ବୌଦ୍ଧ: ବୁଧବାର ଭୋର୍‌ରୁ ଭୁବନେଶ୍ବରରୁ ଆସିଥିବା ଆୟକର ବିଭାଗ ବୌଦ୍ଧ ଜିଲ୍ଲା ପୁରୁଣାକଟକସ୍ଥିତ ରାଣୀସତୀ ପ୍ୟାଡି ପ୍ରୋସେସିଂ ନାମକ ରାଇସ୍‌ମିଲ୍‌ ଓ ତିତିରିକଟା ମୌଜାରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ (ବିଡିପିଏଲ୍‌)ରେ ଚଢ଼ଉ ଆରମ୍ଭ କରିଛି। ରାଣୀସତୀ ରାଇସ୍‌ମିଲ୍‌ ଓ ମାଲିକଙ୍କ ଘରେ ଲଗାତାର ଦୁଇ ଦିନ ଖୋଳତାଡ଼ କରିବା ପରେ ଗୁରୁବାର ରାତି ୧୨ଟା ପରେ ଫେରି ଯାଇଥିବା ଜଣାଯାଇଛି। ବିଡିପିଏଲ୍‌ରେ ତୃତୀୟ ଦିନ ଶୁକ୍ରବାର ମଧ୍ୟ ଖୋଳତାଡ଼ ଚାଲିଥିବା ଜଣାଯାଇଛି। ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଭାରତର ସର୍ବ ବୃହତ ତଥା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ସ୍ପିରିଟ୍‌ କାରଖାନା କୁହାଯାଉଥିବା ବିଡିପିଏଲ୍‌ କମ୍ପାନିର ମାଲିକ ରିତେଶ ସାହୁଙ୍କ ବଲାଙ୍ଗୀର ଓ ରାଉରକେଲା ମଦଭାଟି ମାଲିକଙ୍କ ସହ ପାରିବାରିକ ସମ୍ପର୍କ ଥିବା ଜଣାଯାଇଛି। ବିଡିପିଏଲ୍‌ ସହ ବୌଦ୍ଧ ସହରର ରାଜନପାଲିରେ ମାଲିକଙ୍କ ଏକ ଦେଶୀ ମଦଭାଟି ରହିଛି। ଭିତରେ ଆୟକର ବିଭାଗ ଚଢ଼ଉ ଚାଲିଥିବା ସମୟରେ ବିଡିପିଏଲ୍‌ର ପାଚେରି ବାହାରେ ବସ୍ତା ବସ୍ତା ୫୦୦ ଟଙ୍କିଆ ନୋଟ୍‌ ଫିଙ୍ଗା ଯାଇଛି। ପାଚେରି ନିକଟରେ ଥିବା ଜଳାଶୟକୁ ଶୌଚ ପାଇଁ ଆସିଥିବା କିଛି ବ୍ୟକ୍ତି ଦେଖିବା ପରେ ଚାରିଆଡ଼େ ପ୍ରଚାର ହୋଇ ଯାଇଥିଲା। ଲୋକେ ଆସି ଟଙ୍କା ବୋହି ନେଇଥିଲେ। ପରବର୍ତ୍ତୀ ସମୟରେ ପଡ଼ିଥିବା ନୋଟ୍‌ଗୁଡ଼ିକ ଦୁଇଫାଳ ହୋଇ ଚିରା ହୋଇଥିବା ଦେଖାଯାଇଛି। କିଏ ଓ କାହିଁକି ନୋଟ୍‌ଗୁଡ଼ିକ ଚିରିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥି ସହିତ ଅନେକ କାଗଜପତ୍ର ମଧ୍ୟ ପବନରେ ଉଡ଼ିବୁଲୁଛି।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଦଭାଟି ଉପରେ ଆୟକର ବିଭାଗର ଚଢ଼ଉ ଚାଲିଥିବାବେଳେ ବୌଦ୍ଧ ପୁରୁଣାକଟକସ୍ଥିତ ରାଣୀସତୀ ରାଇସ୍‌ମିଲ୍‌କୁ ସାମିଲ କରାଯାଇଛି। ତେବେ, ସେଠାରୁ କେତେ ଟଙ୍କା ଜବତ ହୋଇଛି ଓ କେତେ ଟଙ୍କାର ଆୟକର ଫାଙ୍କି ହୋଇଛି ସେ ବିଷୟରେ ଚଢ଼ଉ ଦଳ ମୁହଁ ଖୋଲି ନାହାନ୍ତି। ଚଢ଼ଉର କାରଣକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ରାଣୀସତୀ ମିଲ୍‌ର ମାଲିକଙ୍କ ସହ ମଦଭାଟି ଓ ସ୍ପିରିଟ କାରଖାନା ମାଲିକଙ୍କ କୌଣସି ବ୍ୟାବସାୟିକ ସଂପର୍କ ରହିଥିଲା କି? ଯାହାକୁ ଆୟକର ବିଭାଗ ପୂର୍ବରୁ ଚିହ୍ନଟ କରି ଚଢ଼ଉ କରିଛି। ବିଡିପିଏଲ୍‌ରେ ସ୍ପିରିଟ ସହ ଗୋ-ଖାଦ୍ୟ ଓ ଅନ୍ୟ କିଛି ଜିନିଷ ତିଆରି ହେଉଛି। ଏଠାକାର ମୁଖ୍ୟ କଞ୍ଚାମାଲ ହେଉଛି ଖୁଦ। ତେଣୁ ଖୁଦକୁ ନେଇ ଉଭୟ ସଂସ୍ଥା ମଧ୍ୟରେ ସମ୍ପର୍କ ରହିଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି ବିଡିପିଏଲ୍‌ର ପାଚେରି ବାହାରେ ପଡ଼ିଥିବା ଚିରା ନୋଟ୍‌ ଉଡ଼ିବୁଲୁଛି। ଚଢ଼ଉ ଦଳଙ୍କୁ ଫାଙ୍କିବା ପାଇଁ ଟଙ୍କା ଫିଙ୍ଗା ଯାଇଥାଇପାରେ ମାତ୍ର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅସଂଖ୍ୟ ନୋଟ୍‌ ଦିଖଣ୍ଡ କଲା କିଏ ଓ କାହିଁକି? ଗୋଟା ନୋଟ୍‌ରେ କଣ ଗୁମର ଥିଲା ଯେ, ଚିରିବାକୁ ବାଧ୍ୟ ହେଲେ? ଚିରା ଯାଇଥିବା ନୋଟ୍‌ ନକଲି ନୁହେଁ ତ? ଧରାପଡ଼ିବା ଭୟରେ ଚିରା ଯାଇନାହିଁ ତ? ଚିରା ନୋଟ୍‌କୁ ନେଇ ତଦନ୍ତ କଲେ ଅସଲ ତଥ୍ୟ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଉଛି।