ପ୍ରତି ସପ୍ତାହରେ ହେବ ଜଳ ଯୋଗାଣ ସମୀକ୍ଷା

ଖରା ଦିନେ ପାଣି ସଙ୍କଟ ମୁକାବିଲା ଚିନ୍ତା

ଭୁବନେଶ୍ୱର: ପ୍ରତି ଗାଁରେ ନଳକୂପ ଖୋଳାଯିବ, ଯେଉଁ ନଳକୂପରୁ ପାଣି ବାହାରୁନଥିବ ତାକୁ ମରାମତି କରାଯିବ, ଯେଉଁଠି ନଳକୂପ ଖୋଳି ହେବନି ସେଠାରେ ପାଣି ଟ୍ୟାଙ୍କର ସହାୟତାରେ ଜଳ ଯୋଗାଣ ହେବ। ଲୋକଙ୍କୁ ଦିନକୁ ଦୁଇ ବେଳା ପାଣି ଯୋଗାଣ ହେବ। ଏହିପରି ଆସନ୍ତା ଖରାଦିନରେ ଜଳ ସଙ୍କଟକୁ ମୁକାବିଲା କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଖରାଦିନେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଗ୍ରାମାଞ୍ଚଳରେ ଯେପରି ଜଳ ସଙ୍କଟ ଦେଖାନଯିବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଜଳ ଯୋଗାଣ ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକୁ ଆବଶ୍ୟକୀୟ ଅର୍ଥ ଦିଆଯାଇଥିବାବେଳେ ଏହା ଯେପରି ଠିକ୍‌ ଭାବେ ଖର୍ଚ୍ଚ ହେବ ସେନେଇ ବ୍ଲକ ସ୍ତରରେ ବିଡିଓମାନେ ତଦାରଖ କରିବେ। ପ୍ରତି ବ୍ଲକ ସ୍ତରରେ ଯେପରି ପାନୀୟ ଜଳ ଯୋଗାଣ ସୂଚାରୁ ରୂପେ ହେବ ସେନେଇ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ସମୀକ୍ଷା କରିବେ। ପଞ୍ଚାୟତରେ ଜଳ ଯୋଗାଣ ସ୍ଥିତି କ’ଣ ଅଛି ତା’ର ରିପୋର୍ଟ ସରପଞ୍ଚମାନେ ପ୍ରତି ଶୁକ୍ରବାର ବିଡିଓଙ୍କୁ ଦେବେ। ପ୍ରତି ଶନିବାର ବିଡିଓମାନେ ଏହାର ସମୀକ୍ଷା କରିବେ। ଜିଲ୍ଲାପାଳମାନେ ପ୍ରତି ମଙ୍ଗଳବାର ବ୍ଲକଓ୍ଵାରି ସମୀକ୍ଷା କରି ବୁଧବାର ଦିନ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ନିଷ୍ପତ୍ତି ହୋଇଛି। ଯେଉଁଠି ଜଳ ସଙ୍କଟ ଥିବ ସେଠାରେ ମାର୍ଚ୍ଚ ୩୧ସୁଦ୍ଧା ନଳକୂପ ଖନନ ହେବ, ମରାମତି ହେବ। ଖରାଦିନେ ଯେପରି ସମସ୍ତ ନଳକୂପରୁ ପାଣି ବାହାରିବ ଏବଂ ନିୟମିତ ମରାମତି ହୋଇପାରିବ ସେଥିପାଇଁ ପ୍ରତି ବ୍ଲକରେ ‘ପାଣି ଜଳ ଯୋଗାଣ ମରାମତି ଗାଡ଼ି’ ବୁଲିବ। ଏହି ଗାଡ଼ି ପ୍ରତି ପଞ୍ଚାୟତକୁ ଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବାଦ୍‌ ସହରାଞ୍ଚଳରେ ଯେପରି ପ୍ରତି ଓ୍ଵାର୍ଡରେ ପାନୀୟ ଜଳ ପହଞ୍ଚିବ ସେନେଇ ଜିଲ୍ଲାପାଳମାନେ ସମୀକ୍ଷା କରିବାକୁ କୁହାଯାଇଛି। ଆଜିର ଏହି ଭିଡ଼ିଓ କନଫରେନ୍ସିଂ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଂଜନ କୁମାର ସିଂହ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର