ଭଞ୍ଜନଗର : ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତ ସଂର୍ଘଷରେ ପରିପୂର୍ଣ୍ଣ। ଏଥିପାଇଁ ମଣିଷକୁ ସହିବାକୁ ପଡ଼େ ଅନେକ ଦୁଃଖକଷ୍ଟ। ତଥାପି ଛାତି ତଳେ ସମସ୍ତ ଦୁଃଖକୁ ଚାପି ସମାଜରେ ବଞ୍ଚିବା ପାଇଁ ସଂର୍ଘଷ ଜାରି ରହିଥାଏ। କର୍ମବ୍ୟସ୍ତତା ଜୀବନ ବିତାଇବା ସହ ବୟସର ଶେଷ ସମୟରେ ଟିକେ ଆରାମରେ ବିତାଇବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ ସମାଜରେ ଏଭଳି କିଛି ମଣିଷ ଅଛନ୍ତି ଯେଉଁ ମାନଙ୍କ ପାଇଁ ଆରାମ ଶଦ୍ଦ ବୋଲି କିଛି ନଥାଏ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଦୁଃଖ କଷ୍ଟକୁ ମନ ଭିତରେ ଚାପି ରଖି ସେମାନେ ସଂର୍ଘଷ ଜାରି ରଖିଥାନ୍ତି। ଏଭଳି ଜଣେ ମଣିଷ ହେଉଛନ୍ତି ଦେବ ନାୟକ। ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ଗ୍ରାମରେ ନିଜ ଘର ହୋଇଥିବା ବେଳେ ଭଞ୍ଜନଗର ସହରକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି ସେ। ଆଉ ୭୮ ବର୍ଷ ବୟସରେ ବି ନିଜ ପାଇଁ ଦୁଇ ଓଳା ଖାଇବା ଯୋଗାଡ଼ କରିବାକୁ ସାଇକେଲ ଧରି ବିଭିନ୍ନ ଅଞ୍ଚଳ ବୁଲି ପରିବା ବିକ୍ରି କରି ସମାଜ ପାଇଁ ପାଲଟି ଯାଇଛନ୍ତି ଉଦାହରଣ।
ଭଞ୍ଜନଗର ସହରରେ ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସାହି ଗଳି କନ୍ଦି ପରିବା ବିକ୍ରି କରୁଛନ୍ତି। ଏଥିସହ ମଝିରେ ନଡିଆ କଦଳୀ ସହ ପୂଜାରେ ଆବଶ୍ୟକ ହେଉଥିବା ଜିନିଷ ଗାଁରୁ ଆଣି ମଧ୍ୟ ବିକ୍ରି କରିଥାନ୍ତି। ପରିଣତ ବୟସରେ ଏତେ ପରିଶ୍ରମ କାହିଁକି ବୋଲି ପଚାରିଲେ କୁହନ୍ତି 'ସବୁକିଛି ପେଟ ପାଇଁ ବାବୁ'। ଦେବଙ୍କ ଜୀବନ ସାରା ସଂର୍ଘଷମୟ ରହିଥିବା ବେଳେ ତାଙ୍କର ଗୋଟିଏ ଝିଅକୁ ବହୁ କଷ୍ଟରେ ବିବାହ ଦେଇଛନ୍ତି। ଝିଅକୁ ଜଗନ୍ନାଥପ୍ରସାଦ ବ୍ଲକ୍ରେ ବିବାହ ଦେଇଥିବା କହିବା ସମୟରେ ତାଙ୍କ ମୁହଁରେ ସନ୍ତୋଷ ଭାବ ଫୁଟି ଉଠେ। ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ଇନ୍ଦିରା ଆବସ ମିଳିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁଛି। ଜୀବନର ଶେଷ ସମୟର ସାଥି ପାଲଟିଥିବା ସ୍ତ୍ରୀ ସାଇବାଣୀ ପ୍ରାୟ ୩ ବର୍ଷ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଛାଡ଼ି ଚାଲିଗଲା ସେବେଠାରୁ ଏକା ରହୁଥିବା କହିଛନ୍ତି ଦେବ।
ସହରରେ ମଟର ସାଇକେଲ ଓ ଦାମୀ କାରରେ ବଜାରକୁ ସଉଦା ପାଇଁ ଆସୁଥିବା ଲୋକଙ୍କ ଭିଡ଼ ଆଢୁଆଳରେ ରହିଯାଆନ୍ତି ସେ। ଶରୀରରେ ବାର୍ଦ୍ଧକ୍ୟ ସଂପୂର୍ଣ୍ଣ ସ୍ପଷ୍ଟ ବାରି ହୋଇପଡୁଥିବା ବେଳେ ସବୁ ଚୁଟି ପାଚି ଗଲାଣି। ତଥାପି ଟାଣ ଖରା ହେଉ କି, ବର୍ଷା ଅବା ହାଡ଼ଭଙ୍ଗା ଶୀତ ସବୁ ପ୍ରତିକୂଳ ପାଗ ସବୁ ଏହି ବୃଦ୍ଧଙ୍କ ଆଗରେ ହାର ମାନନ୍ତି। ନିୟମିତ ସଉଦା ନେଇ ଛୁଟି ଆସନ୍ତି ଭଞ୍ଜନଗରକୁ। ଆଉ ସକାଳ ହେବା ମାତ୍ରେ ସହରର ଏଲ୍ଆଇସି କଲୋନି ଛକ ନିକଟରେ ସାଇକେଲ ଠିଆ କରି କିଛି ସମୟ ଆଣିଥିବା ପରିବା ବିକ୍ରି କରନ୍ତି। ଦିନ ୧୧ ଟା ସୁଦ୍ଧା ବେପାର ନହେଲେ ସାଇକଲ ଧରି ବାହାରି ପଡ଼ନ୍ତି ସାହି ଗଳିକନ୍ଦିକୁ କମ୍ ଲାଭରେ ମଧ୍ୟ ତାକୁ ବିକ୍ରି କରି ମଧ୍ୟାହ୍ନ ସୁଦ୍ଧା ଘରକୁ ଫେରିଯାଆନ୍ତି। ପ୍ରତିଦିନ ଚାଷୀଙ୍କ ଠାରୁ ପରିବା ନେଇ ଆସୁଥିବା ବେଳେ ଯାହା ରୋଜଗାର ହୁଏ ସେଥରୁ ଘରକୁ ଫେରିବା ପୂର୍ବରୁ ନେଇଥିବା ପରିବା ଟଙ୍କା ଚାଷୀକୁ ଦେଇ ଦେଉଥିବା ପ୍ରକାଶ କରିଛନ୍ତି। ଘରକୁ ଫେରିବା ବିଳମ୍ବ ହେଲେ ଆହର କେନ୍ଦ୍ର କିମ୍ବା ହୋଟେଲରେ ଦିନ ବେଳା କିଛି ଖାଇଦିଅନ୍ତି। ଆଉ ସନ୍ଧ୍ୟାରେ ନିଜେ ରୋଷେଇ ପ୍ରସ୍ତୁତ କରନ୍ତି। ନିଜ ପେଟ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଏପରି ସଂଗ୍ରାମ ଜାରି ରହିବ ବୋଲି କହନ୍ତି ଦେବ। ବୟସର ସାୟାହ୍ନରେ ମଧ୍ୟ ଜୀବନ ସଂଗ୍ରାମରେ ଏକା ପାଲଟିଥିବା ଦେବଙ୍କ ଦମ୍ଭ ଓ ଧର୍ଯ୍ୟ ରହିଥିବା ତାଙ୍କ ଠାରୁ ପ୍ରତିଦିନ ସଉଦା ନେଉଥିବା ଆଇନଜୀବୀ ସନ୍ତୋଷ ପାଳ କହିଛନ୍ତି।