ସେବା ପାଖରେ ହାର୍‌ ମାନିଲା କରୋନା, ପତ୍ନୀ ପଜିଟିଭ୍‌ ହୋଇ ବି ପାଖ ଛାଡ଼ିଲେନି ବୃଦ୍ଧ

କାଳିଆପାଣି: କର୍କଟ ରୋଗରେ ପୀଡ଼ିତ। ଯେତେବେଳେ ହସ୍ପିଟାଲ ଶଯ୍ୟାରେ ଥିଲେ କଟକସ୍ଥିତ କର୍କଟ କେନ୍ଦ୍ରରେ କରୋନା ମାଡ଼ିଯାଇଥିଲା। ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବାରୁ ସେ ଘରକୁ ଫେରି ଆସିଥିଲେ। କିନ୍ତୁ ପଜିଟିଭ୍‌ ବାହାରିଲା। ମାତ୍ର, ଏହାକୁ ଖାତିର୍‌ ନକରି ପତ୍ନୀଙ୍କ ସେବା କରି ଚାଲିଲେ ଜଣେ ବୃଦ୍ଧ। ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧଙ୍କୁ କରୋନା ସ୍ପର୍ଶ କରିପାରିନି। ମହିଳା ମଧ୍ୟ ସୁସ୍ଥ ହୋଇଛନ୍ତି। ଜୀବନସାରା ଅଭାବ, ଅନଟନ ଲାଗି ରହିଥିଲେ ମଧ୍ୟ ଦାମ୍ପତ୍ୟ ଜୀବନ ଆଗରେ କରୋନା ଯେମିତି ହାର୍‌ ମାନିଛି।

ଏହି ଦମ୍ପତି ହେ‌ଲେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ମୌଜା ଗୋପାଳ ସାହିର ଗୋଲି(୬୨) ଓ କୈଳାସ ପ୍ରଧାନ(୬୭)। ବୃଦ୍ଧା ଗୋଲି କର୍କଟ ରୋଗାକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ ଗ‌ବେଷଣା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠି କରୋନା ମାଡ଼ିଯିବା ଓ ମେଡିକାଲ ପରିସରକୁ ଆବଦ୍ଧାଞ୍ଚଳ ଘୋଷଣା ପରେ ସେ ବାଧ୍ୟରେ ଗାଁକୁ ଫେରି ଆସିଥିଲେ। ଗୋଲିଙ୍କୁ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ପରିସ୍ଥିତି ଏମିତି ଥିଲା ‌ଯେ, ଗୋଲି ଏକାକୀ ପାଦେ ଆଗକୁ ବଢ଼ିବା ମୁସ୍କିଲ୍। ସେ ଶେଯରୁ ଉଠିବାଠୁ ଶୋଇବା ପର୍ଯ୍ୟନ୍ତ ସବୁବେଳେ ସ୍ବାମୀଙ୍କ ସାହାରା ଲୋଡ଼ୁଥିଲେ। ଗାଁରେ ରହି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ତେବେ କଟକ ଯିବାଠୁ ଗାଁରେ ରହିବା ପର୍ଯ୍ୟନ୍ତ ପତ୍ନୀଙ୍କ ପାଖେ ପାଖେ ରହି ତାଙ୍କୁ ଚଲାଇବା, ବୁଲାଇବା, ସ୍ନାନଶୌଚ କରାଇଦେବା, ଆଳାପ କରି ମନ ଭୁଲାଇବା ଓ ଖୁଆଇ ଦେବା ଭଳି କାମ ସବୁ କରି ଆସୁଥିବା ବୃଦ୍ଧ କୈଳାସଙ୍କୁ କିନ୍ତୁ କରୋନା ଛୁଇଁ ପାରିନଥିଲା। ସତେ ଯେମିତି ତାଙ୍କ ନିଃସ୍ବାର୍ଥପର ସେବା ଓ ତ୍ୟାଗ ପାଖେ ମହାମାରୀ ମଥା ନଇଁଥିଲା।

କରୋନା ମୁକ୍ତ ହୋଇ କୋଭିଡ୍‌ ହସପିଟାଲ୍‌ରୁ ଫେରିବା ପରେ ବି ଗୋଲି ସ୍ବାମୀଙ୍କ ଆଶ୍ରା ବିନା ମୁହୂର୍ତ୍ତେ ଚଳିବା ଅସମ୍ଭବ। ଏବେ ବି କୈଳାସ ପତ୍ନୀଙ୍କ ସେବା କରି ଆସୁଛନ୍ତି। ସ୍ନେହ ମମତାରେ ବାନ୍ଧି ହୋଇଥିବା ଏହି ବୃଦ୍ଧ ଦମ୍ପତିଙ୍କ ପ୍ରତି ସମାଜରେ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ସରପଞ୍ଚ ଅଲେଖ ପ୍ରସାଦ ରାଉତ କହନ୍ତି।

ସମ୍ବନ୍ଧିତ ଖବର