ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆଜି ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିରେ ବାଲେଶ୍ବର ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି ଟଙ୍କା। ଏହି ଅର୍ଥରେ ୩୫୬ଟି ଗ୍ରାମପଞ୍ଚାୟତରେ ୪,୪୬୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୮.୫୦ କୋଟି ଟଙ୍କା। ଏଥିରେ ୩୧୭ଟି ଗ୍ରାମପଞ୍ଚାୟତରେ ୩,୯୧୧ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

Advertisment

ଆଜି ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଆରମ୍ଭ କରି କହିଥିଲେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡ଼ିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ନବୀନ ଓଡ଼ିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢ଼ିବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଏହି ନୂଆ ଓଡ଼ିଶାରେ ଆମର ଭିତ୍ତିଭୂମି ସୁଦୃଢ଼ ହେବ ଓ ଡେଣା ଶକ୍ତ ହେବ।

ବାଲେଶ୍ୱରକୁ ୧୭୮, ବଲାଙ୍ଗୀରକୁ ୧୫୮ କୋଟି
ଦୁଇଟି ଜିଲ୍ଲା ପାଇଁ ଆଉ ୪୫୯ କୋଟି ମଞ୍ଜୁର

କାର୍ଯ୍ୟକ୍ରମକୁ ସଂଯୋଜନା କରି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ କହିଲେ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ବୋଲି ୫-ଟି ଅଧ୍ୟକ୍ଷ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲ୍ଲାରେ ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ, ବିଧାୟକ ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ସ୍ୱରୂପ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସରୋଜ ମେହେରଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ। ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡ଼ିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।