ରୋଗୀ ନେବାକୁ ଆଜି ବି ଗୁମ୍ମାବାସୀଙ୍କ ଭରସା ଖଟିଆ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ସବୁଠାରୁ ଦୁର୍ଗମ, ଅପହଞ୍ଚ ବ୍ଲକ୍‌ ହେଉଛି ଗୁମ୍ମା ବ୍ଲକ୍‌। ଆଜି ବି କୌଣସି ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖୋଜା ପଡ଼ିଥାଏ ଖଟିଆ। ଗମନାଗମନ ସୁବିଧା ନଥିବାରୁ ଏହି ସମସ୍ୟାର ସମାଧାନ ଯେପରି ସ୍ଥାନୀୟ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି। ଗୋଟିଏ ପଟେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ସ୍ମାର୍ଟକାର୍ଡ଼ ବାଣ୍ଟୁଛନ୍ତି, ଅନ୍ୟପଟେ ରୋଗୀକୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ଏହା ହିଁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସଲ ଚିତ୍ରକୁ ଦେଖାଉଛି।  ଏହି କ୍ରମରେ ଆଜି ଗୁମ୍ମା ବ୍ଲକ୍ ତାମୈସି˚ ଗ୍ରାମର ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ୭ କିମି. ରାସ୍ତା ଆଣିବା ପରେ ଟେକି ଟେକି ଗୁମ୍ମା ଡାକ୍ତରଖାନାକୁ ଅଣାଯିବା ଦୃଶ୍ୟ ଖାଲି ଚର୍ଚ୍ଚାର ବିଷୟ ପାଲଟିନାହିଁ, ସରକାରୀ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ସୂଚନା ମୁତାବକ, ଗ୍ରାମର ଜଣେ ୫୦ ବର୍ଷୀୟା ମହିଳା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଏ ନେଇ ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦିଆ ଯାଇଥିଲା। ଡାକ୍ତର କହିଥିଲେ, ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବାକୁ ପଡ଼ିବ। ପରେ ଆମ୍ବୁଲାନ୍ସକୁ ଖବର ଦିଆଗଲା। ମାତ୍ର ଆମ୍ବୁଲାନ୍ସ୍ କର୍ମଚାରୀ ଉତ୍ତର ଦେଲେ ରାସ୍ତା ଭଲ ନାହିଁ, ରୋଗୀକୁ ଆମ୍ବାଜିରି ଛକ ପର୍ୟ୍ୟନ୍ତ ଆଣ। ତାମୈସି˚ ଗ୍ରାମରୁ ଆମ୍ବାଜିରି ଛକ ୭ କିମି.। ବାଧ୍ୟ ହୋଇ ଏକ ଖଟିଆରେ ୫ ଜଣ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଦୀର୍ଘ ୯୦ ମିନିଟ ପାଦରେ ଟେକି ଟେକି ଆମ୍ବାଜିରି ଛକରେ ପହଞ୍ଚିଥିଲେ। ହେଲେ ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଏକ ଅଟୋ ରିକ୍ସାରେ ପାରଳାଖେମୁଣ୍ତି ମୁଖ୍ୟ ଚିକିତ୍ସାଳୟ ଅଣିଥିଲେ।

ଏ କେବଳ ଗୋଟିଏ ଘଟଣା ନୁହେଁ, ଅଧିକାଂଶ ଦୁର୍ଗମ ଗ୍ରାମରେ କେହି ଗୁରୁତର ଅସୁସ୍ଥ ହେଲେ ତାଙ୍କୁ ଚିକିତ୍ସାକେନ୍ଦ୍ର ନେବା ପାଇଁ ଖଟିଆ ହିଁ ଏକମାତ୍ର ଭରସା ବୋଲି ଗ୍ରାମବାସୀ କହିଛନ୍ତି। ତାମୈସିଂରେ ୨୦୦ ପରିବାର ବସବାସ କରୁଛନ୍ତି। ଜିଲ୍ଲା ପ୍ରଶାସନ ଆମ୍ବାଜିରି ଠାରୁ ତାମୈସି˚ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହେଉନାହିଁ। ସ୍ବାସ୍ଥ୍ୟ ସେବା ସହ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି ବୋଲି ଗ୍ରାମର ଇଫ୍ରିୟମ୍ ରଇତ କହିଥିଲେ। ତାମୈସିଂ ପରି ଏକାଧିକ ଗ୍ରାମକୁ ଯାତାୟାତ ସୁବିଧା ନଥିବାରୁ ଏବେ ବି ଅପହଞ୍ଚ ଇଲାକା ଭାବେ ପରିଚିତ।

ସମ୍ବନ୍ଧିତ ଖବର