ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭରଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। । ସ୍ବାସ୍ଥ୍ୟ କାର୍ଡ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ମୁଲ୍ୟବାନ। ପରିବାରର କେହି ଅସୁସ୍ଥ ହେଲେ ଲୋକଙ୍କ ମାନସିକ ଚିନ୍ତା ବଢ଼ିଯାଏ। କାରଣ ସବୁଠାରୁ ଅଧିକ ଚିନ୍ତା ରହିଥାଏ ଆର୍ଥିକ ସମସ୍ୟା। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ପିଏଚସିଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ହସପିଟାଲରେ ରାଜ୍ୟବାସୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। ଲୋକେ ପିଲାଙ୍କ ପାଠ ପଢ଼ା ପାଇଁ ଟଙ୍କା ସଂଚୟ କରି ଖର୍ଚ୍ଚ କରିପାରିବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ , ମୂଲିଆ ବା ରିକ୍ସା ବାଲା , ଜନଜାତି କିମ୍ବା ସାଧାରଣ ଲୋକେ, ସେ ଗାଁରେ ରହୁ କିମ୍ବା ସହରରେ ରୁହନ୍ତୁ। ତାଙ୍କ ପାଇଁ ସମସ୍ତ ଜୀବନ ମୁଲ୍ୟବାନ। ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ସମସ୍ତେ ସୁସ୍ଥ ରହି ନିଜ ପାଇଁ ଓ ରାଜ୍ୟର ଉନ୍ନତି ପାଇଁ କାମ କରନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ରାଜ୍ୟରେ ନୂଆ ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ସବୁବେଳେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ଏହି ସ୍ବାସ୍ଥ୍ୟ କାର୍ଡ ଦ୍ବାରା ନବରଙ୍ଗପୁର ଜିଲ୍ଲାର ୧୧ ଲକ୍ଷ ୩୧ ହଜାର ରୁ ଅଧିକ ଲୋକେ ଉପକୃତ ହୋଇପାରିବେ। ରାଜ୍ୟର ଏହି ନୂଆ ବ୍ୟବସ୍ଥାରେ ଡାକ୍ତରଖାନାକୁ ଲୋକଙ୍କୁ କେବଳ ସ୍ମାର୍ଟ କାର୍ଡ ନେଇ ଯିବାକୁ ପଡିବ। ଏହି ପରିବାର ରେ ପରିବାର ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସେବା ମିଳୁଛି।

Property details of officials, BJD's people's representatives to be in  public domain: Odisha CM Naveen Patnaik - The Economic Times

ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ଏ ଅବସର ରେ ନବରଙ୍ଗପୁର ଜିଲ୍ଲାରେ ୧୩୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ପିଇବା ପାଣି ଠାରୁ ଆରମ୍ଭ କରି ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ । ସେହିପରି ଜିଲ୍ଲା ପାଇଁ ଗୋଟିଏ ଦିନରେ ୪୫କୋଟି ଟଙ୍କା ଖର୍ଚ୍ଚରେ ୪୯ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜିଲ୍ଲାର କୋଣ ଅନୁକୋଣରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିପାରିବ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟର ଭିତ୍ତିଭୁମିର ବିକାଶ ପାଇଁ କିପରି ପ୍ରୟାଶ ଜାରି ରଖିଛନ୍ତି ସେ ସଂକ୍ରାନ୍ତରେ ଉଦବୋଧନ ଦେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇଥିଲେ। କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରମେଶଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପ୍ରଧାନୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି।

କୋଭିଡ ମହାମାରୀର ପରିଚାଳନା ପାଇଁ ଆଜି ରାଜ୍ୟ ଦେଶ ବିଦେଶରେ ପ୍ରଶଂସିତ ହେଉଛି । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ପରିଚୟ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ୫୦ ଜଣଙ୍କୁ ଆଜି ଅତିଥି ମାନଙ୍କ ଦ୍ବାରା ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଡଃ.କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧୀକ୍ଷକ ପି.ଏସ. ପୁର୍ଷୋତ୍ତମ ଦାସ , ଅତିରିକ୍ତ ଜିଲ୍ଲାପାଳ ଭାଷ୍କର ରଇତ, ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଡିଆରଡିଏ ପିଡି ରତ୍ନାକର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା ଓ ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର