ଖୋର୍ଦ୍ଧା : କରୋନା ଭୂତାଣୁ ସଂକ୍ରମଣର ଅନ୍ତିମଚରଣରେ ନିମୋନିଆ ଓ ତୀବ୍ର ଶ୍ୱାସନଳୀ ସଂକ୍ରମଣ ଏକ ଲକ୍ଷଣ । ଖୋର୍ଦ୍ଧା ଜିଲ୍ଲାରେ ନିମୋନିଆ ଓ ଶ୍ୱାସନଳୀ ଓ ଫୁସଫୁସ ସଂକ୍ରମଣ ଜନିତ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଭଳି ପରିସ୍ଥିତିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୋଭିଡ୧୯ ମହାମାରୀକୁ ଗୁରୁତର ସହ ଗ୍ରହଣ କରିଛି।
ସମଗ୍ର ରାଜ୍ୟରେ ସର୍ବାଧିକ ଶ୍ୱାସନଳୀ ଓ ଫୁସଫୁସ ସଂକ୍ରମଣ ଜନିତ ରୋଗ ପ୍ରଭାବିତ ଜିଲ୍ଲା ତାଲିକାରେ ମୟୂରଭଂଜ, ସୁନ୍ଦରଗଡ଼, କେଉଁଝର, ଗଂଜାମ, କୋରାପୁଟ ପରେ ଖୋର୍ଦ୍ଧାର ସ୍ଥାନ ରହିଛି । ଏହି ରୋଗରେ ପ୍ରତିବର୍ଷ ଜିଲ୍ଲାରେ ହାରାହାରି ୧ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ୪୦ଜଣଙ୍କ ମୃତ୍ୟୁ ଘଟୁଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ୨୦୧୪ରୁ ୨୦୧୯ ମଧ୍ୟରେ ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ନିମୋନିଆରେ ପୀଡ଼ିତ ଥିବା ମୋଟ ୫୭୭୧ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୯ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିଭଳି ଯକ୍ଷ୍ମା ଭଳି ସ୍ଥାୟୀ ଫୁସଫୁସ ସଂକ୍ରମଣରେ ୫୨୭୯ଜଣଙ୍କୁ ଚିକିତ୍ସିତ କରାଯାଇଥିବା ବେଳେ ୧୯୧ଜଣଙ୍କ ମୃତ୍ୟୁ ଘଟିଥିଲା।
ଜିଲ୍ଲାରେ ଯଦିଓ ଘରୋଇ ଓ ବେସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ସଂଖ୍ୟା ଅଧିକ ରହିଛି, କିନ୍ତୁ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନର ସଂଖ୍ୟା ଲୋକସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ କମ୍ ରହିଛି। ବର୍ତମାନ ସୁଦ୍ଧା କୋଭିଡ୍୧୯ ମହାମାରୀ ମୁକାବିଲାରେ ଘରୋଇ ହସ୍ପିଟାଲ୍କୁ ସାମିଲ କରାଯାଇନାହିଁ । ଏଭଳି ପରିସ୍ଥିତିରେ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଜିଲ୍ଲାର ବର୍ଦ୍ଧିତ ଶ୍ୱାସନଳୀ ଓ ଫୁସ୍ଫୁସ୍ ସଂକ୍ରମିତଙ୍କ ସହ କୋଭିଡ୍୧୯ର ସମ୍ଭାବ୍ୟ ସଂକ୍ରମଣକୁ ରୋକାଯାଇପାରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।
୨୦୧୫ରେ ଜିଲ୍ଲାରେ ୨ଟି ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ୧୩ଟି ସିଏଚ୍ସି, ୪୬ଟି ପିଏଚ୍ସି ରହିଥିଲା । ୨୦୧୮ ବେଳକୁ ଏହି ସଂଖ୍ୟାରେ ସମାନ୍ୟ ବୃଦ୍ଧି ପାଇଥିଲା । ୧୯ଟି ସବ୍ଡିଭିଜନାଲ୍ ହେଲ୍ଥ ସେଂଟର, ୧୩ଟି ସିଏଚ୍ସି, ୫୨ଟି ପିଏଚ୍ସି ଓ ଗୋଟିଏ ମୋବାଇଲ୍ ହେଲ୍ଥ ୟୁନିଟ୍ ରହିଛି । ତେବେ ମୋଟ ଶଯ୍ୟା ସଂଖ୍ୟା ୨୦୧୫ରେ ୯୬୫ରୁ ହ୍ରାସ ପାଇ ୮୯୯ରେ ପହଂଚିଥିବା ବେଳେ କାର୍ଯ୍ୟକ୍ଷମ ଶଯ୍ୟା ସଂଖ୍ୟା କେବଳ ୨୦୮ରେ ସୀମିତ ରହିଛି ।
ବର୍ତମାନ କୋଭିଡ୍୧୯ ମହାମାରୀର ସମ୍ଭାବ୍ୟ ମୁକାବିଲା ନିମନ୍ତେ ଆୟୁର୍ବେଦ, ହୋମିଓପାଥି ହସ୍ପିଟାଲରେ ଶଯ୍ୟାକୁ ବାଦ୍ ଦିଆଯାଇଛି । ଏଭଳି ସ୍ଥିତିରେ ବର୍ଦ୍ଧିତ ସଂକ୍ରମିତଙ୍କୁ ସ୍ୱତନ୍ତ୍ର ପୃଥକ ଶଯ୍ୟା ଯୋଗାଇବାରେ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି ।
ତେବେ କରୋନା ହେଲ୍ପ ଡେସ୍କ ଦାୟିତ୍ୱରେ ଥିବା ଏଡିଏମ୍ଓ କହିଛନ୍ତି ଯେ ଏଥିପାଇଁ ବଡ଼ ସମସ୍ୟା ନାହିଁ । ଖୋର୍ଦ୍ଧା ଓ ଜଟଣୀରେ ୩୭୦ ଶଯ୍ୟା ବିଶିଷ୍ଟ ୭ଟି କ୍ୱାରେଂଟିନ୍ କେନ୍ଦ୍ର ଖୋଲାଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନବ ନିର୍ମିତ ବରିଷ୍ଠନାଗରିକ ୱାର୍ଡରେ ୧୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ ୱାର୍ଡ, ପ୍ରତ୍ୟେକ ପଂଚାୟତରେ ବିଡିଓ ଓ ସମ୍ପୃକ୍ତ ସରପଂଚଙ୍କ ନେତୃତ୍ୱରେ ୫୦ଜଣ ରହିବା ଭଳି ଏକ ଅସ୍ଥାୟୀ ଏକାନ୍ତବାସ ୱାର୍ଡ ଗଠନ କରାଯାଇଛି । ଅର୍ଥାତ୍ ୨୧୮ଟି ପଂଚାୟତରେ ପ୍ରାୟ ୧୦ହଜାର ଲୋକ ଏକକାଳୀନ ଏକାନ୍ତବାସରେ ରହିପାରିବେ। ସେହିଭଳି ପ୍ରତ୍ୟେକ ସିଏଚ୍ସିରେ ସର୍ବାଧିକ ଦୁଇଟି ଶଯ୍ୟା ବିଶିଷ୍ଟ ଏକାନ୍ତବାସ ୱାର୍ଡ ସ୍ଥାପନ କରାଯାଇଛି । ତେବେ ଏହାପୂର୍ବରୁ ନିୟମିତ ହାତଧୋଇବା, ଥଣ୍ଡାକାଶ ହେଲେ ମୁହଁ ଢାଙ୍କି ରହିବା, ଜନଗହଳି ଠାରୁ ଦୂରରେ ରହିବା, ଅତ୍ୟାବଶ୍ୟକ ନହେଲେ ହସ୍ପିଟାଲ୍କୁ ନଯିବା ଆଦି ନେଇ ଜନସାଧାରଣ ଯେତେ ସଚେତନ ହେବେ ସେତେ ଉତ୍ତମ।