ଆଗରପଡ଼ା: ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ ଆଗରପଡ଼ା ଅଞ୍ଚଳ ଦେଇ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ କରିଥାଏ। ଏଠାରୁ ଭଦ୍ରକ, କଟକ, ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର ସଦର ମହକୁମାକୁ ଦୈନିକ ବସ ସେବା ରହିଛି। ସେଥିନିମନ୍ତେ ସର୍ବଦା ବଜାର ଅଞ୍ଚଳରେ ଲୋକଙ୍କ ସମାଗମ ଲାଗି ରହିଥାଏ। ଏତଦ୍ଭିନ୍ନ ସ୍କୁଲ, କଲେଜ, ବିଭିନ୍ନ ଅଫିସକୁ ଲୋକେ ଯିବାଆସିବା କରିବା ସହ ଆଖପାଖ ୯ଟି ପଞ୍ଚାୟତର ବାସିନ୍ଦା ନିଜର ଦୈନନ୍ଦିନ କାର୍ଯ୍ୟନିର୍ବାହ ନିମନ୍ତେ ଆଗରପଡ଼ା ବଜାର ଉପରେ ନିର୍ଭର କରିଥାନ୍ତି।
ମାତ୍ର ଏଠାରେ ଆଜିଯାଏ ସ୍ଥାୟୀ ବସ୍ଷ୍ଟାଣ୍ତ, ବିଶ୍ରାମଗୃହ, ଜଳଯୋଗାଣ, ଗୋଷ୍ଠୀ ପରିମଳ କେନ୍ଦ୍ର ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବସଯାତ୍ରୀ, ଦୋକାନୀଙ୍କ ସମେତ ବଜାରକୁ ଆସୁଥିବା ଲୋକମାନେ ଶୌଚ ପାଇଁ ହଇରାଣ ହେଉଛନ୍ତି। ବିଶେଷ କରି ମହିଳା ଓ ଯୁବତୀମାନେ ଶୌଚ ନିମନ୍ତେ ନାହିଁ ନଥିବା ହଟହଟା ହେଉଛନ୍ତି।
ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ୨ ବର୍ଷ ତଳେ ଆଗରପଡ଼ା ବଜାର ସଂଲଗ୍ନ ବଡ଼ମଢିଷଗାଠ ଓ ବିଟିପୁର ପଞ୍ଚାୟତ ଆନୁକୂଲ୍ୟରେ ୬ ଲକ୍ଷ ଟଙ୍କା ବ୍ୟୟବରାଦରେ ୨ଟି ଗୋଷ୍ଠୀ ପରିମଳ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଏହା ସଂପୂର୍ଣ୍ଣ ହୋଇ ପାରିନଥିବାରୁ ଏଠାରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ସରି ନୂତନ ସରପଞ୍ଚ ଦାୟିତ୍ବ ନେବାର ୧ ବର୍ଷ ପୂରିଲାଣି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ପଞ୍ଚାୟତ ଦୁଇଟି ପକ୍ଷରୁ ପ୍ରତ୍ୟେକ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଅନୁଦାନ ଯୋଗାଇ ଦେଇଥିଲେ ବି ପରିମଳ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏ ଅଞ୍ଚଳରୁ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ଓ ବନ୍ତ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିବା ବିଡ଼ମ୍ବନାର ବିଷୟ ବୋଲି ଜନସାଧାରଣ ପ୍ରତିକ୍ରିୟା ରଖିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।