ମୌଲବୀ ପରୀକ୍ଷାରେ ସମସ୍ତେ ପାସ୍‌, କନିଜ୍‌ ଫାତିମା ଟପର୍‌

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମୌଲବୀ (ମାଟ୍ରିକ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମସ୍ତ ୨୧୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦିଲୱାଲପୁରର ମଦ୍ରାସା ଇସଲାମିଆ ଆରବିଆ ଛାତ୍ରୀ କନିଜ୍‌ ଫାତିମା ୭୦୦ରୁ ୬୪୪ ନମ୍ବର (୯୨%) ମାର୍କ ରଖି ରାଜ୍ୟରେ ଟପର୍‌ ହୋଇଛନ୍ତି। ଚଳିତ ବର୍ଷ ରେଗୁଲାରରେ ୧୯୨ ଜଣ ଓ ଏକ୍ସ-ରେଗୁଲାରରେ ୨୦ ଜଣ ପରୀକ୍ଷା ଦେଇଥିଲେ। କୃତକାର୍ଯ୍ୟ ହୋଇଥିବା ୨୧୨ ଜଣଙ୍କ ମଧ୍ୟରୁ ୧୨୮ ଜଣ ଛାତ୍ର ଓ ୮୪ ଜଣ ଛାତ୍ରୀ ରହିଛନ୍ତି। ଜଣେ ଛାତ୍ରୀ ‘ଏ୧’ ପାଇଥିବା ବେଳେ ୧୧ ଜଣ ‘ଏ୨’, ୩୭ ଜଣ ‘ବି୧’, ୬୮ ଜଣ ‘ବି୨’, ୪୬ ଜଣ ‘ସି’, ୩୨ ଜଣ ‘ଡି’ ଓ ୧୭ ଜଣ ‘ଇ’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆଜି ଭୁବନେଶ୍ବର ୟୁନିଟ୍‌-୯ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ତଥା ମଦ୍ରାସା ଶିକ୍ଷା ପରିଷଦ ସଭାପତି ରଘୁରାମ ଆୟର୍‌ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ଅତିରିକ୍ତ ନିର୍ଦେଶିକା ସ୍ନେହମୟୀ ସେନାପତି, ପରିଷଦର ସମ୍ପାଦକ ଏମ୍‌ଡି ଅଫ୍‌ଜଲ ପରୱେଜ୍‌, ପରିଷଦର କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। ସନ୍ଧ୍ୟାରୁ ବୋର୍ଡର ୱେବସାଇଟ୍‌ ‘osbme.org.in <http://osbme.org.in> ‘ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

କନିଜ୍‌ ଫାତିମା କହିଛନ୍ତି ଯେ ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷା କ୍ଷେତ୍ରରେ କାମ କରିବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର