ବ୍ରହ୍ମପୁର: ପୃଥିବୀ ଏବେ ପ୍ରଦୂଷିତ। ବିକାଶ ନାଁରେ ଆମେ ଧ୍ବଂସ ଆଡ଼କୁ ଗତି କରୁଥିବା ବେଳେ ବର୍ଷକରେ ଆଉ ଛଅ ଋତୁ ମଧ୍ୟ ଅନୁଭବ ହେଉନି। ପାଣିପାଗରେ ଯଥେଷ୍ଟ ପରିବର୍ତ୍ତନ ଯୋଗୁଁ ଅଦିନିଆ ବର୍ଷା ସାଙ୍ଗକୁ ବାତ୍ୟା ଓ ବନ୍ୟା ପରିସ୍ଥିତି ଦେଖାଦେଉଛି। ସମୁଦ୍ରକୂଳ ଲଙ୍ଘି ସ୍ଥଳଭାଗକୁ ମାଡ଼ି ଆସୁଛି। ନଦୀଶଯ୍ୟା ବର୍ଷସାରା ଶୁଖିଲା ପଡ଼ୁଛି। ଆମ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଏନେଇ ବର୍ତ୍ତମାନ ହିଁ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ଏହାସହ ପରିବେଶ ସୁରକ୍ଷା ଦିଗରେ ଆମକୁ ଯତ୍ନବାନ ହେବା ଜରୁରି ହୋଇପଡ଼ିଛି। ପରିବେଶ ସୁରକ୍ଷା ନେଇ ସମସ୍ତେ ଅଧିକରୁ ଅଧିକ ସଚେତନ ହେବା ସହ ପରିବାର ଓ ସଂପର୍କୀୟଙ୍କୁ ମଧ୍ୟ ସଚେତନ କରାନ୍ତୁ। ‘ସମ୍ବାଦ’ ପକ୍ଷରୁ ବ୍ରହ୍ମପୁରରେ ଅନୁଷ୍ଠିତ ‘ପୁନଶ୍ଚ ପୃଥିବୀ’ ଅଭିଯାନର ତୃତୀୟ ସଂସ୍କରଣରେ ଯୋଗ ଦେଇ ଅତିଥିଗଣ ଏହି ମତ ରଖିଛନ୍ତି।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ପୃଥିବୀର ପୂର୍ବାବସ୍ଥା ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଖି ବନ୍ଦ କଲେ ଆମକୁ ଆମ ପ୍ରାବଧାନରେ ଥିବା ଅଦୃଶ୍ୟ ବିଷୟ ବି ଦୃଶ୍ୟମାନ ହୋଇଥାଏ। ସେ ଭିତରେ ପୁନଶ୍ଚ ପୃଥିବୀ ଭଳି ଶଦ୍ଦ ମଧ୍ୟ ଆମ ମନକୁ ଆସିବ। ଆଉ ସେ ଦିନ ନାହିଁ। ଆମେ ୪୦ ବର୍ଷ ତଳର କଥା କହିଲେ ହେବ ନାହିଁ। ସମସ୍ତେ ମିଳିମିଶି ଏବେ ପରିବେଶ ପ୍ରଦୂଷଣର ନିରାକରଣ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କାରଣ ଆଉ ଛଅଟି ଋତୁ ମଧ୍ୟ ଅନୁଭବ ହେଉନି। ଅନିୟମିତ ବର୍ଷା ଯୋଗୁଁ ଚାଷ କାମ ତ୍ବରାନ୍ବିତ ହୋଇପାରୁନି। ୮ ଝଡ଼ବର୍ଷା, ୧୬ ବର୍ଷା, ୩୨ ଝିପିଝିପି ବର୍ଷା ଓ ୬୪ କୁଣ୍ଡା ଝାଡ଼ିଲା ଭଳି ବର୍ଷାରେ ଚାଷକାମ ସୁଗମ ହେଉଥିଲା ବୋଲି ଲୋକଗୀତ ରହିଆସିଛି। ଭୋଗବାଦ ପରିବେଶ ନଷ୍ଟର ଆଉ ଏକ କାରଣ। ଆବଶ୍ୟକତାକୁ ସଂକୁଚିତ କରି ଭୋଗବାଦକୁ ନିୟନ୍ତ୍ରଣରେ ରଖିଲେ ପ୍ରକୃତିକୁ ବଞ୍ଚାଇ ପାରିବା ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ସେ ନିଜେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନଥିବା କହିଥିଲେ। ତେଣୁ କେବଳ କହିଲେ ହେବ ନାହିଁ। ଏଥିପାଇଁ ସଂକଳ୍ପ ନେବା ସହ ସମସ୍ତେ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ପରିବେଶ ପ୍ରଦୂଷଣ ହେବା ଦ୍ବାରା ଆମ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି ବୋଲି କହିଥିଲେ। ବର୍ତ୍ତମାନ ମଣିଷର ହାରାହାରି ଆୟୁ କମିବାରେ ଲାଗିଲାଣି। ୬୦ ବର୍ଷ ବୟସ ବେଳକୁ ବିଭିନ୍ନ ରୋଗ ମାଡ଼ିଆସୁଛି। ‘୫-ଜ’ ଅର୍ଥାତ୍ ଉତ୍ତମ ଜଳ, ଜଙ୍ଗଲ, ଜନ୍ତୁ, ଜନବସତି ଓ ଜଳବାୟୁକୁ ନେଇ ଜୀବନ ବଞ୍ଚୁଥିବା କହିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ଆମ ପର ପିଢ଼ିକୁ ସୁରକ୍ଷା ଦେଇପାରିବା ନାହିଁ। ତେଣୁ ପରିବେଶକୁ ପ୍ରଥମେ ଦୃଷ୍ଟି ଦେବା, ପରେ ଆଗକୁ ବଢ଼ିବା। ‘କିଏ କରୁ ବା ନ କରୁ ମୁଁ କିନ୍ତୁ ଏହି କାମ କରିବି’ ବୋଲି ସଂକଳ୍ପ ନେବାକୁ ସେ ପରାମର୍ଶ ଦେଇଥିଲେ। ଲୋକେ ଏବେ ହେଜିଲେଣି। ତେଣୁ ଏଠାରୁ ହିଁ ପ୍ରତିଟି ଲୋକ ପାଖକୁ ଗଛଟିଏ ଲଗାଇବାକୁ ବାର୍ତ୍ତା ଯିବା ଦରକାର ବୋଲି କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ପରିବେଶ ସୁରକ୍ଷା ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଆସ ସମସ୍ତେ ଅନ୍ୟମନସ୍କ ହେବା ଅର୍ଥାତ୍ ନିଜ କଥା ଛାଡ଼ି ଅନ୍ୟମାନଙ୍କ କଥା ଚିନ୍ତା କରିବା। ଜଙ୍ଗଲ, ପାଣି ଓ ଆଲୁଅକୁ ଠିକ୍ ଭାବେ ପରିଚାଳନା କରି ଜାଣିଲେ ଆମେ ପ୍ରକୃତିର ସୁରକ୍ଷା ସହ ପୁନଶ୍ଚ ପୃଥିବୀ କଥା ଭାବିପାରିବା ବୋଲି କହିଥିଲେ।
‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ‘ସମ୍ବାଦ’ ପରିବାର ଯେଉଁ ସଂକଳ୍ପ ନେଇଛି ସେଥିରେ ବିଭିନ୍ନ ବର୍ଗର ଲୋକ ଯୋଡ଼ି ହେବାରେ ଲାଗିଛନ୍ତି। ତେବେ ନିର୍ବାଚିତ ଜନପ୍ରତିନିଧିମାନେ ଅଧିକରୁ ଅଧିକ ସାମିଲ ହେଲେ ପରିବେଶ ସୁରକ୍ଷା ଅଭିଯାନ ସହଜ ହୋଇପାରିବ। ପ୍ରତିଟି ଅଞ୍ଚଳରେ ପରିବେଶ ଯୋଦ୍ଧା ସୃଷ୍ଟି କରିବା ସହ ରାଜ୍ୟର ବିଭିନ୍ନ କୋଣରେ ‘ସମ୍ବାଦ’ ପରିବାର ପହଞ୍ଚି ପରିବେଶ ସୁରକ୍ଷା ଦିଗରେ ସଚେତନ କରିବାକୁ ସଂକଳ୍ପ ନେଇଥିବା କହିଥିଲେ। ପରିବେଶ ବିଷୟରେ ଜାଣନ୍ତୁ ଓ ପରିବାରର ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ଜଣାନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରବୀନ୍ଦ୍ରନାଥ ସାହୁ, ଶିବରାମ ପାଣିଗ୍ରାହୀ, ସାଗର କୁମାର ପାତ୍ର, ପର୍ଶୁରାମ ପ୍ରଧାନ, ବାଇଧର ମଣ୍ଡଳ, ଟୁକୁନା ପ୍ରଧାନ ଓ ସୁବାସ ମହାରଣାଙ୍କୁ ‘ସମ୍ବାଦ’ ପରିବେଶ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହାସହ ପରିବେଶ ସୁରକ୍ଷା ଦିଗରେ ସହଯୋଗର ହାତ ବଢ଼ାଇଥିବା ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ପାରଳାଖେମୁଣ୍ଡିସ୍ଥିତ ହୋଟେଲ୍ ସାଇ ଇଣ୍ଟର୍ନ୍ୟାସନାଲ୍, ହାଇଟେକ୍ ହସ୍ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ନାତୁଣୀ ତଥା ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ କନ୍ୟା ଧର୍ତୀମୋକ୍ଷ ପାଣିଗ୍ରାହୀ, କେଏନ୍ପି ଡେଭ୍ଲପର୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଚିନ୍ତଡ଼ା ବାବୁ ପାତ୍ର, ମନୁସେନା ସମ୍ପାଦିକା ମୀନା ଦ୍ୟାନସାମନ୍ତରାଙ୍କ ପ୍ରତିନିଧି ଦଳ, ସ୍ପାଇସ୍ ଗାର୍ଡେନ୍ର ମାଲିକ ତଥା ସମାଜସେବୀ ଭିକି ସେଠୀ, ସିଏମ୍ଆର୍ ମଲ୍ର ଲୋକସମ୍ପର୍କ ଅଧିକାରୀ ଧୀରେନ୍ଦ୍ର ପରିଚ୍ଛା, ସମାଜସେବୀ ଏ.ସନ୍ତୋଷ ପାତ୍ର, ଫ୍ଲୋରା ଫାଉଣ୍ଟେନ୍ ଆଣ୍ଡ ଆମ୍ୟୁଜ୍ମେଣ୍ଟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦେବୀପ୍ରସାଦ ପଟ୍ଟନାୟକ, ବିଷ୍ଣୁପ୍ରିୟା ଗ୍ରାମୀଣ ଇଣ୍ଡେନ୍ ସର୍ଭିସେସ୍ର ବିଷ୍ଣୁପ୍ରିୟା ସାହୁ, ସମାଜସେବୀ ଏସ୍.ଅଜିତ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।