ଭୁବନେଶ୍ବର: ସରୁନି ବର୍ଷ-ବର୍ଷର ଅପେକ୍ଷା, ବଦଳୁନି ସାମାଜିକ ଏବଂ ଆର୍ଥିକ ସ୍ଥିତି। ସଭ୍ୟତା, ସଂସ୍କୃତି, ଜୀବନ ଶୈଳୀ ଆଦିବାସୀ ହୋଇ ମଧ୍ୟ ଓଡ଼ିଶାର ପାଉଡ଼ି ଭୂୟାଁ, ଚୁକୁଟିଆ ଭୁଞ୍ଜିଆ, ଝୋଡ଼ିଆ, ସଉରାଙ୍କ ଭଳି ଆଦିମ ଜନଜାତିଙ୍କ ସମେତ ୧୭୦ ସମୁଦାୟଙ୍କୁ ମିଳିପାରୁନି ଅନୁସୂଚିତ ଜନଜାତିର ମାନ୍ୟତା। ଏଥିମଧ୍ୟରୁ ୧୯ ସମୁଦାୟ ସମ୍ପୂର୍ଣ୍ଣ ଭାବରେ ଆଦିବାସୀ ହୋଇ ମଧ୍ୟ ସେମାନଙ୍କୁ ଓବିସି କିମ୍ବା ଅନ୍ୟ ବର୍ଗରେ ରଖାଯାଇଛି। ବାକି ୧୫୧ ସମୁଦାୟ ବନାନଗତ ତ୍ରୁଟି ଯୋଗୁଁ ଅନୁସୂଚିତ ଜନଜାତିରୁ ବାଦ ଦିଆଯାଇଛି। ଏଥିଯୋଗୁଁ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ପ୍ରସ୍ତୁତ ସରକାରୀ ଯୋଜନାର ଲାଭ ସେମାନଙ୍କୁ ମିଳି ପାରୁ ନାହିଁ। ଆବଶ୍ୟକ ସର୍ଭେ ସହିତ ସେମାନଙ୍କୁ ଆଦିବାସୀ ମାନ୍ୟତା ପାଇଁ ୧୯୭୮ ମସିହାରୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି। ଇତିମଧ୍ୟରେ ଏତେ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ତ ସେମାନଙ୍କୁ ଜନଜାତିର ମାନ୍ୟତା ଦେଲା ନାହିଁ, ରାଜ୍ୟ ସରକାର ମଧ୍ୟ ଏଥିସଂକ୍ରାନ୍ତରେ କୌଣସି ଚାପ ମଧ୍ୟ ଦେଇ ନାହାନ୍ତି।
ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏହାକୁ ନେଇ ଲୋକସଭାରେ ଏବଂ ବାହାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କୌଣସି ଲାଭ ହୋଇ ନାହିଁ। ଅନ୍ୟଦିଗରେ କେନ୍ଦ୍ରରେ ପ୍ରଥମେ ଜୁଏଲ ଓରାମ ଏବଂ ବର୍ତ୍ତମାନ ବିଶେଶ୍ବର ଟୁଡୁ ଏହି ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ଓଡ଼ିଶାକୁ ଲାଭ ମିଳି ନାହିଁ। ବର୍ତ୍ତମାନ ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିଳିଛି। ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।
୧୯୫୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତିର ତାଲିକା ପ୍ରସ୍ତୁତ ହୋଇଛି। ଦେଶରେ ବର୍ତ୍ତମାନ ୭୦୫ ସମୁଦାୟଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ଦିଆଯାଇଛି। ଏଥିମଧ୍ୟରେ ଓଡ଼ିଶାର ୬୨ ସମୁଦାୟ ରହିଛନ୍ତି। ଏହାବାଦ ମଧ୍ୟ ରାଜ୍ୟର ପାଉଡ଼ି ଭୂୟାଁ, ତମୋଡ଼ିଆ ଭୂମିଜ, ଚୁକୁଟିଆ ଭୁଞ୍ଜିଆ, ଦୁରୁଆ ଓ ଧୁରୁଆ, ଧୁରଭା, ଟଁଲା ଗୌଡ଼, ଉରାମ, ଧାଙ୍ଗରା, ଓରାମ ବା ଓରାଉଁ ଉରାଉଁ ମୁଡି, କୁଇ କନ୍ଧ, କନ୍ଧ କୁମ୍ଭାର, କୋଣ୍ଡା ରେଡି, ମୁକା ଦୋରା, ଆଣ୍ଟିଦୋରା, ସଅଁରା, ଲୁହାରା, ପୁଟିଆ ବା ଦୁଳିଆ ବା ଧୁଳିଆ ବା କୋରାପୁଟ ଜିଲ୍ଲାର ଧୁଳିଆ ପାଇକ ବା ସୁନ୍ଦରଗଡ଼ ଜିଲ୍ଲାର ଭୂଇଁଆର, କଅଁର ପ୍ରମୁଖ ରହିଛନ୍ତି। ସାମାଜିକ କର୍ମକର୍ତ୍ତା ଗିରି ରାଓଙ୍କ ଅନୁସାରେ, ଆଦିବାସୀଙ୍କ ନିଜସ୍ବ ସୀମା ରହିଛି। କିଛି ଆଦିବାସୀ ସମୁଦାୟ ଅଛନ୍ତି ସେମାନଙ୍କୁ ଭୌଗୋଳିକ ଭାବରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ହିସାବରେ ବିଭାଜିତ କରି ଦେଲେ ମଧ୍ୟ ସେମାନଙ୍କ ସଭ୍ୟତା, ସଂସ୍କୃତି ଗୋଟିଏ। ଆନ୍ଧ୍ରପ୍ରଦେଶ, ଓଡ଼ିଶାର କୋରାପୁଟ, ଗଜପତି, ରାୟଗଡ଼ାରେ ରହୁଥିବା କୋଣ୍ଡା ଦୋରା ବା କୋଣ୍ଡା ରେଡି ଗୋଟିଏ କିନ୍ତୁ ଆନ୍ଧ୍ରପ୍ରଦେଶରେ ସେମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଛି ଓଡ଼ିଶାରେ ମିଳି ନାହିଁ। ଏଥିଯୋଗୁଁ ଆନ୍ଧ୍ରପ୍ରଦେଶ ତୁଳନାରେ ଏଠାରେ ରହୁଥିବା କୋଣ୍ଡାଦୋରାଙ୍କ ଆର୍ଥିକ ସ୍ଥିତି ଅଧିକ ଶୋଚନୀୟ ରହିଛି। ସେମାନେ ପାହାଡ଼ ଉପରେ ରହି ପୋଡ଼ୁ ଚାଷ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସବୁ ପ୍ରକାର ସୁବିଧାରୁ ବଞ୍ଚିତ ଅଛନ୍ତି। ଚୁକୁଟି ଭୁଞ୍ଜିଆଙ୍କୁ ଛତିଶଗଡ଼ରେ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଛି କିନ୍ତୁ ଓଡ଼ିଶାରେ ଏହା ନାହିଁ। ଆଦିବାସୀମାନଙ୍କ ଭଳି ଚୁକୁଟି ଭୁଞ୍ଜିଆଙ୍କ ନିଜସ୍ବ ସାଂସ୍କୃତିକ ନିୟମ ରହିଛି। ସାମାଜିକ, ଆର୍ଥିକ ଭାବରେ ସେମାନଙ୍କ ଅବସ୍ଥା ଅତି ଦୁର୍ବଳ ରହିଛି।
ନୂଆପଡ଼ା ଜିଲ୍ଲାରେ ରହୁଥିବା ଚୁକୁଟିଭୁଞ୍ଜିଆ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଛନ୍ତି। ମାତ୍ର ଆଦିବାସୀ ଭାବରେ ସେମାନଙ୍କୁ ଥଇଥାନ କରାଯାଇ ନାହିଁ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ରହୁଥିବା ପାଉଡ଼ି ଭୂୟାଁଙ୍କ ଅବସ୍ଥା ଏଭଳି ଯେ ସେମାନଙ୍କୁ ଜନଜାତିର ମାନ୍ୟତା ନମିଳିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ଗଠନ ହୋଇଛି। ଏଥିରେ ସେମାନଙ୍କ ଉନ୍ନୟନ ପାଇଁ କାର୍ଯ୍ୟ କରାଯାଉଛି। ଏହା ସତ୍ତ୍ବେ ମଧ୍ୟ ଜନଜାତିର ମାନ୍ୟତା ନ ଥିବାରୁ ସଂରକ୍ଷଣ ସୁବିଧା ପାଆନ୍ତି ନାହିଁ। କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳରେ ରହୁଥିବା ସହର ସମୁଦାୟଙ୍କୁ ବନାନଗତ ତ୍ରୁଟି ଯୋଗୁଁ ସେମାନେ ଅନୁସୂଚିତ ଜନଜାତିରୁ ବଞ୍ଚିତ ହେଲେ। ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଅନୁସାରେ, ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ବନାନଗତ ତ୍ରୁଟି ଯୋଗୁଁ ଅନେକ ସମୁଦାୟ ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହେବାରୁ ଦୁର୍ଭାଗ୍ୟ କିଛି ନାହିଁ। ଅନୁସୂଚିତ ଜନଜାତି ରାଷ୍ଟ୍ରପତିଙ୍କ ଏହି ସମୁଦାୟ ପ୍ରତି ଦୃଷ୍ଟି ପଡ଼ିବ ଏବଂ ସେମାନଙ୍କ ଅବସ୍ଥା ବଦଳିବ ବୋଲି ଆଶା କରାଯାଉଛି।