ରାଉରକେଲା: ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ସରକାର ସର୍ବଦା ଗୁରୁତ୍ବ ଦେଉଛନ୍ତି। କାରଣ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରି କହିଛନ୍ତି। ଛେଣ୍ଡକଲୋନିସ୍ଥ ରିମ୍ସ ସମ୍ମିଳନୀ କକ୍ଷରେ ଓଡ଼ିଶା ମେଡ଼ିକାଲ ସେବା ସଂଘର ୬୯ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରି କହିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଗରିବଙ୍କ ମୁହଁରେ ହସ ଫୁଟାଇଛି। ପୁରୁଷମାନେ ୫ ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି। ଗତ ୨୦୦୦ରେ ରାଜ୍ୟରେ ୩୨୦ ଏମ୍ବିବିଏସ୍ ଓ ୨୮୪ ବିଶେଷଜ୍ଞ ଡାକ୍ତର ଥିଲେ। ବର୍ତ୍ତମାନ ପ୍ରତିବର୍ଷ ରାଜ୍ୟରେ ୨୨୦୦ ଏମ୍ବିଏସ୍ ଓ ୮୨୦ ବିଶେଷଜ୍ଞ ଡାକ୍ତର ସୃଷ୍ଟି ହେଉଛନ୍ତି।
ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ସଫଳ ଉଦ୍ୟମ ଯୋଗୁ ସମ୍ଭବପର ହୋଇପାରିଛି। କେବଳ ସହରାଞ୍ଚଳ ନୁହେଁ ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିକୁ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି। ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ୍ତରମାନେ ହେଉଛନ୍ତି ଭଗବାନ। ଡାକ୍ତରମାନଙ୍କ ବ୍ୟବହାରରେ ରୋଗୀର ୬୦% ରୋଗ ଭଲ ହୋଇଥାଏ। ଏକଦା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ସହର ଓ ଏହାର ଆଖପାଖ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେଉଥିଲା। ଏବେ ଆଇଜିଏଚ୍ର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି।
ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ଉପରେ କେବଳ ସହର ନୁହେଁ ପଡୋଶୀ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡର ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଉଛି ବୋଲି କହିଛନ୍ତି। ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରମାନଙ୍କ ଭୂମିକା ସଂକ୍ରାନ୍ତରେ ନିଜର ମତ ରଖିଥିଲେ। ସଂଘର ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ ସଭାପତିତ୍ବ କରିଥିଲେ। ସାଙ୍ଗଠନିକ ସମ୍ପାଦକ ଡାକ୍ତର ସମୀର କୁମାର ପାତ୍ର ଧନ୍ୟବାଦ ଦେଇଥିଲେ। ରାଜ୍ୟ ସାଧାରଣ ସମ୍ପାଦ ଡାକ୍ତର ବିଶ୍ବଜିତ୍ ସାମଲ ସଂଘର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ କହିଥିଲେ। ଆର୍ଜିଏଚ୍ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁ ମଞ୍ଚାସୀନ ଥିଲେ।