ରାଉରକେଲା : ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଗାଁକୁ ସଂଯୋଗ ପାଇଁ ରାସ୍ତା, ବ୍ରିଜ୍ ନିର୍ମାଣ ସହ ସ୍କୁଲ କଳେଜର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ, ପାଚେରି, ନୂତନ ସ୍କୁଲ କୋଠା ଆଦି ପାଇଁ ଅନୁଦାନ ଦେଉଛନ୍ତି। ତେବେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଅବହେଳା ଯୋଗୁଁ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେଉନି। ଜିଲ୍ଲାରେ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍ଡବ୍ଲ୍ୟୁ ଡିଭିଜନ) ଅଧିନରେ ଗତ ୫ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ୨୧୩.୮୩ କୋଟିର ୭୦ ରାସ୍ତା, ବ୍ରିଜ୍ ପ୍ରକଳ୍ପ ଶେଷ ହୋଇପାରିନଥିଲା। ସ୍କୁଲ କୋଠାବାଡ଼ି, ଶ୍ରେଣୀ ଗୃହ, ପାଚେରି ଆଦି ନିର୍ମାଣରେ ମଧ୍ୟ ସମାନ କଚ୍ଛପ ଗତି ଦେଖିବାକୁ ମିଳିଥିଲା। ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନରେ ଗତ ୮ ବର୍ଷ ଭିତରେ ମୋଟ ୩୬ କୋଟି ୪୯ ଲକ୍ଷ ୪୨ ହଜାର ଟଙ୍କା ମୂଲ୍ୟର ୨୫ଟି ପ୍ରକଳ୍ପ ଅବଧିରେ ଶେଷ ହୋଇପାରିନଥିଲା। ଧାର୍ଯ୍ୟ ସମୟରେ ପ୍ରକଳ୍ପ ସଂପନ୍ନ ହେଉନଥିବାରୁ ହିତାଧିକାରୀ ହିଁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଗତ ଦିନରେ ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆର୍ଡବ୍ଲ୍ୟୁ ଡିଭିଜନ ପକ୍ଷରୁ ଏକାଧିକ ଏଭଳି ପ୍ରକଳ୍ପ ହାତକୁ ନିଆଯାଇଥିଲା। ତେବେ ରାଉରକେଲା ଆର୍ଡବ୍ଲ୍ୟୁ ଡିଭିଜନ ଅଧୀନସ୍ଥ ପ୍ରକଳ୍ପଗୁଡ଼ିକରେ ଢ଼େର୍ ବିଳମ୍ବ ହେଉଥିବା ଦେଖିବାକୁ ମିଳିଥିଲା। ୨୦୧୪-୧୫ରୁ ୨୦୨୨-୨୩ ବର୍ଷ ଭିତରେ ରାଉରକେଲା ବିଭାଜନରେ ମୋଟ୍ ୨୨ଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିନଥିଲା। ଏସବୁ ପ୍ରକଳ୍ପର ମୂଲ୍ୟ ୨୯ କୋଟି ୫୦ ଲକ୍ଷ ଟଙ୍କା ହେବ। କେଉଁଠି ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭ ହେବାରେ ବିଳମ୍ବ ହୋଇଥିବାବେଳେ କେଉଁଠି ଜଙ୍ଗଲ ଜମି ସମସ୍ୟା ଯୋଗୁଁ ପ୍ରକଳ୍ପ ଆଗଇେ ପାରିନଥିଲା। ଉଦାହରଣ ସ୍ବରୂପ ଗୁରୁଣ୍ଡିଆରେ ମଡେଲ ସ୍କୁଲ ବିଲ୍ଡିଂ ନିର୍ମାଣରେ ଅଯଥା ବିଳମ୍ବକୁ ନିଆଯାଇପାରେ।
ଅବଧିରେ ଶେଷ ହୋଇପାରିନି ୨୫ ପ୍ରକଳ୍ପ
ହିତାଧିକାରୀ ସେବା ପାଇବାରୁ ବଞ୍ଚିତ
ଏହି ପ୍ରକଳ୍ପ ପାଇଁ ଗତ ୨୦୧୪-୧୫ ମସିହାରେ ମୋଟ୍ ୩ କୋଟି ୬୨ ଲକ୍ଷ ୯୨ ହଜାର ଟଙ୍କା ଅନୁମୋଦନ ହୋଇଥିଲା। ଟେଣ୍ଡର ଅନୁଯାୟୀ, ଏହି ପ୍ରକଳ୍ପ ୨୦୧୫ ଜୁଲାଇ ୭ ତାରିଖରୁ ଆରମ୍ଭ ହୋଇ ବର୍ଷ ଭିତରେ ଶେଷ ହେବା କଥା। କିନ୍ତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାୟ ବର୍ଷ ବିଳମ୍ବ, ଅର୍ଥାତ୍ ୨୦୨୦ ଡିସେମ୍ବର ୧୮ ତାରିଖରେ ଶେଷ ହୋଇଥିଲା। ଜମି ସମସ୍ୟା ପାଇଁ ଏଭଳି ଅବସ୍ଥା ପରିଲକ୍ଷିତ ହୋଇଥିଲା। ସମାନ ଜମି ସମସ୍ୟା କାରଣରୁ ନୂଆଗାଁ ବ୍ଲକ ଅନ୍ତର୍ଗତ ଝରିଟୋଲିରେ ନିର୍ମାଣାଧୀନ ଶହେ ସିଟ୍ ବିଶିଷ୍ଟ ଛାତ୍ରୀନିବାସରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ୍ ୨ କୋଟି ୨୫ ଲକ୍ଷ ୬୨ ହଜାର ଟଙ୍କା ଅନୁମୋଦିତ ହୋଇଥିଲା।
ଏହା ୨୦୧୫ ଫେବ୍ରୁଆରିରୁ ଆରମ୍ଭ ହୋଇ ୨୦୧୭ ଫେବ୍ରୁଆରି ପହିଲାରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ଦୁଇ ବର୍ଷ ବିଳମ୍ବ, ଅର୍ଥାତ୍ ୨୦୧୯ରେ ସଂପନ୍ନ ହୋଇଥିଲା। ଉପରୋକ୍ତ ଉଭୟ ପ୍ରକଳ୍ପରେ ଜମି ସମସ୍ୟା ଯୋଗୁଁ ପ୍ରକଳ୍ପ ନିର୍ମାଣରେ ମନ୍ଥରତା ଆସିଥିବା ବିଭାଗୀୟ କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ହିତାଧିକାରୀଙ୍କ ସ୍ବାର୍ଥକୁ ଦୃଷ୍ଟି ଦିଆନଯିବା, ନିୟମାନୁଯାୟୀ କ୍ଷତିପୂରଣ ଅର୍ଥ ପ୍ରଦାନ ନ ହେବା ଆଦି ବିଭିନ୍ନ କାରଣରୁ ଜମି ସମସ୍ୟାର ସମାଧାନ କରିବାରେ ବିଳମ୍ବ ଘଟିଥିଲା। ଯଥାଶୀଘ୍ର ଜମି ସମସ୍ୟାର ସମାଧାନ ହୋଇଥିଲେ, ହୁଏତ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସରିଥାନ୍ତା ଓ ହିତାଧିକାରୀ ଲାଭବାନ ହୋଇଥାନ୍ତେ।
ସୁନ୍ଦରଗଡ଼ ଡିଭିଜନରେ ଏହି ସମସ୍ୟା କିନ୍ତୁ ଏତେ ନୈରାଶ୍ୟଜନକ ନୁହେଁ; କିନ୍ତୁ ସନ୍ତୋଷଜନକ ବି କୁକହାଯାଇନପାରେ। ଏହି ଡିଭିଜନ ପକ୍ଷରୁ ନିର୍ମାଣ କରାଯାଇଥିବା ୬ କୋଟି ୯୮ ଲକ୍ଷ ୬୮ ହଜାର ୮୮୬ ଟଙ୍କାର ତିନିଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇନି। କୁତ୍ରା ଆଇଟିଆଇରେ ଶହେ ଅନ୍ତେବାସୀ ବିଶିଷ୍ଟ ବାଳକ ଛାତ୍ରାବାସ ନିର୍ମାଣ ପାଇଁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରୁ ୨.୭୩ କୋଟି ଅନୁଦାନ ଆସିଥିଲା। ଲକ୍ଷ୍ୟଥିଲା ୨୦୧୮ ନଭେମ୍ବରରୁ କାର୍ଯ୍ୟାରମ୍ଭକରି ୨୦୨୦ ମେ’ ଶେଷ ସୁଦ୍ଧା ସଂପନ୍ନ କରିବା; କିନ୍ତୁ ଏହା ସମ୍ଭବ ହୋଇନଥିଲା। ଜ୍ଞାନପାଲିଠାରୁ ଡିଏମ୍ଏଫ୍ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ୩.୪୨ କୋଟି ଅନୁମୋଦିତ ହୋଇଥିଲା। ଏହା ୨୦୧୮ ଡିସେମ୍ବର ପହିଲାରୁ ୨୦୧୯ ଅକ୍ଟୋବର ଭିତରେ ଶେଷ ହେବାକଥା। କିନ୍ତୁ ଏବେ ସୁଦ୍ଧା ପ୍ରକଳ୍ପ ଶେଷ ହୋଇନଥିବାବେଳେ ଆସନ୍ତା ଜୁନ ଭିତରେ ସଂପନ୍ନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେମଗିରରେ ଅବକାରୀ କାର୍ଯ୍ୟାଳୟର ବିଲ୍ଡିଂ ଓ ପାଚେରି ନିର୍ମାଣ ପାଇଁ ୨୦୨୧ ମସିହାରେ ୮୩.୫୪ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। ଏହା ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ପହିଲାରେ ଶେଷ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। କିନ୍ତୁ ଏହା୨୦୨୩ ଫେବ୍ରୁଆରି ସୁଦ୍ଧା ଶେଷ ନ ହେବାରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ନିର୍ମାଣକାର୍ଯ୍ୟ ସାରିବାକୁ ପୁନଃ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କେବଳ ଜମି ସମସ୍ୟା ପାଇଁ ହିଁ ଏହି ତିନି ପ୍ରକଳ୍ପର ଭାଗ୍ୟ ଫିଟିପାରିନଥିଲା।