ଜଘନ୍ୟ ଅପରାଧୀଙ୍କୁ ବି ଅକାଳ ମୁକ୍ତି ମିଳିବ: ୧୪ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ ମୁକ୍ତି ପାଇଁ ବିଚାରଯୋଗ୍ୟ ହେବେ

ନୃଶଂସ ଅପରାଧୀଙ୍କ କ୍ଷେତ୍ରରେ ୨୫ବର୍ଷ କାରାଦଣ୍ଡ ପରେ ବିଚାର କରିବାକୁ ସୁପାରିସ, ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ

ଭୁବନେଶ୍ବର: ଏବେ କେବଳ ହତ୍ୟା ଅପରାଧରେ ଆଜୀବନ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ‌୧୪ବର୍ଷ ପରେ ଜେଲ୍‌ରୁ ମୁକୁଳିବାର ସୁଯୋଗ ମିଳୁଥିଲା। ହେଲେ ଏବେ ଧର୍ଷଣ ଓ ହତ୍ୟା ଭଳି ଅପରାଧ କରି ଆଜୀବନ ଦଣ୍ଡ ଭୋଗୁଥିବା ଜଘନ୍ୟ ଅପରାଧୀଙ୍କୁ ବି ମରିବା ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ‌ପଡ଼ିବନି। କାରାଦଣ୍ଡ ଭୋଗିବାର ୧୪ବର୍ଷ ପରେ ସେମାନଙ୍କୁ ବର୍ଷରେ ଜେଲ୍‌ରୁ ମୁକୁଳିବାର ସୁଯୋଗ ମିଳିବ। ଏନେଇ ଆଇନ ବିଭାଗ ପକ୍ଷରୁ ଅକାଳ ମୁକ୍ତି-୨୦୨୨ ନିୟମାବଳୀ ଜାରି କରିଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡ ପ୍ରତି ତିନି ମାସରେ ଥରେ ବସିବା ସହ ଅପରାଧୀଙ୍କ ରେକର୍ଡ ସମୀକ୍ଷା କରି ଦଣ୍ଡ କୋହଳ ପାଇଁ ସୁପାରିସ କରିବାକୁ କୁହାଯାଇଛି।

ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆଜୀବନ କାରାଦଣ୍ଡ, ୧୪ବର୍ଷରୁ ଅଧିକ କାରାଦଣ୍ଡ ଭୋଗୁଥିବା ଅପରାଧୀଙ୍କ ଦଣ୍ଡ କୋହଳ କରିବାକୁ ନିୟମ ହୋଇଛି। ବିଶେଷକରି ଯେଉଁମାନଙ୍କୁ ମୃତ୍ୟୁ ଦଣ୍ଡ ହୋଇନି ସେମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ନରଖି ମୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ଆଇପିସିର ଧାରା ୪୩୩ ଏ ଅନ୍ତର୍ଗତ ଅପରାଧୀମାନେ ଅକାଳ ମୁକ୍ତି ପାଇଁ ଯୋଗ୍ୟ ‌େହବେ। ଯେଉଁମାନେ ଅାଇପିସିର ଧାରା ୩୭୬ ଏ, ୩୭୬ଏବି, ୩୭୬ଡିଏ ଏବଂ ୩୭୬ଡିବି ଅନୁଯାୟୀ କାରାଦଣ୍ଡ ଭୋଗୁଥିବେ ସେମାନେ ମୁକ୍ତି ପାଇପାରିବେ। ଡକାୟତି ସହ ହତ୍ୟା, ନାଗରିକ ଅଧିକାର ଅଧିନିୟମର ସୁରକ୍ଷା ଅଧୀନରେ ଏକ ଅପରାଧ ସହିତ ଜଡିତ ହତ୍ୟା, ୧୪ବର୍ଷରୁ କମ୍‌ ପିଲାକୁ ହତ୍ୟା, ପକ୍‌ସୋ ଆଇନ ଅନ୍ତର୍ଗତ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା,ଏକାଧିକ ହତ୍ୟା, କାରାଦଣ୍ଡ ପାଇବା ପରେ ଜେଲ୍‌ରେ ରହି ହତ୍ୟା, ପାରୋଲ୍‌ରେ ଥିବାବେଳେ ହତ୍ୟା, ଆତଙ୍କବାଦୀ ଘଟଣାରେ ହତ୍ୟା, ଚୋରାଚାଲାଣ ବେଳେ ହତ୍ୟା, ସରକାରୀ କର୍ମଚାରୀଙ୍କୁ ହତ୍ୟା, ଗ୍ୟାଙ୍ଗଷ୍ଟାର, ସୁପାରି କିଲର, ନିଶା ବେପାରୀ, ଚୋରାଚାଲାଣକାରୀ, ମାଦକ ଦ୍ରବ୍ୟ କାରବାର ଯୋଗୁଁ ଧାରା ୩୧ଏ ଅନୁଯାୟୀ ଦଣ୍ଡ ଭୋଗୁଥିବା ଅପରାଧୀ, ଯାହାର ମୃତ୍ୟୁ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବ, ଅାଇପିସି ଧାରା ୧୨୧ ଅନୁଯାୟୀ ଆଜୀବନ କାରାଦଣ୍ଡ ଭୋଗୁଥିବା ଅପରାଧୀ ୧୪ବର୍ଷ ପରେ ଅକାଳ ମୁକ୍ତି ପାଇଁ ଯୋଗ୍ୟ ହେବେ ବୋଲି କୁହାଯାଇଛି। କିନ୍ତୁ ଏହି ସବୁ ଅପରାଧୀଙ୍କ କ୍ଷେତ୍ରରେ ୨୫ବର୍ଷ କାରାଦଣ୍ଡ ଭୋଗିଥିଲେ ଦଣ୍ଡ କୋହଳ ନେଇ ବିଚାର କରାଯାଇପାରିବ ବୋଲି କୁହାଯାଇଛି। ହେଲେ ଜଣେ ଅପରାଧୀ ଯଦି ୧୪ବର୍ଷ କାରାଦଣ୍ଡ ଭୋଗିବା ପରେ ଅପରାଧ କରିବାର କ୍ଷମତା ହରାଇଥିବ, ସମାଜ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ହୋଇପାରିବ, ଅପରାଧୀର ପରିବାରର ସାମାଜିକ ଅର୍ଥନୈତିକ ସ୍ଥିତିକୁ ବିଚାର କରି ପଦକ୍ଷେପ ନେବାକୁ କୁହାଯାଇଛି।

ଏହାବାଦ୍ ଯେଉଁ ମହିଳା ଅପରାଧୀମାନେ ୬୦ବର୍ଷରୁ ଅଧିକ ବୟସର ହୋଇଥିବେ ଏବଂ ୫ବର୍ଷ କାରାଦଣ୍ଡ ଭୋଗିଥିବେ ସେମାନେ ଅକାଳ ମୁକ୍ତି ପାଇଁ ବିଚାରଯୋଗ୍ୟ ହେବେ। ପୁରୁଷ ଅପରାଧୀଙ୍କ କ୍ଷେତ୍ରରେ ୬୫ବର୍ଷ ହୋଇଥିଲେ ଏବଂ ୭ବର୍ଷ କାରାଦଣ୍ଡ ହେ‌ାଇଥିଲେ ସେମାନେ ମୁକ୍ତି ପାଇଁ ବିଚାରଯୋଗ୍ୟ ହେବେ। ହେଲେ ଦଙ୍ଗା, ବାହାର ରାଜ୍ୟର କୋର୍ଟ ଦଣ୍ଡାଦେଶ ଦେଇଥିଲେ, ପାରୋଲ୍‌ରେ ଯାଇ ଅପରାଧ କରିଥିଲେ, ଜେଲ୍‌ରୁ ଫେରାର ହୋଇ ସ୍ବତଃସ୍ଫୂର୍ତ୍ତ ଆତ୍ମସମର୍ପଣ କରିନଥିଲେ,ପିଲାଙ୍କ ଉପରେ ଅପରାଧ କରିଥିଲେ, ଅପହରଣ, ମହିଳା ଅପରାଧ ଜନିତ ମାମଲାରେ ଦଣ୍ଡ ପାଇଥିଲେ, ଦୁଇରୁ ଅଧିକ ହତ୍ୟା କରିଥିଲେ, ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡ କରାଯାଇଥିଲେ, ଦୁଇରୁ ଅଧିକ କୋର୍ଟ ଦ୍ବାରା ଦଣ୍ଡ ପାଇଥିଲେ ଏହି ବର୍ଗରେ ଜେଲ୍‌ରୁ ମୁକୁଳିବା ପାଇଁ ବିଚାରଯୋଗ୍ୟ ହେବେନି। ଆଇପିସି ଧାରା ୪୩୩ ଏ ଅନ୍ତର୍ଗତ ଅପରାଧୀ ନହେ‌ାଇଥିଲେ ବି ଜେଲ୍‌ରୁ ମୁକୁଳିପାରିବେ। ହେଲେ ସେଥିପାଇଁ ବି ସର୍ତ୍ତାବଳୀ ରଖାଯାଇଛି।

ଜେଲ୍‌ରୁ ଅପରାଧୀ ଅକାଳ ମୁକ୍ତି ପାଇବା ପାଇଁ ଜେଲ୍‌ ସୁପରିନଟେଣ୍ଡେଣ୍ଟ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିରେ ତା’ର ଅପରାଧ ରେକର୍ଡ, ଅଭ୍ୟାସରେ ପରିବର୍ତ୍ତନ, ପରିବାର ସମ୍ପର୍କିତ ରିପୋର୍ଟ, ଅପରାଧ ପରିସ୍ଥିତି , ଅପରାଧୀର ଶାରୀରିକ ଓ ମାନସିକ ସ୍ଥିତି ଆଦି ଉଲ୍ଲେଖ କରି ଅପରାଧୀର ଘର ଯେଉଁ ଜିଲ୍ଲାରେ ଥିବ ସେଠାକାର ଏସ୍‌ପିଙ୍କ ନିକଟକୁ ପଠାଇବେ। ଏହାପରେ ଏସ୍‌ପି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ବାରା ଅପରାଧୀ ଓ ତା’ ପରିବାରର ସବିଶେଷ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। କେହି ମନଇଚ୍ଛା ଅପରାଧୀର ଅକାଳ ମୁକ୍ତିକୁ ଖାରଜ କରିପାରିବେନି। ଏସ୍‌ପିଙ୍କ ରିପୋର୍ଟ ପାଇବାର ୩୦ଦିନ ଭିତରେ ଜିଲ୍ଲାପାଳ ଜେଲ୍‌ ସୁପରିନଟେଣ୍ଡେଣ୍ଟଙ୍କୁ ରିପୋର୍ଟ ଦେବେ। ଏହାପରେ ଜେଲ୍‌ ଆଇଜି ସମସ୍ତ ରିପୋର୍ଟ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ଦେବେ। ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିରେ ଆଇନ ବିଭାଗ ସଚିବ/ପ୍ରମୁଖ ସଚିବ, ଖୋର୍ଦ୍ଧା ଜିଲ୍ଳା ଜଜ୍, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ, ଜଣେ ଅତିରିକ୍ତ ଡିଜି, ଜେଲ୍‌ ବିଭାଗ ଅତିରିକ୍ତ ଡିିଜିଙ୍କୁ ନେଇ ଗଠିତ କମିଟି ସବୁ ରିପୋର୍ଟକୁ ବିଚାର କରି ଅପରାଧୀକୁ ଅକାଳ ମୁକ୍ତି ଦେଇପାରିବେ। ଯଦି ଥରେ କମିଟି କୌଣସି ଅପରାଧୀଙ୍କୁ ମୁକ୍ତି ଦେଲେନି ତେବେ ପରେ ସେ ପୁଣି ଏଥିପାଇଁ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର