ବଲାଙ୍ଗୀର : ‘ ଲୋକଙ୍କୁ ସେବା କରିବା ହିଁ ମୋ ଧର୍ମ। ଛୋଟ ସମୟରୁ ହିଁ ଡାକ୍ତର ହେବାର ଇଚ୍ଛା ଥିଲା। ପାଠପଢ଼ାର ସେତେଟା ସୁବିଧା ନଥିଲେ ବି ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲି । ଡାକ୍ତର ହୋଇ ମାନବସେବା କରିଆସିଛି । ଆଜି ୯୫ ବର୍ଷ ବୟସରେ ବି ସେବା ଜାରି ରଖିଛି,’ ବୋଲି କହିଛନ୍ତି ବଲାଙ୍ଗୀର ରାଧାରାଣୀପଡ଼ା ନିବାସୀ ଡା.ସଦାଶିବ ପଟ୍ଟନାୟକ।
୧୯୨୮ ମସିହା ଫେବ୍ରୁଆରି ୧୯ରେ ଡା.ପଟ୍ଟନାୟକଙ୍କ ଜନ୍ମ। ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଡା. ପଟ୍ଟନାୟକ ବଲାଙ୍ଗୀର ପିଆର୍ ହାଇସ୍କୁଲରେ ପାଠ ପଢ଼ିଥିଲେ । ପରେ ରାଜେନ୍ଦ୍ର କଲେଜରେ ପାଠପଢ଼ି ହୋମିଓପାଥି ଚିକିତ୍ସା ଦିଗରେ କାମ କରିଥିଲେ। ଓଡ଼ିଶା ହୋମିଓପାଥି ବୋର୍ଡ ଗଠନ ହେବାପରେ ପ୍ରଥମ ବ୍ୟାଚରେ ନାମ ତାଙ୍କର ପଞ୍ଜୀକରଣ ହୋଇଥିଲା। ବର୍ତ୍ତମାନ ବି ଡା.ପଟ୍ଟନାୟକ ଘରେଥିବା କ୍ଲିନିକ୍ରେ ନିୟମିତ ରୋଗୀ ସେବା କରୁଛନ୍ତି। କରୋନା ସମୟରେ ବହୁ ଡାକ୍ତର ବି ତାଙ୍କ ପରାମର୍ଶ ନେଇ ହୋମିଓପାଥି ଔଷଧକୁ ଗୁରୁତ୍ବ ଦେଇଥିଲେ। ଡା. ପଟ୍ଟନାୟକ କହିଛନ୍ତି, ହୋମିଓପାଥି ଔଷଧ ଶରୀରକୁ କେବେ କ୍ଷତି ଦେଇନଥାଏ। ନିଜର ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ଡା. ପଟ୍ଟନାୟକ କୁହନ୍ତି, ସେ ପ୍ରତିଦିନ ସକାଳେ ଚୁଡା, ଦହି, ଫଳ ଖାଇଥା’ନ୍ତି। ଖାଦ୍ୟ ଖାଇବା ପାଇଁ ସେ ସମୟ ଉପରେ ଗୁରୁତ୍ୱ ଦେଇଥା’ନ୍ତି।
ପିଲାଦିନର ସ୍ମୃତିଚାରଣ କରି ଡା. ପଟ୍ଟନାୟକ କୁହନ୍ତି ଯେ, ପିଲାଦିନେ ସେ ନାଟକରେ ଅଭିନୟ କରିବାର ରୁଚି ରଖିଥିଲେ। କୋଣାର୍କ ନାଟକରେ ସେ କରିଥିବା ଅଭିନୟ ଏବେ ବି ତାଙ୍କର ମନେଅଛି। କଳାମଣ୍ଡଳ ମଞ୍ଚରେ ସେ ସମୟରେ ନାଟକ ହେଉଥିଲା।
ଡା.ପଟ୍ଟନାୟକଙ୍କ ୬ ଝିଅ ଓ ଗୋଟିଏ ପୁଅ। ‘ ସମୁଦାୟ ୧୪ ନାତିନାତୁଣୀ। ଏବେବି ନାତିନାତୁଣୀଙ୍କ ପାଖରେ ସମୟ ବିତାଇଲେ ନିଜ ଜୀବନର ଯୁବାବସ୍ଥା ଫେରି ଆସିଲା ପରି ମନେ ହୁଏ । ସମସ୍ତଙ୍କ ସହ ମିଶି କେବି ବି ନିଜକୁ ବୟସ୍କ ବୋଲି ଭାବେନି ବୋଲି,’ ବୋଲି କହିଛନ୍ତି ଡା. ପଟ୍ଟନାୟକ।
ବିଶ୍ବଜିତ୍ ଦାଶ