ନୟାଗଡ଼: ଜଣେ ସୁସ୍ଥ ମଣିଷ ପାଇଁ ପ୍ର‌ତ୍ୟେକ ଦିନ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ। ଯେତେବେଳେ ସଭ୍ୟତା ବଢ଼ିନଥିଲା ସେତେବେଳେ ବିପୁଳ ଓ ବହୁଳ ପରିମାଣର ବୃକ୍ଷସମ୍ପଦ ରହିଥିଲା। ଏବେ ତାହାର ଅଧାରୁ ଯଥେଷ୍ଟ କମ୍ ଗଛ ରହିଛି। ପ୍ରତିବର୍ଷ ବିଭିନ୍ନ କାରଣରୁ ସାରା ବିଶ୍ବରେ ୧୫ ଶହ କୋଟିରୁ ଅଧିକ ଗଛ କଟାଯାଉଛି। ଯାହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ୁଛି ଓ ଏହାର ପରିଣାମ ଆମେ ସମସ୍ତେ ଭୋଗୁଛୁ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। 

Advertisment

ବୁଧବାର ନୟାଗଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଲେ, ପ୍ରଥମେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ଆବଶ୍ୟକ। ଅନେକ ଲୋକ ସଚେତନ ଥିଲେ ମଧ୍ୟ ପରିବେଶ ପ୍ରତି ସ୍ବତନ୍ତ୍ର ଭାବେ ଦାୟିତ୍ବ ନେଉ ନାହାନ୍ତି। ପୃଥିବୀ ପୂର୍ବରୁ ଯେଉଁ ଅବସ୍ଥାରେ ଥିଲା ପୁନର୍ବାର ସେହି ଅବସ୍ଥାକୁ ଆଣିବା ପାଇଁ ହେଲେ ବ୍ୟାପକ ବୃକ୍ଷରୋପଣ, ପ୍ଲାଷ୍ଟିକ୍‌ ବର୍ଜନ ଓ ଘରେ ଘରେ ସମସ୍ତେ ସଚେତନ ହେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ‘ପୁନଶ୍ଚ ପୃଥିବୀ’ର ପରିକଳ୍ପନା ଭିନ୍ନ ଏକ ଢଙ୍ଗରେ ପ୍ରଦାନ କରିଥିଲେ। ତାଙ୍କ କହିବା ମୁତାବକ, ବର୍ତ୍ତମାନ ବାୟୁମଣ୍ଡଳରେ ୨୧% ଅମ୍ଳଜାନ ରହିଛି। ଯଦି ଏହା ୩୦% କିମ୍ବା ଆହୁରି ବୃଦ୍ଧି ପାଏ, ତେବେ ସେତ‌େବେଳେ ଜୀବଜଗତ ଭିନ୍ନ ଏକ ଦୁନିଆରେ ବଞ୍ଚିବେ।

ଏହି କଥାବସ୍ତୁର ପରିକଳ୍ପନା କରାଯାଇ ଏହାକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ଚଳଚ୍ଚିତ୍ରକୁ ସେ ଦେଖିଥିଲେ। ସେତେବେଳେ ରାମାୟଣ ଓ ମହାଭାରତରେ ଯେଉଁ ଯେଉଁ ଚରିତ୍ର ଥିଲା ଓ ପରିବେଶ ପରିସ୍ଥିତି ଯେମିତି ରହିଥିଲା, ବାୟୁମଣ୍ଡଳରେ ସେତିକି ପରିମାଣର ଅମ୍ଳଜାନ ରହିଲେ, ସମସ୍ତେ ପୁଣି ଥରେ ସେହି ଦିନକୁ ଫେରିଯିବେ। ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଏହି ପଦ‌କ୍ଷେପ ପରପିଢ଼ି ଲାଗି ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ। ଅତିଥି ଭାବେ ଯୋଗ ଦେଇ ପୌରାଧ୍ୟକ୍ଷା ନିରୁପମା ଖଟେଇ କହିଲେ ଯେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଋତୁଗୁଡ଼ିକ ମଧ୍ୟରେ ତାଳମେଳ ରହୁନାହିଁ। ଛଅଟି ଋତୁକୁ ଖୋଜି ପାଇବା ଆଜି ସମ୍ଭବ ହେଉନାହିଁ। ଚାଷବାସ ସବୁକିଛି ପ୍ରଭାବିତ ହେଲାଣି। ଏମିତିକି ବଦଳୁଥିବା ଜଳବାୟୁ ଯୋଗୁ ପରିବାରରେ ମଧ୍ୟ ଶାନ୍ତି ବଜାୟ ରଖିବା ସମ୍ଭବ ହେଉନାହିଁ। ରାସାୟନିକ ସାର ବଦଳରେ ଜୈବିକ ସାର ବହୁଳ ଭାବରେ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ସନ୍ଦୀପ କୁମାର ଲେଙ୍କା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘କନକ ନ୍ୟୁଜ’ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାଜସେବୀ ରୁଦ୍ରପ୍ରସନ୍ନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।