ସ୍ବାଧୀନତା ସଂଗ୍ରାମ ଉତ୍ସବରେ ସମସ୍ତେ ସାମିଲ ହୁଅନ୍ତୁ: ନବୀନ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ସମୟ ଅତିକ୍ରାନ୍ତ ହେବା ସହିତ ଆମର ଯୁବପିଢ଼ିଙ୍କୁ ପୂର୍ବସୂରୀମାନଙ୍କ ଅବଦାନ ସଂପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି। ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଘଟଣା ଗୁଡ଼ିକୁ ବିଶେଷଭାବେ ବର୍ଣ୍ଣନା କରିବା ସହିତ ସେସବୁ ସ୍ଥାନଗୁଡ଼ିକର ବିକାଶ କରାଗଲେ ଏହା ସମ୍ଭବ ହୋଇପାରିବ। କମ୍ ପରିଚିତ ନେତାଙ୍କ ଦ୍ବାରା ସଂଘଟିତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ସହିତ ଆନ୍ଦୋଳନର ଜାତୀୟ ରୂପରେଖ ସଂପର୍କରେ ଆଲୋକପାତ କରିବାର ଆବଶ୍ୟକତା ରହିଛି। ସେହିଭଳି ଭାରତ ବାହାରେ ହୋଇଥିବା ଅନେକ ଘଟଣାକୁ ମଧ୍ୟ ଆମକୁ ଧରି ରଖିବାକୁ ହେବ। ସ୍ବାଧୀନତା ଆନ୍ଦୋଳନ ସଂପର୍କରେ ଭାରତର ସମ୍ବିଧାନରେ ଉଲ୍ଲିଖିତ ଆମ ଜାତିର ଜନକଙ୍କ ମୂଲ୍ୟବୋଧ ଏବଂ ଚରିତ୍ରକୁ ଆଗକୁ ନେବା ତାଙ୍କ ପ୍ରତି ଆମର ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ସମୟରେ ଯେଉଁ ଆଦର୍ଶ, ନ୍ୟାୟ ଓ ସମାନତା ଆମ ସ୍ବାଧୀନତା ସଂଗ୍ରାମର ସଂଜ୍ଞା ନିରୂପଣ କରିଥିଲା ଆଜିର ପରିସ୍ଥିତିରେ ତାହାର ପୁନରାବୃତ୍ତି କରାଯିବାର ଆବଶ୍ୟକତା ରହିଛି।

ଏଥିସହିତ ବିଶ୍ବର ଯେଉଁ ସ୍ଥାନରେ ଭାରତୀୟମାନେ ରହିଥିଲେ ମଧ୍ୟ ସଭିଙ୍କୁ ଏହି ଉତ୍ସବରେ ସାମିଲ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ହେବା ଉଚିତ । ପ୍ରଯୁକ୍ତି ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଏହି କାର୍ଯ୍ୟ ହାସଲ କରିବା ମଧ୍ୟ ସଂପୂର୍ଣ୍ଣ ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ଉକ୍ତି-ନିଜକୁ ଖୋଜିବାର ସବୁଠୁ ଭଲ ମାଧ୍ୟମ ହେଲା ଅନ୍ୟମାନଙ୍କ ସେବାରେ ନିଜକୁ ହଜେଇ ଦେବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧାର କରିଛନ୍ତି। ଏହି ପରିପ୍ରେକ୍ଷୀ‌ରେ ଯୁବବର୍ଗ ଏବଂ ନାଗରିକଙ୍କ ମଧ୍ୟରେ ସେବାଭିତ୍ତିକ କାର୍ଯ୍ୟକ୍ରମକୁ ଉକ୍ତ ଉତ୍ସବର ଅଂଶବିଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଉକ୍ତ ଉତ୍ସବ ପାଳନ ପଦକ୍ଷେପ ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର