ବନ୍ତଳା (ପ୍ରଭାତ କୁମାର ବେହେରା) : ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସାହ। କିଏ ବାଣ କିଣେ, କିଏ ଦୀପ କିଣେ। ପୁଣି କିଏ ଲିଚୁ ଓ ରଙ୍ଗିନ ଲାଇଟ୍‌ରେ ଘର ସଜାଏ। ହେଲେ ଖଣି, ଖାଦାନ ଓ କାରଖାନା ଭରା ଅନୁଗୁଳ ଜିଲ୍ଲାରେ ରହିଛି ଏମିତି ଏକ ଗାଁ, ଯାହାର ବାସିନ୍ଦା ଦୀପାବଳି କ’ଣ ଜାଣନ୍ତି ନାହିଁ। ଅନୁଗୁଳ ବ୍ଲକ୍‌ ବନ୍ତଳା ଅଞ୍ଚଳରେ ରହିଛି ଏହି ଗାଁ। ଆଜି ପର୍ଯ୍ୟନ୍ତ ଏହି ଗାଁରେ ଦୀପାବଳି ପାଳନ ହୋଇ ନଥିବା ବେଳେ କେବେ ବାଣ ଫୁଟାଇବାର ସୁଯୋଗ ପାଇନାହାନ୍ତି ଗାଁ ଲୋକ। ପେଟ ପୋଷିବାକୁ ପ୍ରତିଦିନ କରିବାକୁ ହୁଏ ସଂଘର୍ଷ। ଏହି ସଂଘର୍ଷ ଭିତରେ ଦିନ କାଟୁଥିବା ନନ୍ଦପୁର ପଞ୍ଚାୟତ କୁସୁମପାଟ ନିକଟରେ ଥିବା ମହ୍ଲାରସାହିବାସୀଙ୍କ ପାଇଁ ଆଲୋକର ପର୍ବ ଦୀପାବଳିର ମାନେ କିଛି ନାହିଁ। ଡିବିରି ଜଳିଲେ ସେମାନଙ୍କ ଅନ୍ଧାର ଦୂର ହୁଏ ବୋଲି କୁହନ୍ତି ସାହିବାସୀ।

Advertisment

ଅନୁଗୁଳ ସହରଠୁଁ ଦୂର ଏକ ବଣପାହାଡ଼ ଘେରା ଅଞ୍ଚଳରେ ରହିଛି ଏହି ମହ୍ଲାରସାହି। ଏଠାରେ ପାଖାପାଖି ୨୦ ପରିବାର ବସବାସ କରନ୍ତି। ମୂଲମଜୁରୀ ଲାଗିଲେ ସେମାନଙ୍କ ଘର ଚଳେ। ମହ୍ଲାର ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ ମହୁ ସଂଗ୍ରହ କରି ବିକିଲେ ପେଟ ପୋଷନ୍ତି। ଅଭାବଅନଟନ ଭିତରେ ଜୀବନ ଜିଉଁଥିବା ଏ ଲୋକେ ସରକାରୀ ଯୋଜନା କ’ଣ ଜାଣନ୍ତିନି। କେହି କେବେ ଏମାନଙ୍କ ପାଖରେ ସରକାରୀ ସୁବିଧା ନେଇ ପହଞ୍ଚି ନାହାନ୍ତି। ନା ଅଛି ଭଲ ରାସ୍ତା, ନା ପିଇବା ପାଣି ନା ବିଜୁଳି ଆଲୁଅ। ସ୍ବାଧୀନତାର ସାତ ଦଶନ୍ଧି ପରେ ଏଠିକାର ଲୋକେ ଆଜି ବି ଡିବିରି ଆଲୁଅ ଉପରେ ନିର୍ଭର କରନ୍ତି। ନିଇତି ଜୀବନ ଯୁଦ୍ଧରେ ଜିଇଁବାକୁ ସଂଘର୍ଷ କରୁଥିବା ଏହି ମହ୍ଲାରମାନେ ଆଜିପର୍ଯ୍ୟନ୍ତ କେବେ ଦୀପାବଳି ପାଳି ନାହାନ୍ତି।

ଏମାନଙ୍କ ପାଇଁ ତ ଆଲୁଅ କହିଲେ ଜହ୍ନର ଜୋଛନା ଆଉ ଡିବିରି ବତି। ପରଘରେ ପାଇଟି କଲେ କି ମୂଲମଜୁରୀ ଲାଗିଲେ ଯେତିକି ରୋଜଗାର ହୁଏ ସେତିକିରେ ଓଳି‌ଏ ଖାଇଲେ ଆର ଓଳିକୁ ପେଟରେ ଓଦାକନା ପଡ଼େ। ଗଁା ପିଲାଏ ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି। ପେଟ ପୋଷିବାକୁ ପଇସା ନାହିଁ। ଆଉ ଦୀପ, ବାଣ କିଏ କିଣୁଛି ବୋଲି କିଛି ମହିଳା କହିଛନ୍ତି। କହିବା ବାହୁଲ୍ୟ, ଦୀପାବଳିକୁ ନେଇ ଆମ ସମାଜରେ କେତେ ବିତର୍କ ହେଉଛି। ପରିବେଶ ପ୍ରଦୂଷଣ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବି ଚିନ୍ତା ପ୍ରକଟ କରୁଛନ୍ତି। ସରକାର ଦୀପାବଳି ପାଳିବାକୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରୁଛନ୍ତି। କୋଟିକୋଟି ଟଙ୍କାର ଦୀପ, ବାଣ, ଲାଇଟ୍‌ ବିକ୍ରି ହେଉଛି। ହେଲେ ଏହି ସମାଜରେ ମହ୍ଲାରସାହି ଭଳି ଗାଁ ବି ରହିଛି ଯେଉଁମାନଙ୍କ ପାଇଁ ଦୀପାବଳି ପାଳିବା ସ୍ବପ୍ନରେ ରହିଯାଇଛି।