ଝାରସୁ: କୋଇଲା ଖଣି ଓ ବର୍ଦ୍ଧିତ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଝାରସୁଗୁଡ଼ା ଜିଲ୍ଲା ଦିନକୁ ଦିନ ଅଧିକ ସମୃଦ୍ଧ ହେବା ସହ ରାଜ୍ୟ ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। କିନ୍ତୁ ଏହି ଖଣି ଓ ଶିଳ୍ପରୁ ନିର୍ଗତ ଧୂଳିଧୂଆଁ ନିୟନ୍ତ୍ରଣରେ ନଥିବାରୁ ପ୍ରକୃତିରାଣୀ ଏଠାରେ ହାର ମାନିଗଲାଣି। ଶିଳ୍ପାୟନ ପାଇଁ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଯେତିକି ଗଛଲତା ବଞ୍ଚିଛନ୍ତି ସେମାନେ ବି ଅଣନିଃଶ୍ବାସୀ ହେବାକୁ ବସିଲେଣି। ଏପରିକି ପତ୍ର ଉପରେ ଧୂଳିର ମୋଟା ଆସ୍ତରଣ ବସି ଯାଉଥିବାରୁ ବୃକ୍ଷଗୁଡ଼ିକ ଆଉ ତାଙ୍କର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା କରି ପାରୁନାହାନ୍ତି କି ଅଙ୍ଗାରକାମ୍ଲ ଗ୍ରହଣ କରି ପାରୁନାହାନ୍ତି। ଆଲୋକ ସଂଶ୍ଲେଷଣ ହୋଇ ନ ପାରିବା କାରଣରୁ କିଛିଦିନ ତଳେ ସବୁଜ ଦେଖାଯାଉଥିବା ଗଛ ଏବେ ମୃତ ପ୍ରାୟ ଅବସ୍ଥାରେ ପହଞ୍ଚିଲେଣି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଅଦିନରେ ଗଛଗୁଡ଼ିକ ସ୍ବତଃ ପୋଡ଼ି ଯାଉଥିବା ଦେଖିବାକୁ ମିଳୁଛି।

Advertisment

କୋଇଲା ଖଣି ଓ ଶିଳ୍ପରୁ ଦୂରରେ ଥିବା ଅଞ୍ଚଳ ମଧ୍ୟ ଧୂଳିଧୂଆଁରୁ ତ୍ରାହି ପାଇପାରୁନି। ଝାରସୁଗୁଡ଼ା ସହରର ସରବାହାଲରୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏଁ ରାସ୍ତା କଡ଼ରେ ଥିବା ଗଛଗୁଡ଼ିକୁ ଦେଖିଲେ ଏଠାରେ ଧୂଳିର ପ୍ରଭାବ କେତେ ଭୟଙ୍କର, ତାହା ସ୍ପଷ୍ଟ ଭାବେ ଜାଣି ହେବ। ସେହିପରି ପାଉଁଶ, କୋଇଲା ପରିବହନ କରାଯାଉଥିବା ବିଜୁ ଏକ୍ସପ୍ରେସ୍‌ ୱେ ଓ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗଛଗୁଡ଼ିକର ଅବସ୍ଥା ଆହୁରି ସାଂଘାତିକ। ଗତ ୨୮ ତାରିଖରେ ଏକ ଜାତୀୟ ଗଣମାଧ୍ୟମରେ ଏନ୍‌ଆଇଟି ରାଉରକେଲାର କିଛି ଛାତ୍ରଙ୍କ ଦ୍ବ‌ାରା କରାଯାଇଥିବା ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ୨୦୨୪ ଅକ୍ଟୋବରରେ ଜର୍ଣ୍ଣାଲ ଅଫ୍‌ ଜିଓଫିଜିକାଲ ରିସର୍ଚ୍ଚ: ବାୟୋଜିଓସାଇନ୍ସରେ ପ୍ରକାଶିତ ରିପୋର୍ଟ ଆଧାରରେ ଧୂଳିରେ ଆଚ୍ଛାଦିତ ବୃକ୍ଷଗୁଡ଼ିକ ପ୍ରତି ବର୍ଗମିଟର ପିଛା ୨-୩ ଗ୍ରାମ୍‌ କମ୍‌ ଅଙ୍ଗାରକାମ୍ଲ ଗ୍ରହଣ କରୁଥିବା ବେଳେ ସ୍ବାଭାବିକଠାରୁ ଅଧିକ ଅଙ୍ଗାରକାମ୍ଲ ନିଷ୍କାସନ କରୁଛି।

ଏନ୍‌ଆଇଟି ଛାତ୍ରଙ୍କ ଗବେଷଣାରୁ ମିଳିଲା ସାଂଘାତିକ ତଥ୍ୟ
ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ବାଧାପ୍ରାପ୍ତ

ଗୋଟିଏ ବୃକ୍ଷ ତୁଳନାରେ ଏହି ଅଙ୍ଗାରକାମ୍ଳର ପରିମାଣ କମ୍‌ ଦେଖା ଯାଉଥିବା ବେଳେ ଅଞ୍ଚଳରେ ଥିବା ସମଗ୍ର ବୃକ୍ଷ ଓ ଜଙ୍ଗଲକୁ ହିସାବକୁ ନେଲେ ବାୟୁରେ ଅଙ୍ଗାରକାମ୍ଲର ପରିମାଣ ପ୍ରକୃତରେ କେତେ ବୃଦ୍ଧି ହେଉଥିବ, ତାହା ସହଜରେ ଅନୁମେୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ପତ୍ରଗୁଡ଼ିକ ଉପରେ ଧୂଳି ଜମା ହୋଇ ରହିବା ଦ୍ବାରା ଗଛର ଉସ୍ବେଦନ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବା ସହିତ ଗଛ ନିଜର ଉତ୍ତାପ ନିଜେ ନିୟନ୍ତ୍ରଣ କରିବା କ୍ଷମତା ବି ହରାଉଛି। ପତ୍ରରେ ବିଭିନ୍ନ ପ୍ରକାର ଆଲୋକ ତରଙ୍ଗ ପଡ଼ିଥାଏ। ପତ୍ର କିଛି ଆଲୋକ ତରଙ୍ଗକୁ ଗ୍ରହଣ କରିବା ପରେ ଅନ୍ୟଗୁଡ଼ିକୁ ବାହାରକୁ ଛାଡ଼ି ଦେଇଥାଏ। ମାତ୍ର ପତ୍ର ଉପରେ ଧୂଳି ଜମା ହୋଇ ରହିବା ଦ୍ବାରା ଏକ ନିର୍ଦ୍ଦିଷ୍ଟ ଆଲୋକ ତରଙ୍ଗକୁ ହିଁ ପତ୍ର ଗ୍ରହଣ କରୁଥିବାରୁ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। 

ଝାରସୁଗୁଡ଼ାରେ ମୁଖ୍ୟତଃ କୋଇଲା ଖଣିଗୁଡ଼ିକ ଓପନ୍‌ କାଷ୍ଟ ବା ଖୋଲାମୁହଁ ଖଣି। ଭୂତଳ କୋଇଲା ଖଣି ତୁଳନାରେ ଖୋଲା ମୁହଁ ଖଣିରେ ଖର୍ଚ୍ଚ କମ୍‌ ରହୁଥିବାରୁ ସରକାର ଏବେ ଖୋଲା ମୁହଁ ଖଣି ପ୍ରତି ଅଧିକ ଗୁରୁତ୍ବ‌ ଦେଉଛନ୍ତି। ବିସ୍ଫୋରଣ ଯୋଗୁ ସିଧାସଳଖ କୋଇଲା ଗୁଣ୍ଡ ବାୟୁମଣ୍ଡଳରେ ମିଶୁଥିବା ବେଳେ ପରିବହନ ସମୟରେ ବି ପ୍ରବଳ ମାତ୍ରାରେ କୋଇଲା ଗୁଣ୍ଡ ଉଡୁଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ଚିମିନିରେ ଲାଗୁଥିବା ଇଏସ୍‌ପି (ଇଲେକ୍ଟ୍ରୋ ଷ୍ଟାଟିକ୍‌ ପ୍ରେସିପିରେଟର୍ସ)କୁ ରାତିରେ ବନ୍ଦ କରି ଦିଆଯାଉଥିବାରୁ କୋଇଲା ଦହନରୁ ନିର୍ଗତ ପାଉଁଶ ସିଧାସଳଖ ବାୟୁମଣ୍ଡଳରେ ମିଶୁଛି। ପରବର୍ତ୍ତୀ ସମୟରେ ସେଗୁଡ଼ିକ ଗଛ, ଘର, ଗାଡ଼ିମଟର, ରାସ୍ତା ଉପରେ ପଡୁଥିବାର ଦେଖିବାକୁ ମିଳୁଛି।