ରାଉରକେଲା: ସୁସ୍ଥ ସମାଜ ଗଠନ ପାଇଁ ସବୁଜ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି। କାରଣ ଗଛ ହିଁ ଜୀବନ। ଯାହାକୁ ବିରକେରାର ଆଦିବାସୀ ଭାଇଭଉଣୀମାନେ ଭଲଭାବେ ବୁଝିପାରିଛନ୍ତି। ନିଜ ନିଜ ଅଞ୍ଚଳକୁ ସବୁଜବଳୟ ସୃଷ୍ଟି କରିବାକୁ ସଂକଳ୍ପ ନେଇଛନ୍ତି। କେବଳ ବିରକେରା ନୁହେଁ ପ୍ରତ୍ୟେକ ଗାଁ ସବୁଜବଳୟ ହେଉ ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତି। ବିରକେରାରେ ରାଜୀ ପାଡ଼ହା ସାରନା ପ୍ରାର୍ଥନା ସଭା ଓ  ସମ୍ବାଦ-ସାହିତ୍ୟଘର  ପକ୍ଷରୁ ବିରକେରାରେ ଗୋଟିଏ ସ୍ଥାନରେ ଏକକାଳୀନ ୩୦୦୦ ହଜାର ଚାରାରୋପଣ କରିବାକୁ ଯେଉଁ ଉଦ୍ୟମ କରିଛନ୍ତି, ତାହା  ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିନ୍ତି।

Advertisment

ସମ୍ବାଦ ସାହିତ୍ୟଘର ଏହି ଅଭିଯାନରେ ସାମିଲ ହୋଇଥିବାରୁ ସମ୍ବାଦ ପରିବାରକୁ ସାଧୁବାଦ ଜଣାଇଥିଲେ। ଚାରାରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। କୁଆରମୁଣ୍ଡା ରେଞ୍ଜର ସୁଶ୍ରୀ ସ୍ବାଧୀନନତା ସାହାଣି, ଫରେଷ୍ଟର ବିନାଇ କୋଠି, ବ୍ରାହ୍ମଣୀତରଙ୍ଗ ଥାନା ଅଧିକାରୀ ମାନସ ବାରିକ୍, ବିରକେରା ସରପଞ୍ଚ ରବି ତିର୍କୀ, ସମିତି ସଭ୍ୟ ସନ୍ତୋଷ ତିର୍କୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋଟିଏ ଲେଖାଏଁ ଚାରାରୋପଣ କରିବା ସହ ଅନ୍ୟମାନଙ୍କୁ ସୁନ୍ଦରଗଡ଼କୁ ସବୁଜସୁନ୍ଦର କରିବାକୁ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ, ଗଛ ବିନା ପରିବେଶ ତିଷ୍ଠି ରହିବା ଅସମ୍ଭବ। ଯାହାକୁ ସମସ୍ତ ଜନସାଧାରଣ ବୁଝିବା ଦରକାର। ଏହାର ମାତ୍ର ସମାଧାନ ହେଉଛି ଅଧିକରୁ ଅଧିକ ସବୁଜବଳୟ ସୃଷ୍ଟି କରିବା ବୋଲି କହିଥିଲେ। ଆଦି ସାରନା ଧାରମ ମାଣ୍ଡାର ଦେବାନନ୍ଦ ତିର୍କୀ, ସୁନୀଲ ତିର୍କୀ, ଫଗୁ ଏକ୍କା, ବିଜୟ ଏକ୍କା,ବୈଜୁ ଖାଲ୍‌କୋ,  ଗାଣ୍ଡରୁ ଓରାମ୍‌ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ।

ଖଣିଖାଦାନ ଓ ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲାକୁ ସବୁଜସୁନ୍ଦର କରିବାକୁ ହେଲେ ସମସ୍ତଙ୍କୁ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ପଡିବ। ରାଉରକେଲା ସମେତ ଏହାର ଆଖପାଖ ଅଞ୍ଚଳରେ ସବୁଜବଳୟ ସୃଷ୍ଟି କରିବାକୁ ରାଉରକେଲା ପ୍ରୟାସ ଜାରି ରଖିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେମାନେ କହିଥିଲେ। ବିରକେରା ସରପଞ୍ଚ ରବି ତିର୍କୀ ଓ ସମିତି ସଭ୍ୟ ସନ୍ତୋଷ ତିର୍କୀ କାର୍ଯ୍ୟକ୍ରମର ପ୍ରମୁଖ ନେତୃତ୍ବ ନେଇଥିଲେ। ‘ସମ୍ବାଦ’  ରାଉରକେଲା ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।