ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀଙ୍କର ପରିବାର ମୋହ ଜରୁରୀ ପରିସ୍ଥିତିର ମୂଳ କାରଣ ଥିଲା। ମୁଁ, ମୋର ପୁଅ ଓ ପରିବାର ଦେଶକୁ ଚଲାଇବାର ମାନସିକତା ହିଁ ଏହାର ମୂଳରେ ଥିଲା। ଆଜି ମଧ୍ୟ କଂଗ୍ରେସ ପାଖରେ ସେହି ସାମନ୍ତବାଦୀ, ଏକଛତ୍ରବାଦୀ ଓ ଅହଙ୍କାର ମାନସିକତା ରହିଛି ବୋଲି ଭୁବନେଶ୍ୱରଠାରେ ବିଜେପି ପକ୍ଷରୁ ଆୟୋଜିତ ‘କଂଗ୍ରେସ ଦ୍ୱାରା ଗଣତନ୍ତ୍ରକୁ କୁଠାରଘାତ ଇତିହାସର ୫୦ ବର୍ଷର କାହାଣୀ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଜରୁରିକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଶ୍ରୀ ପ୍ରଧାନ କହିଛନ୍ତି, ୧୯୭୫ ଜୁନ୍ ୨୫ରେ ‘ଜରୁରିକାଳୀନ ପରିସ୍ଥିତି’ ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଏକ କଳା ଫର୍ଦ୍ଦ, ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ। ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସେହି ଅନ୍ଧାର ସମୟରେ ଲକ୍ଷ ଲକ୍ଷ ଦେଶପ୍ରେମୀ ଯେଉଁ ଯନ୍ତ୍ରଣା ଓ ନିର୍ଯାତନା ସହିଥିଲେ ତାହା ଇତିହାସର ଏକ ଅଲିଭା ଅଧ୍ୟାୟ। ଜରୁରୀ ପରିସ୍ଥିତି ଲାଗୁ ହେଲା ପରେ ଭାରତୀୟ ନାଗରିକଙ୍କ ବାକ୍ ସ୍ୱାଧୀନତାକୁ ଦମନ କରାଯିବା ସହ ଗଣମାଧ୍ୟମର ସ୍ୱାଧୀନତା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଥିଲା।
ଜରୁରୀ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନାଚକ୍ର
ନାଗରିକଙ୍କୁ ବାଧ୍ୟତାମୂଳକ ଭାବରେ ବନ୍ଧ୍ୟାକରଣ କରାଯାଇଥିଲା। ସମସ୍ତ ବିରୋଧୀ ନେତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଜେଲ୍ରେ ଭର୍ତ୍ତି କରି ନିର୍ଯାତନା ଦିଆଯାଇଥିଲା। ଓଡ଼ିଶା ମାଟିର ଶୀର୍ଷ ନେତା ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପବିତ୍ର ମୋହନ ପ୍ରଧାନ, ସାମ୍ବାଦିକ ରାଧାନାଥ ରଥ, ବିଶ୍ୱଭୂଷଣ ହରିଚନ୍ଦନ ଓ ହରିଶ୍ଚନ୍ଦ୍ର ବକ୍ସିପାତ୍ର ପ୍ରମୁଖ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ, ଅସହିଷ୍ଣୁ ତଥା ଆକ୍ରୋଶମୂଳକ ପଦକ୍ଷେପର ଶିକାର ହୋଇଥିଲେ। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସେ ସମୟରେ ସଂଘର୍ଷ ଓ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଆଜିର ଦିନରେ ପ୍ରଣାମ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ ଓ ଟଙ୍କଧର ତ୍ରିପାଠୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ସମୀର ମହାନ୍ତି, ଅରବିନ୍ଦ ଢାଲି, ନିରଞ୍ଜନ ମିଶ୍ର ଓ ଯତୀନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏଥିସହ ଲୋକତନ୍ତ୍ର ସେନାନୀମାନଙ୍କୁ ସମ୍ମାନିତ କରିଥିଲେ। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ।