ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧କୋଟି ୨ଲକ୍ଷ ଜଣ ଆବେଦନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ମୋଟ୍ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଯାଇଛି। ଏଥିରୁ ଅଧିକାଂଶ ହିତାଧିକାରୀଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ନାମ ନଥିବାରୁ ସେମାନଙ୍କ ଆବେଦନ ଖାରଜ ହୋଇଯାଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜଣେ ମହିଳାଙ୍କର ରାସନ୍ କାର୍ଡରେ ନାମ ନଥିଲେ ବି ସେ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିବେ। ‘ସୁଭଦ୍ରା’ ହିତାଧିକାରୀ ଚୟନ ବେଳେ ରାସନ୍ କାର୍ଡରେ ନାମ ଥିବା ମାନଦଣ୍ଡକୁ ହଟାଇ ଦିଆଯାଇଛି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଅନ୍ତର୍ଗତ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏହାଦ୍ବାରା ୨.୬୭ଲକ୍ଷ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ନେଇ ବାଟ ଫିଟିଛି।
ଏହାସହ ‘ସୁଭଦ୍ରା’ ନିର୍ଦ୍ଦେଶାବଳୀରେ ଅନ୍ୟ ସଂଶୋଧନ ମଧ୍ୟ କରାଯାଇଛି। ‘ସୁଭଦ୍ରା’ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରିବାର ଏକ ମାଧ୍ୟମ ଭାବେ ସିବିଡିସିକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ‘ସୁଭଦ୍ରା’ ପାଇଁ ସ୍ବତନ୍ତ୍ର ଡେବିଟ୍ କାର୍ଡ ଦେବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ୮.୯.୨୦୨୪ରୁ ୧୩.୯.୨୦୨୪ ପର୍ଯ୍ୟନ୍ତ ଆଧାର ଇ-କେୱାଇସି ମଡ୍ୟୁଲରୁ ପୋର୍ଟାଲକୁ ଅଲଗା କରିବା ଏବଂ ଏହା ବଦଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ପିଏମ୍ କିଷାନ ପରି ଅନ୍ୟ ଡାଟାବେସ୍ ମାଧ୍ୟମରେ ଇ-କେୱାଇସି ଯାଞ୍ଚ କରାଯିବ। ବିଏଲ୍ଏସ୍ସି ଏବଂ ୟୁଏଲ୍ଏସ୍ସିରେ ବ୍ଲକ/ପୌରାଞ୍ଚଳସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କ ଦ୍ବାରା ଦୁଇ ଜଣ ମନୋନୀତ ସିଭିଲ ସୋସାଇଟି (ଅଣଆନୁଷ୍ଠାନିକ) ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ‘ସୁଭଦ୍ରା’ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି।
୨.୬୭ଲକ୍ଷ ଆବେଦନର ପୁନଃବିଚାର ହେବ
୬ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଏଥର ଧାନ କ୍ବିଣ୍ଟାଲ ୩୧୦୦ଟଙ୍କାରେ କିଣିବେ ସରକାର
ଆଜି ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମଳିନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ, ଅର୍ଥ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ, ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ, ଏହିପରି ମୋଟ୍ ୬ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ରେ ଆଜି ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିକୁ ଅନୁମୋଦନ ମିଳିଛି। ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ରେ ଶେଷ ହେବ। ଏହି ବର୍ଷରେ ୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯିବ। ଧାନ ହିସାବରେ ଏହା ପ୍ରାୟ ୮୦ଲକ୍ଷ ମେଟ୍ରିକ ଟନ୍ ହେବ। ଖରିଫରେ ୬୬ଲକ୍ଷ ଏବଂ ରବିରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହେବ। ଏହାଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କିଣିବେ। ନଭେମ୍ବର, ୨୦୨୪ରୁ ମାର୍ଚ୍ଚ, ୨୦୨୫ ମଧ୍ୟରେ ଖରିଫ ଧାନ ସଂଗ୍ରହ ହେବ। ରବି ଧାନ ମେ’, ୨୦୨୫ରୁ ଜୁନ୍ ୨୦୨୫ ମଧ୍ୟରେ ସଂଗ୍ରହ ହେବ। ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ଟଙ୍କା ପଠାଯିବ।
ସେହିପରି କ୍ୟାବିନେଟ୍ ଆଜି ‘ସମୃଦ୍ଧ କୃଷକ ଯୋଜନା’କୁ ଅନୁମୋଦନ କରିଛି। ଏଥିରେ ଧାନ ଏମ୍ଏସ୍ପିର ପ୍ରଚଳିତ ମୂଲ୍ୟ ୨୩୦୦ଟଙ୍କା ଓ ୨୩୨୦ ଟଙ୍କା ସହ ଇନପୁଟ୍ ସହାୟତା ପ୍ରଦାନ କରି କ୍ବିଣ୍ଟାଲ ପିଛା ମୋଟ୍ ୩୧୦୦ଟଙ୍କାରେ ଧାନ କିଣିବାକୁ ନିଷ୍ପତ୍ତି ହୋଇଛି। ଧାନ ମଞ୍ଜି ଉତ୍ପାଦନ ନିମନ୍ତେ ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା ଅଧୀନରେ ପଞ୍ଜୀକୃତ ହୋଇ, ରାଜ୍ୟ ବିହନ ନିଗମ ଲିମିଟେଡ ମାଧ୍ୟମରେ ପ୍ରାମାଣିକ ଧାନ ମଞ୍ଜି ବିକ୍ରୟ କରୁଥିବା ସମସ୍ତ ବିହନ ଉତ୍ପାଦକମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଦ୍ରବ୍ୟ ଓ ସେବା କର ପରିଷଦର ସୁପାରିସକ୍ରମେ କରଦାତାମାନଙ୍କର ଅଧିକ ସୁବିଧା ଲାଗି ରାଜ୍ୟ ସରକାର ‘ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ,୨୦୧୭’କୁ ଅଧିକ ସଂଶୋଧନ କରିଛନ୍ତି। ଏବେ ବିଧାନସଭା ଅଧିବେଶନ ଚାଲୁନଥିବାରୁ ରାଜ୍ୟ ସରକାର ଏନେଇ ଅଧ୍ୟାଦେଶ ଜାରି କରି ଏହାକୁ ଅଧିନିୟମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାବାଦ୍ ଆରକ୍ଷୀ (ପ୍ରଶିକ୍ଷଣ)ର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଗତ ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)