜେଜେଙ୍କ ସହିତ କୋଲକାତାସ୍ଥିତ ଅଲ୍ଲିପୁରକୁ ଚାଲିଯାଇଥିଲେ। ସେଠାରେ ସେ ହିନ୍ଦୀରେ ସ୍ନାତକ କରିବାସହ ହୋମିଓପ୍ୟାଥି କୋର୍ସ କରିଥିଲେ।

Advertisment

ଜିଲ୍ଲାର ବିଭିନ୍ନ ବ୍ଲକର ୧୦ ହଜାରରୁ ଊର୍ଦ୍ଧ୍ବ ପିଲାଙ୍କୁ ଟାଇପ୍‌ ଓ ସର୍ଟହ୍ୟାଣ୍ଡ ଶିଖାଇ ଶତାଧିକ ଯୁବକଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି। ୧୯୫୮ ରେ ସେ ଉତ୍ତଙ୍ଗରା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷକତା ଆରମ୍ଭ କରିଥିଲେ। ସେ ହିନ୍ଦୀରେ ୨୦ ରୁ ଅଧିକ କାହାଣୀ ରଚନା କରିଛନ୍ତି। ତାଙ୍କ ଦ୍ବାରା ଲିଖିତ କାହାଣୀ ‘ରେହେମତ, ଗୁରବତ, ଇନକ୍‌ଲାବ ଓ ସାଦଗୀ’ ଶୁଭ ମଙ୍ଗଳମ ନାମରେ ସିପିସି ଦୂରଦର୍ଶନ କେନ୍ଦ୍ର ଦିଲ୍ଲୀ ପ୍ରସାରଣ କରିଥିଲା। ଜମି ଦାନ କରି ଗ୍ରାମରେ ଏକ ସରକାରୀ ମଦ୍ରାସା ସ୍ଥାପନ ସହ ନିଜ ବାପା ଓ ମା’ଙ୍କ ନାମରେ ଜଶିମୁଦ୍ଦିନ ଯୋଲେଖା ପିପୁଲ ଡେଭଲପମେଣ୍ଟ ନାମରେ ଏକ ସଂଗଠନ କରି ସମାଜସେବା କରୁଥିଲେ। ଏବେ ଏହାକୁ ତାଙ୍କ ପୁଅ ସେକ ଖଇରୁଦ୍ଦିନ ଚଳାଉଛନ୍ତି। ନିଜ ଦୀର୍ଘଜୀବନର ରହସ୍ୟ ସଂପର୍କ​ରେ ସେ କହନ୍ତି ଯେ ପିଲାଦିନରୁ ଅଳ୍ପ ଖାଦ୍ୟ କିନ୍ତୁ ନିର୍ଦିଷ୍ଟ ସମୟରେ ଗ୍ରହଣ କରନ୍ତି। ସକାଳୁ ଚାଲୁଥିଲେ ଏବଂ ପ୍ରତିଦିନ ୧୦ କିଲୋମିଟର ସାଇକଲ ଚଳାଉଥିଲେ। ଏବେ ଶରୀରରେ ବଳ କମିଥିବାରୁ ଆଉ ବାହାରକୁ ଏକା ଯାଇ ପାରୁନାହାନ୍ତି କିନ୍ତୁ ନିଜ କାମ ନିଜେ କରିପାରୁଛନ୍ତି।