ଯାଜପୁର/କୋରେଇ: ପରିବେଶ ଜନିତ ସମସ୍ୟା ଏବେ ଆଞ୍ଚଳିକ ସମସ୍ୟା ନୁହେଁ, ବର୍ତ୍ତମାନ ଏହା ସମଗ୍ର ବିଶ୍ବକୁ କବଳିତ କରିଛି। ଏହାକୁ ନେଇ ବିଶ୍ବସ୍ତରରେ ଚିନ୍ତାବ୍ୟକ୍ତ କରାଯାଉଛି। ସମଗ୍ର ବିଶ୍ବ ଏକ ପରିବାର ହୋଇ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ପ୍ରତ୍ୟେକ ବ୍ୟକ୍ତି ଜଣେ ସିପାହୀ ଭଳି ଆଗେଇ ଆସି ଏ ମାନବ ଜାତି, ସମଗ୍ର ଜୀବଜଗତକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି କୋରେଇ ବିଧାୟକ ଆକାଶ ଦାସନାୟକ।
ଗୁରୁବାର ଯାଜପୁର ଜିଲ୍ଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମଣ ପଞ୍ଚାୟତର ଶଙ୍ଖଚିଲାସ୍ଥିତ ମା’ ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ କହିଥିଲେ। ବର୍ତ୍ତମାନ ସମଗ୍ର ବିଶ୍ବବାସୀ ବିଭିନ୍ନ ସମସ୍ୟା ସହିତ ଯୁଝୁଛନ୍ତି।
କେଉଁଠି ଦେଶଦେଶ ମଧ୍ୟ ଯୁଦ୍ଧ ଲାଗିଛି ତ କେଉଁଠି ଜାତି, ଧର୍ମ, ବର୍ଣ୍ଣ ଓ ଗରିବୀକୁ ନେଇ ଲଢ଼େଇ ଚାଲିଛି। କିନ୍ତୁ ଏସବୁ ଭିତରେ ସବୁଠୁ ବଡ଼ ସମସ୍ୟା ହେଉଛି ପରିବେଶଜନିତ ସମସ୍ୟା। ଯାହାର ସମାଧାନ ଓ ସୁରକ୍ଷା କେବଳ ମଣିଷ ହାତରେ ରହିଛି।
ଏ ସୁନ୍ଦର ପୃ୍ଥିବୀକୁ ରକ୍ଷା କରିବାକୁ ହେବ। ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ନିର୍ଦ୍ଦିଷ୍ଟ ସଂଗଠନର ଦାୟିତ୍ବ ନୁହେଁ। ଏଥିପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି ହେବାକୁ ପଡ଼ିବ। ପରିବେଶ ସୁରକ୍ଷାକୁ ନେଇ ‘ସମ୍ବାଦ’ର ଏହି ଅଭିନବ ପରିକଳ୍ପନାକୁ ସେ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏହାକୁ ତୃଣମୂଳସ୍ତରକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁରରୋଡ୍ ବନଖଣ୍ଡ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ପରିବେଶର ସୁରକ୍ଷା କରିବା ଦାୟିତ୍ବ ଆମ ସମସ୍ତଙ୍କର।
ଭଗବାନ ପୃଥିବୀପୃଷ୍ଠରେ ସବୁକିଛି ସୁନ୍ଦର ଭାବେ ସଜାଡ଼ି ମଣିଷକୁ ଶେଷରେ ଧରାପୃଷ୍ଠକୁ ଛାଡ଼ିଥିଲେ। କିନ୍ତୁ ନିଜର ଆବଶ୍ୟକତା ଅନୁଯାୟୀ, ମଣିଷ ପ୍ରକୃତିକୁ ଯେତିକି ଉପଭୋଗ କରୁଛି ଓ ନଷ୍ଟ କରୁଛି ସୁରକ୍ଷା ପାଇଁ ସେତିକି ଯତ୍ନବାନ ବା ସଚେତନ ହେଉନାହିଁ। ସବୁଠୁ ଦୁଃଖର ବିଷୟ ଏବେ ମଣିଷ ସୁନ୍ଦର ପୃଥିବୀ ବଦଳରେ ମଙ୍ଗଳଗ୍ରହରେ ରହିବାକୁ ଚିନ୍ତା କରୁଛି। ଏହା ଏତେ ସହଜ ନୁହେଁ। ଏବେ ବି ସମୟ ଅଛି ମଣିଷ ରହୁଥିବା ପୃଥିବୀକୁ ସଜାଡ଼ିବାକୁ ପଡ଼ିବ। ପୃଥିବୀ ବା ପ୍ରକୃତି ଆମର ମା’। ମା’କୁ ସୁରକ୍ଷା ଦେବା ସହିତ ଏଠାରେ ସମସ୍ତେ ରହିବା ଦରକାର ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରେଇ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଦଳେଇ ଓ ଖମଣ ସରପଞ୍ଚ ଜୟନ୍ତୀ ରାଉତ ଉପସ୍ଥିତ ରହି ବିଧାୟକଙ୍କ ଉଦ୍ୟମରେ କୋରେଇ ନିର୍ବାଚନମଣ୍ଡଳୀରେ ଚାଲିଥିବା
‘ସବୁଜ କୋରେଇ ଅଭିଯାନ’କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅତିଥିମାନେ ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ। ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ‘ସମ୍ବାଦ’ର କୋରେଇ ପ୍ରତିନିଧି ବିରଞ୍ଚି ନାରାୟଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।
Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/28/everyone-should-be-a-soldier-for-environmental-protection-akash-2025-08-28-22-41-05.jpg)