ପୁରୀ : ଅପରାହ୍ଣ ୫ଟାରୁ ବନ୍ଦ ରହିବ ସନ୍ଧ୍ୟା ଦର୍ଶନ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ବାହୁଡ଼ା ପ୍ରସ୍ତୁତି ପାଇଁ ସଅଳ ଦର୍ଶନ ବନ୍ଦ କରିବାକୁ ପଡ଼ୁଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ, ପ୍ରତିବର୍ଷ ଆଡ଼ପମଣ୍ଡପରେ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିବାର ବିଧି ରହିଛି। ଏଥିପାଇଁ ଆଡ଼ପମଣ୍ଡପର ଏହି ଦର୍ଶନକୁ ସନ୍ଧ୍ୟାଦର୍ଶନ କୁହାଯାଏ। କିନ୍ତୁ ସନ୍ଧ୍ୟା ପୂର୍ବରୁ ଦର୍ଶନ ବନ୍ଦକୁ ଭକ୍ତ ମହଲ ବିକୃତ ପରମ୍ପରା ବୋଲି ଅଭିଯୋଗ କରିଛନ୍ତି। ଗବେଷକମାନେ ବି ଏହା ଠିକ୍‌ ନୁହେଁ ବୋଲି କହିଛନ୍ତି। ଦିନରେ ଦର୍ଶନକୁ କିଭଳି ସନ୍ଧ୍ୟା ଦର୍ଶନ କୁହାଯିବ, ସେ ନେଇ ଘେରିଛନ୍ତି।

Advertisment

ବାହୁଡ଼ା ପ୍ରସ୍ତୁତି ପାଇଁ ସଅଳ ହୋଇଛି ଦର୍ଶନ ବ୍ୟବସ୍ଥା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ସନ୍ଧ୍ୟା ପୂର୍ବର ଦର୍ଶନକୁ କିଭଳି ସନ୍ଧ୍ୟାଦର୍ଶନ କୁହାଯିବ: ଗବେଷକ

ଆସନ୍ତା ୨୭ ତାରିଖରେ ପଡ଼ୁଛି ନବମୀ ସନ୍ଧ୍ୟାଦର୍ଶନ। ତ୍ରିକାଳରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍‍ ନବମୀ ସନ୍ଧ୍ୟାଦର୍ଶନରୁ ମିଳିଥାଏ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ଏଣୁ ଏହିଦିନ ଲକ୍ଷାଧିକ ଭକ୍ତ ସନ୍ଧ୍ୟାଦର୍ଶନର ସୌଭାଗ୍ୟ ଅର୍ଜନ କରିଥାନ୍ତି।
ହେଲେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଆସନ୍ତା ୨୭ ତାରିଖ ସନ୍ଧ୍ୟାଦର୍ଶନ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ। ଅପରାହ୍ଣ ୫ଟା ପରେ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେନାପଟା ଲାଗି, ଚାରମାଳ ବନ୍ଧା ଆଦି ନୀତି ସଂପନ୍ନ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

publive-image

ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ବର୍ଷସାରା ରତ୍ନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ବର୍ଷକୁ ଥରେ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ବାହାରିଥାନ୍ତି। ବିଶ୍ବାସ ରହିଛି, ଯେହେତୁ ଜନ୍ମବେଦିକୁ ମହାପ୍ରଭୁ ଯାଆନ୍ତି, ଏହି ସମୟରେ ସେ ଅଧିକ ପ୍ରସନ୍ନ ରହିଥାନ୍ତି। ଏହି ସମୟରେ ଯିଏ ବି ଯାହା ମାଗନ୍ତି, ତାହା ପ୍ରାପ୍ତ ହୁଏ। ଆଡ଼ପ ମଣ୍ଡପରେ ୭ ଦିନର ରହଣି ବେଳେ ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଥରେ ଦର୍ଶନ କରନ୍ତି, ସେମାନଙ୍କୁ ଶ୍ରୀମନ୍ଦିରରେ ୧୦ ବର୍ଷର ଦର୍ଶନ କରିବାର ପୂଣ୍ୟ ପ୍ରାପ୍ତ ହୋଇଥାଏ। ସନ୍ଧ୍ୟାଦର୍ଶନର ମାହାତ୍ମ୍ୟ ବି ଅନେକ। ବାହୁଡ଼ା ପୂର୍ବରୁ ଭକ୍ତଙ୍କୁ ଆଡ଼ପମଣ୍ଡପର ଶେଷ ଦର୍ଶନ ଭାବେ ସନ୍ଧ୍ୟାଦର୍ଶନ ଦେଇ ମହାପ୍ରଭୁ ରଥରେ ପୁନର୍ବାର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି। ବହୁ ସଂଖ୍ୟାରେ ଭକ୍ତ ଏହି ଦର୍ଶନ ସୌଭାଗ୍ୟ ଲଭିଥାନ୍ତି। ପ୍ରତିବର୍ଷ ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସନ୍ଧ୍ୟାଦର୍ଶନର ସୁଯୋଗ ମିଳେ। କିନ୍ତୁ ଚଳିତବର୍ଷ ସନ୍ଧ୍ୟା ପୂର୍ବରୁ ଦର୍ଶନ ବନ୍ଦ କରି ଦିଆଯାଉଛି। ଏହାକୁ କିଭଳି ସନ୍ଧ୍ୟାଦର୍ଶନ କୁହାଯିବ ବୋଲି ଡ. ଦାଶ ପ୍ରଶ୍ନ ଉଠାଇଛନ୍ତି।