ଜଳେଶ୍ୱର: ଟ୍ରକ୍‌ ଚାପାରେ ୬ ବର୍ଷର କୁନିଝିଅ ଆଗରେ ବାପା ଛଟପଟ ହୋଇ ଆଖି ବୁଜିଥିବା ବେଳେ ଠାକୁରଙ୍କ କୃପାରୁ ଝିଅଟି ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌରାଞ୍ଚଳ ପଞ୍ଚୁଘଣ୍ଟାର ହେମନ୍ତ ସିଂ (୩୩)ଙ୍କ ପତ୍ନୀ ବନିତା ଓ ବଡ଼ଝିଅ ସ୍ୱାଗତିକା ଗତକାଲି ଚନ୍ଦନେଶ୍ୱର ମନ୍ଦିରରେ ଜଳାଭିଷେକ ପାଇଁ ଯାଇଥିଲେ। ଘରେ ହେମନ୍ତଙ୍କ ସହ ୬ ବର୍ଷର ଝିଅ ମଇନା ଥିଲେ। ମାଆ ପାଖକୁ ଯିବା ପାଇଁ ମଇନା ଅଝଟ କରିବାରୁ ହେମନ୍ତ ରାତି ସାଢ଼େ ୧୧ଟା ବେଳେ ଝିଅକୁ ସାଇକେଲ୍‌ରେ ବସାଇ ଚନ୍ଦନେଶ୍ୱର ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ଜଳେଶ୍ବର ଆମ୍ବଳିଅଠା ନିକଟରେ ଥିବା ଏକ ହମ୍ପ୍‌ସରେ ବାପଝିଅ ପଡ଼ି ଯାଇଥିଲେ। ମଇନା ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ହେମନ୍ତ ରାସ୍ତା ଉପରେ ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ହେମନ୍ତଙ୍କର ମୃତ୍ୟୁ ଘଟିଥିଲା। ପାଟ୍ରୋଲିଂ କରୁଥିବା ଜଳେଶ୍ବର ଥାନାର କିଛି ପୁଲିସ କର୍ମଚାରୀ ମଇନାଙ୍କ କାନ୍ଦ ଶୁଣି ସେଠାରେ ପହଞ୍ଚିବା ସହ ଝିଅଟିକୁ ଉଦ୍ଧାର କରିଥିଲେ। ଏ ନେଇ ଜଳେଶ୍ବର ଥାନାରେ ୩୯୨/୨୩ରେ ଏକ ମାମଲା ରୁଜୁ ହୋଇଛି।