ସମ୍ବଲପୁର: ବିଜେଡିର ଗଡ଼ ହେଉଛି ରେଢ଼ାଖୋଲ ବିଧାନସଭା କ୍ଷେତ୍ର। ବିଜେଡି ଏଠାରୁ କେବେ ହାରି ନାହିଁ। ଏହି ସୁରକ୍ଷିତ ଆସନ ଉପରେ ଅନେକ ବରିଷ୍ଠ ଓ କନିଷ୍ଠ ବିଜେଡି ନେତାଙ୍କ ଆଖି ରହିଛି। ନିର୍ବାଚନ ଆହୁରି କିଛି ମାସ ବାକି ରହିଥିବା ବେଳେ କେନ୍ଦୁପତ୍ର କର୍ମଚାରୀ ସଂଘ ଖୋଲାଖୋଲି ଭାବେ ଏଠାରୁ ଟିକେଟ ମାଗିଲାଣି। ଏଭଳି ସ୍ଥିତିରେ ରେଢ଼ାଖୋଲ ଗଣିତ ଏଥର ଗଡ଼ବଡ଼ ହେବ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Advertisment

ଗତ ୨୦୦୦ ମସିହା ବିଧାନସଭା ନିର୍ବାଚନ ସମୟରୁ କ୍ରମାଗତ ୫ ଥର ହେଲା ବିଜେଡି ରେଢ଼ାଖୋଲରୁ ଜିତି ଆସୁଛି। ଏଠାକାର ସବୁ ବିଜେଡି ବିଧାୟକ ମଧ୍ୟ ମନ୍ତ୍ରୀ ହେବାରେ ସୌଭାଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନର ଦୁଇଥରିଆ ବିଧାୟକ ଇଂ.ରୋହିତ ପୂଜାରୀ ‌‌କୌଣସି ସ୍ଥିତିରେ ଏହି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଏପଟେ ଏଠାକାର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଘନ ଘନ ରେଢ଼ାଖୋଲ ଗସ୍ତ କରୁଛନ୍ତି। ରୋହିତ ଓ ପ୍ରସନ୍ନ ମଝି ମଝିରେ ପରସ୍ପରକୁ ତେର୍‌ଛା ବାଣ ବି ମାରୁଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥଙ୍କ ସହିତ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳ ବି ଏଠାକାର ଆଶାୟୀ ତାଲିକାରେ ରହିଛନ୍ତି। ଅପରପକ୍ଷରେ ରେଢ଼ାଖୋଲ ଅଂଚଳରେ କେତେକ ସ୍ଥାନୀୟ ନେତା ଏଥର ସ୍ଥାନୀୟ ପ୍ରସଂଗ ଉଠାଇବା ଆରମ୍ଭ କରିଦେଲେଣି। ରେଢ଼ାଖୋଲରେ ବିଜେଡିର ଏକ ବଡ଼ ଭୋଟ ବ୍ୟାଙ୍କ ହେଉଛନ୍ତି କେନ୍ଦୁପତ୍ର ତୋଳାଳି। ଓଡ଼ିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ଏଥର ଏହାର ଫାଇଦା ଉଠାଇବାକୁ ଚାହୁଛି। ସଂଘର ରାଜ୍ୟ ସଂପାଦକ ତଥା ରାଜ୍ୟ ସରକାରଙ୍କ କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦଷ୍ଟୋ ସଂଜିତ ମହାନ୍ତିଙ୍କୁ ଟିକେଟ ଦେବାକୁ ସଂଘର କର୍ମକର୍ତ୍ତାମାନେ ଦାବି କରୁଛନ୍ତି।

ସଂଘର ରାଜ୍ୟ ସଭାପତି ଥିବା ବିଜୟ ମହାନ୍ତି (ସଂଜିତ ମହାନ୍ତିଙ୍କ ପିତା) ଦୁଇ ଦିନ ତଳେ ‌ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ଟିକେଟ ଦେବାକୁ ଦାବି ଉଠାଇଥିବା ବେଳେ ଅନ୍ୟ ନେତାମାନେ ସଂଜିତଙ୍କୁ ହିଁ ଟିକେଟ ଦେବାକୁ ପାଇଁ ଦାବି କହିଥିଲେ। ବିଜୟ ମହାନ୍ତିଙ୍କ ଯୁକ୍ତି ହେଲା, ସଂଘର ଅଧିକାଂଶ କର୍ମକର୍ତ୍ତା ବିଜେଡି ସହିତ ସଂପୃକ୍ତ ରହିଛନ୍ତି। ବିଧାନସଭା ତଥା ସରକାରଙ୍କ ପାଖରେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ସଂପର୍କରେ କୌଣସି ବିଧାୟକ ଉପସ୍ଥାପନ କରୁନାହାନ୍ତି। ସଂଘର ଜଣେ ନେତାକୁ ଟିକେଟ ଦେଲେ ସେ ଠିକ୍ ଭାବେ ଦାବି ଉପସ୍ଥାପନ ସହିତ ସମସ୍ୟାର ସମାଧାନ କରାଇପାରିବେ।

ସଂଘର ତଥ୍ୟ ଅନୁସାରେ, ରେଢ଼ାଖୋଲରେ ପ୍ରାୟ ୬୦ ହଜାର କେନ୍ଦୁପତ୍ର ତୋଳାଳି/ଶ୍ରମିକ ରହିଛନ୍ତି। ତେଣୁ, ସଂଜିତଙ୍କୁ ବିଜେଡି ଏଠାରୁ ଟିକେଟ ଦେଉ। କେବଳ ସେତିକି ନୁହେଁ, ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି/ଶ୍ରମିକଙ୍କ ଦାବିପ୍ରତି ଅଣଦେଖା କରୁଥିବା ସଂଘ ଅଭିଯୋଗ ଆଣିଛି। ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଦାବିପୂରଣ ଦିଗରେ ପଦକ୍ଷେପ ନନେଲେ ୧୧ ତାରିଖ ଦିନ ରାଜଧାନୀରେ ଗର୍ଜିବା ପାଇଁ ଚେତାବନୀ ଦେଇଛି। ରାଜ୍ୟର ୨୨ଟି ଜିଲ୍ଲାରେ ସାଢ଼େ ୮ ଲକ୍ଷରୁ ଅଧିକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଭାବେ କେନ୍ଦୁପତ୍ର ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ବିଜେଡି କେନ୍ଦୁପତ୍ର କର୍ମଚାରୀ ସଂଘରେ ଯଦି ଚାପରେ ଆସେ, ତାହେଲେ ଦୁଇ ପ୍ରମୁଖ ନେତା ରୋହିତ ଓ ପ୍ରସନ୍ନଙ୍କୁ କେମିତି ସନ୍ତୁଷ୍ଟ କରାଯିବ ତାହା ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ।