ପୁରୀ: ବାହୁଡ଼ା ପୂର୍ବରୁ ଜନ୍ମବେଦି (ଆଡ଼ପ ମଣ୍ଡପ)ରୁ ଶେଷ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିଛନ୍ତି। ପାଗ ଅନୁକୂଳ ଥିଲା। କିନ୍ତୁ ଝିପିଝିପି ବର୍ଷା ଦାଉ ସାଧିଥିଲା। ବର୍ଷା ଶରୀର ଭିଜାଇ ଦେଇଥିଲା, କିନ୍ତୁ ମନ ଧାଡ଼ି ଛାଡ଼ିନଥିଲା। ବହୁ ଭକ୍ତ ଓଦା ସରସର ଦେହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଧାଡ଼ି ବଡ଼ଶଙ୍ଖ ଛୁଇଁଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ସନ୍ଧ୍ୟା ଦର୍ଶନ ସରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା। ୫ଟା ୧୦ ପୂର୍ବରୁ ବାହାର ବ୍ୟାରିକେଡ୍‌ରେ ଭକ୍ତଙ୍କ ପ୍ରବେଶରେ ରୋକ୍‌ ଲଗାଯାଇଥିଲା। ବହୁ ଭକ୍ତ ବିଳମ୍ବରେ ଧାଡ଼ି ବାନ୍ଧିଥିବାରୁ ଦର୍ଶନ ନପାଇ ଫେରିଥିଲେ।  

Advertisment

ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଅହେତୁକ ଭିଡ଼ ଏବଂ ବାହୁଡ଼ା ନୀତି ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ଲାଗି ଆଜି ନୀତିକାନ୍ତି ସଅଳ ସଂପନ୍ନ ହୋଇଛି। ଆଜି ଭୋର ସାଢ଼େ ୪ଟାରେ ଦ୍ବାରଫିଟା ନୀତି ସଂପନ୍ନ ପରେ ଅନ୍ୟାନ୍ୟ ନୀତି ବଢ଼ି ଶୀଘ୍ର ରାତ୍ର ପହୁଡ଼ ସଂପନ୍ନ ହୋଇଛି। ଭକ୍ତଙ୍କ ମହାପ୍ରସାଦ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଧ୍ୟା ପୂର୍ବରୁ ଆଜି ତିନିଟି ଭୋଗମଣ୍ଡପ ଉଠିଛି। ନାକଚଣା ଦ୍ବାର ଦେଇ ଭକ୍ତମାନେ ମହାପ୍ରସାଦ ନେଇଛନ୍ତି। ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ଶେଷ ହେଉଥିବାରୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ପ୍ରବଳ ଭିଡ଼ ଲଗାଇଥିଲେ।

ସଂଧ୍ୟା ଦର୍ଶନର ବିଶେଷ ମହତ୍ତ୍ବ ରହିଛି। ତେଣୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା। ବହୁ ଭକ୍ତ ଦର୍ଶନର ଅବକାଶ ପାଇନଥିବାରୁ ସଅଳ ଦର୍ଶନ ବନ୍ଦକୁ ନେଇ କିଛି ଅସନ୍ତୋଷ ଝାଡ଼ିଥିଲେ। ଯଦି ସଂଧ୍ୟା ବେଳର ଏହି ଦର୍ଶନକୁ ସଂଧ୍ୟା ଦର୍ଶନ କୁହାଯାଉଛି, ତେବେ ସଅଳ ଦର୍ଶନ ବନ୍ଦ କାହିଁକି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଦିନରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଠେଲାପେଲା ହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସଂଧ୍ୟା ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ବାହାରେ ମାଳମାଳ ପୁଲିସ ଜଗି ରହିଥିଲେ। ଆଜି ପରିମାଣିକ ଦର୍ଶନ ବନ୍ଦ ରହିଥିବାରୁ ଗର୍ଭଗୃହ ବଦଳରେ ସବୁ ଭକ୍ତ ଏକକାଳୀନ ବାହାରୁ ଦର୍ଶନ କରିଥିଲେ। ଏଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।  ଭୋର ୫ଟା ୧୫ରେ ମଙ୍ଗଳଆଳତି ପରେ ଅନ୍ୟ ନୀତି ବଢ଼ିଥିଲା। ସକାଳ ୮ଟା ୫ରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ୧୦ଟା ୪୦ରେ ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା।

ମଧ୍ୟାହ୍ନ ସାଢ଼େ ୧ଟାରେ ମଧ୍ୟାହ୍ନ ଧୂପ ଶେଷ ପରେ ଦିନ ୨ଟା ୫୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହୋଇଥିଲା। ୩ଟା ୪୫ରେ ସଂଧ୍ୟା ଆଳତି, ୪ଟା ୫୫ରେ ସଂଧ୍ୟାଧୂପ ଶେଷ ପରେ ତୃତୀୟ ଭୋଗମଣ୍ଡପ ଉଠିଥିଲା। ସନ୍ଧ୍ୟା ୬ଟା ୧୦ରେ ତୃତୀୟ ଭୋଗମଣ୍ଡପ ଶେଷ ପରେ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ହୋଇ ରାତ୍ର ପହୁଡ଼ ହୋଇଥିଲା।