ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରୁ ବାହାର ରାଜ୍ୟକୁ ଜାରି ରହିଥିବା ଦାଦନ ସୁଅ ରୋକାଯାଇପାରୁନାହିଁ। ନା ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇ ପାରୁଛି ନା ସରକାରୀ ନୀତି। ପ୍ରତିଦିନ ଟ୍ରେନ୍ରେ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟକୁ ଦାନା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଯେଉଁ କଥାଟି ଏବେ ଆନ୍ଦୋଳିତ କଲାଣି, ତାହା ହେଉଛି, ଦାଦନଙ୍କ ଶବ ଫେରିବା ଆରମ୍ଭ ହୋଇଛି। ଗତ ୨୦ ଦିନ ମଧ୍ୟରେ କେବଳ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଏବଂ ପାଟଣାଗଡ଼ ବ୍ଲକ୍କୁ ୧୦ଜଣ ଦାଦନଙ୍କ ଶବ ଫେରିଛି।
ସଦ୍ୟ ଭାବେ ଗତ ୧୬ ଓ ୧୭ ତାରିଖର ଦୁଇଟି ଘଟଣାକୁ ପରଖିଲେ ଜିଲ୍ଲାରେ ଦାଦନ ଦୁଃଖ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଗତ ୧୬ ତାରିଖ ସୁଦୂର ଆନ୍ଧ୍ରପ୍ରଦେଶରୁ ସ୍ବାମୀର ଶବ ଧରି ଗାଁକୁ ଫେରିଥିଲା ସ୍ତ୍ରୀ। ପାଟଣାଗଡ଼ ଥାନା କୁଆଁବାଉଁଶ ଗାଁର ରାଏମତି ମାଝୀ ଓ ତାଙ୍କ ସ୍ବାମୀ ଶିବ ମାଝୀଙ୍କ ସହ ତାଙ୍କ ଭାଇ ଓ ଭାଇବୋହୂ ଦାଦନ ଖଟିବାକୁ ଯାଇଥିଲେ। କମ୍ ଖାଦ୍ୟକୁ ଅତ୍ୟଧିକ କାମ ସହି ନପାରି ଶିବ ଟଳି ପଡ଼ିଥିଲେ। ସେ ପ୍ରବଳ ଥଣ୍ଡାରେ ଇଟା ଗଢୁଗଢୁ ଇଟାଭାଟିରେ ଗୁରୁତର ହେଲେ। ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଟଙ୍କା ଧାର କରି ଶବ ଧରି ଗାଁକୁ ଫେରିଥିଲେ ରାଏମତି। କିନ୍ତୁ ଅଗ୍ରିମରେ ଦେଇଥିବା ଟଙ୍କା ପରିଶୋଧ କରିବା ପାଇଁ ଏବେ ମାଲିକ ପାଖରେ ଭାଇ ଓ ଭାଇବୋହୂ ବନ୍ଧା ପଡ଼ିଛନ୍ତି। ଦ୍ବିତୀୟ ଘଟଣା ୧୭ ତାରିଖର। ଏହି ଦିନ ଖପ୍ରାଖୋଲ ବ୍ଲକ ଟେଙ୍ଗରାପଦର ଗାଁର ୨୦ ବର୍ଷୀୟ ଗଣେଶ ବରିହାଙ୍କ ଶବ ଫେରିଥିଲା। ଅଗ୍ରିମ ବାବଦର ଟଙ୍କା ଅସୁଲି ପାଇଁ ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ସଂର୍ପକୀୟ ଅଜା ବୁକାଝୁଲା ଗାଁର ୭୦ବର୍ଷୀୟ ମହେନ୍ଦ୍ର ବରିହା। ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।