ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାକୁ ନେଇ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ଏପଟେ ଏହି ପ୍ରକଳ୍ପକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। ଆଜି ଗୋଟିଏପଟେ ସଂସଦୀୟ ଷ୍ଟାଣ୍ଡିଂ କମିଟି (ସଂସ୍କୃତି) ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ କାମ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ କମିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି, ଯାହା ବି କାମ ହେଉଛି; ପ୍ରତ୍ନତତ୍ତ୍ବ ବିଭାଗର ଅନୁମତିପୂର୍ବକ ହେବା ଦରକାର। ସେପଟେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଡିଜି ଡ. ଆଲୋକ ତ୍ରିପାଠୀ ପୁରୀ ଆସି ପ୍ରକଳ୍ପ କାମ ଅନୁଧ୍ୟାନ କରିଛନ୍ତି। ତେବେ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏ ଉପରେ କୌଣସି ମନ୍ତବ୍ୟ ରଖିନାହାନ୍ତି। ଧାଡ଼ିକିଆ ମନ୍ତବ୍ୟ ରଖି କହିଛନ୍ତି ଯେ ଯାହା କିଛି କାମ ହେଉଛି, ଆମ୍ସାର ଆଇନ ଭିତରେ ହେବା ଦରକାର। ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଆସି କାମ ଅନୁଧ୍ୟାନ କରିଛନ୍ତି।
ଆଜି ଷ୍ଟାଣ୍ଡିଂ କମିଟି(ସଂସ୍କୃତି) ଅଧ୍ୟକ୍ଷ ଟି ଜି ଭେଙ୍କେଟେଶଙ୍କ ନେତୃ୍ତ୍ବରେ ୨୨ଜଣିଆ କମିଟି ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲିଥିଲେ। ଏହି ଅବସରରେ କମିଟି ସଦସ୍ୟ ସାଂସଦ ସାମ୍ବାଜି ରାଓ ଛତ୍ରପତି କହିଛନ୍ତି, ଆଜି ଆମେ ମହାପ୍ରଭୁଙ୍କ ଦର୍ଶନ କଲୁ। ଅନେକ ଜାଗାରେ ମନ୍ଦିର କାନ୍ଥରେ କଳା ଲାଗିଥିବା ଦେଖିବାକୁ ପାଇଲୁ। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛୁ। ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ସାଂସଦ କହିଛନ୍ତି, ପ୍ରତ୍ନତତ୍ତ୍ବ ବିଭାଗର ସଂରକ୍ଷଣ କାମ ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ପ୍ରତ୍ନତତ୍ତ୍ବ ବିଭାଗର ଆବଶ୍ୟକ ଅନୁମତି ପୂର୍ବକ ପରିକ୍ରମା ପ୍ରକଳ୍ପ କାମ ହେବା ଦରକାର। ପ୍ରତ୍ନତତ୍ତ୍ବ ବିଭାଗକୁ ବିଶ୍ବାସକୁ ନେଇ ରାଜ୍ୟ ସରକାର କାମ କରିବା ଦରକାର। ଯେହେତୁ ଶ୍ରୀମନ୍ଦିର ଚାରିଧାମ ମଧ୍ୟରେ ଅନ୍ୟତମ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଶ୍ରୀମନ୍ଦିରର ବିକାଶ କାମ କରିବା ଦରକାର ବୋଲି ସେ କହିଛନ୍ତି। ନିୟମ ବାହାରେ ଓ ପ୍ରତ୍ନତତ୍ତ୍ବ ବିଭାଗ ବିନା ଅନୁମତିରେ କାମ ହେବା ଅନୁଚିତ୍। ଆସନ୍ତା ୨୫ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ସେ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ପ୍ରକଳ୍ପ ଉପରେ କେନ୍ଦ୍ର ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ଛତ୍ରପତି କହିଛନ୍ତି। ଗତକାଲି ଭୁବନେଶ୍ବରରେ ଏ ଉପରେ ଏକ ବୈଠକ ଡକାଯାଇଥିଲା ଓ ବିସ୍ତୃତ ଆଲୋଚନା ହୋଇଥିଲା। ଆଜି ବି ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ଏକ ବୈଠକ ଡକାଯାଇଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।
ଆଜି ଅପରାହ୍ଣରେ ପ୍ରତ୍ନତତ୍ତ୍ବ ବିଭାଗ ଏଡିଜି ଡ. ତ୍ରିପାଠୀ, ଭୁବନେଶ୍ବର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ଏମାର ମଠ ଖନନସ୍ଥଳ, ପଶ୍ଚିମଦ୍ବାର ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଡ. ତ୍ରିପାଠୀଙ୍କୁ ନିଷିଦ୍ଧାଞ୍ଚଳରେ ଯେଉଁ ଖନନ ଚାଲିଛି, ସେସମ୍ପର୍କରେ ପ୍ରଶ୍ନ କରାଯାଇଥିଲେ ବି ସେ କୌଣସି ମନ୍ତବ୍ୟ ଦେଇନଥିଲେ। ଯେହେତୁ କୋର୍ଟରେ ମାମଲା ବିଚାରାଧୀନ ରହିଛି, ଏ ଉପରେ କିଛି କହିବା ଅନୁଚିତ୍ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଥିଲେ। ଯାଉ ଯାଉ କହିଥିଲେ ଯେ ଯାହା କିଛି କାମ ହେଉଛି, ନିୟମ ଭିତରେ ହେବା ଦରକାର। ଆମ୍ସାର ଆଇନ ଅନୁସାରେ ହେବା ଦରକାର। ଓଡ଼ିଶାରେ ଥିବା ଐତିହ୍ୟ କୀର୍ତ୍ତିରାଜିର ଅନୁଧ୍ୟାନ ପାଇଁ ସେ ଆସିଛନ୍ତି ଓ ଏହି ଅବସରରେ ସେ ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରୁଛନ୍ତି ବୋଲି ଡ. ତ୍ରିପାଠୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/କୀ465ତକ465ତୀ465ତୀତୀକତୀକ.jpg)