ଭୁବନେଶ୍ବର: ଏଣିକି ରାଜଧାନୀର ବାର୍ରେ ବାର୍ଗାର୍ଲ ନାଚିପାରିବେ ନାହିଁ। ଯେଉଁ ବାର୍ ମାଲିକ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ରାଜଧାନୀର ବାର୍ଗୁଡ଼ିକରେ ବାର୍ଗାର୍ଲଙ୍କୁ ନେଇ ବିଭିନ୍ନ ସମୟରେ ନିର୍ଯାତନା ଓ ଗଣ୍ଡଗୋଳ ପରେ ଅବକାରୀ ବିଭାଗର ଚେତାପଶିଛି। କିଛି ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି। ରାତି ତମାମ ଡିଜେ ବାଜୁଛି। ରାତିଅଧ ଯାଏ ବାର୍ ଖୋଲା ରହିବାରୁ ଗଣ୍ଡଗୋଳ ମଧ୍ୟ ଘଟୁଛି। ବାର୍ଗାର୍ଲଙ୍କୁ ନିର୍ଯାତନା ଦିଆଯିବା, ସେମାନଙ୍କୁ ଗ୍ରାହକଙ୍କ ସହିତ ରାତ୍ରିଯାପନ ପାଇଁ ବାଧ୍ୟ କରାଯିବା, ଏପରିକି କିଛି ବାର୍ଗାର୍ଲ ଆତ୍ମହତ୍ୟା କରିବା ଭଳି ଘଟଣା ମଧ୍ୟ ନିୟମିତ ଦେଖା ଯାଉଛି। ଏହାକୁ ନେଇ ସାଧାରଣରେ ଅନେକ ଅସନ୍ତୋଷ ଓ ଅଭିଯୋଗ ରହିଥିଲା। ବାରମ୍ବାର ଅଭିଯୋଗ ପରେ ଆଜି ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ୍ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲାର ସମସ୍ତ ଅବକାରୀ ଉପଅଧୀକ୍ଷକ, ଇନ୍ସପେକ୍ଟର ଓ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ରାସ୍ତାରୁ ହଟିବ ମଦ ଦୋକାନ ସାଇନ୍ବୋର୍ଡ
ମହିଳା ଡିଜେଙ୍କ ଉପରେ ଲାଗିପାରେ କଟକଣା
ସୋସିଆଲ୍ ମିଡିଆ ବିଜ୍ଞାପନର ହେବ ଯାଞ୍ଚ
ଚିନ୍ତାରେ ବାର୍ ଓ ପବ୍ ମାଲିକ
ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଲାଇସେନ୍ସପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର୍ ପରିସରରେ ନୃତ୍ୟ ପରିବେଷଣ କରିପାରିବେ ନାହିଁ। ଏପରିକି ଯେଉଁ ଲାଇସେନ୍ସପ୍ରାପ୍ତ ଠିପିଖୋଲା ବିଦେଶୀ ମଦ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନରେ ବାର୍ ଖୋଲିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଉଥିବା ମଦ ଦୋକାନ ସାଇନବୋର୍ଡ ରହିବ ନାହିଁ। ତୁରନ୍ତ ସେଠାରୁ ସାଇନ୍ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ବାର୍ ଓ ପବ୍ଗୁଡ଼ିକ ମହିଳାମାନଙ୍କୁ ନିୟୋଜିତ କରି ଗୀତ ବଜାଉଛନ୍ତି। ଯାହାର ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପ୍ରସାର କରାଯାଉଛି। ଏମିତିକି ବିଭିନ୍ନ ବ୍ରାଣ୍ଡର ମଦ୍ୟପାନ ଭିଡିଓକୁ ମଧ୍ୟ ସୋସିଆଲ୍ ମିଡିଆରେ ବିଜ୍ଞାପନ ଭାବେ ପ୍ରସାରଣ କରାଯାଉଛି। ଯାହାକି ବେଆଇନ।
ଯେଉଁମାନେ ଏଭଳି ବିଜ୍ଞାପନ କରୁଛନ୍ତି ସେ ସବୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମୟ ବ୍ୟବଧାନରେ ବାର୍ ଓ ପବ୍ଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଯଦି ସେଠାରେ କୌଣସି ଆପତ୍ତିଜନକ ଭିଡିଓ ମିଳେ ସମ୍ପୃକ୍ତ ବାର୍ ମାଲିକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଯେଉଁ ଦୋକାନ ବହୁଦିନ ଧରି ବନ୍ଦ ରହିଛି; ହେଲେ ବନ୍ଦ ଦୋକାନ ସମ୍ମୁଖରେ ସାଇନବୋର୍ଡ ରହିଛି ସେସବୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅବକାରୀ ଅଧୀକ୍ଷକ ତାଗିଦ କରିଛନ୍ତି। ଅବକାରୀ ବିଭାଗର ଏଭଳି କଠୋର ନୀତି ପରେ ଏବେ ବାର୍ ଓ ପବ୍ ମାଲିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଉଲ୍ଲେଖନୀୟ ଯେ ରାଜଧାନୀର ବାର୍ଗୁଡ଼ିକରେ ପଞ୍ଜାବ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରୁ ବାର୍ଗାର୍ଲ ଆସି କାମ କରୁଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଯୁବତୀ ଆସି ସେହି କାମରେ ନିୟୋଜିତ ଅଛନ୍ତି।