ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ସର୍ବମୟ କର୍ତ୍ତା। ସମସ୍ତ ସଂସ୍କୃତି, ପ୍ରଥା, ପରମ୍ପରା ତାଙ୍କ ଶରୀରରେ ସମାହିତ। ଯଦି ତାଙ୍କର କୌଣସି ନୀତିକ୍ରାନ୍ତି ଅଥବା ପରମ୍ପରାରେ ସଂସ୍କାର ଅଣାଯାଉଛି, ସେଥିରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ଯେପରି କୌଣସି କ୍ଷୁଣ୍ଣ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ମଠ ସଂସ୍କୃତି ହେଉଛି ଜଗନ୍ନାଥ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ତେଣୁ ଏହାର ସୁରକ୍ଷା ଜରୁରି ବୋଲି ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ର ଉଦଘାଟନୀ ଉତ୍ସବରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।
ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ
ବିଶିଷ୍ଟ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ସଂସ୍କୃତି ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ଦାଶ ଫାଉଣ୍ଡେସନ୍ ଆମେରିକା ତଥା କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଶୀତକଣ୍ଠ ଦାଶ ଯୋଗଦେଇ ଭାରତ ବାହାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ଚେଷ୍ଟିତ ବୋଲି କହିଥିଲେ। ଜଗନ୍ନାଥଙ୍କୁ ଯେ କୌଣସି ସ୍ଥାନରେ ସ୍ଥାପନ କରିବାକୁ ହେଲେ ପ୍ରଥମେ ତାଙ୍କ ନୀତି ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ସଚ୍ଚିଦାନନ୍ଦ ଦାସ ବାବାଜୀ ସଭାପତିତ୍ୱ କରି ମହାପ୍ରଭୁଙ୍କୁ ପ୍ରଚାର ପ୍ରସାର କରିବାର କୌଣସି ଆବଶ୍ୟକତା ହିଁ ନାହିଁ, ତାଙ୍କ ସ୍ୱରୁପ ଏଭଳି ଜଣେ ଚିରକାଳ ମନେ ରଖିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରକାଶନର ସଚିବ ତଥା ପୌରୁଷ ସମ୍ପାଦକ ଅସିତ ମହାନ୍ତି କହିଥିଲେ, ପ୍ରଭୁ ଖଣ୍ଡିଆ ମୂର୍ତ୍ତି ନୁହନ୍ତି, ସେ ପୂର୍ଣ୍ଣାବୟବ ମୂର୍ତ୍ତି ଏବଂ ଏହା ହିଁ ଆମର ଅସ୍ମିତା ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୪’ ଲୋକାର୍ପିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ମହାସଚିବ ନରେଶ ଚନ୍ଦ୍ର ଦାଶ, କାର୍ଯ୍ୟକାରୀ ସଭାପତି ମହନ୍ତ ମହାରାଜ ଶ୍ରୀରାମକୃଷ୍ଣ ଦାସ, ମହୋତ୍ସବ କମିଟିର ଅଧ୍ୟକ୍ଷ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଗଠନ ସଚିବ କରୁଣାକର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଚିବ ସନ୍ତୋଷ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/07/DwNB17FWXd1BAyAvchFy.jpg)