ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ବିକଶିତ ଭାରତ ଗଢ଼ିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜନିଜ କ୍ଷେତ୍ରରେ ଗୋଟିଏଗୋଟିଏ ପାଦ ଆଗକୁ ବଢ଼ାଇବା ଏବଂ ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡ଼ି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ମାଲଗୁଣ୍ଡ ଗାଁ ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହୋଇ ଶ୍ରୀ ପ୍ରଧାନ ଏକଥା କହିଛନ୍ତି।

Advertisment

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଚାରିଟି ଜାତି ଅର୍ଥାତ ମହିଳା, ଯୁବକ, କୃଷକ ଏବଂ ଗରିବଙ୍କର ଉନ୍ନତି ଘଟିଲେ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ । ଏହାସହ ଲୋକଙ୍କୁ ‘ନମୋ ଆପ୍, ‘ମାଇ ଭାରତ ସଂଗଠନ’ରେ ଯୋଡ଼ିହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ କରାଇଥିଲେ। ସଭାରେ ରେଂଗାଲି ବିଧାୟକ ନାଉରୀ ନାୟକ, ମାନେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷା ଋକ୍ମିଣୀ ମହାନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ। ବିଡିଓ ପ୍ରଣବ ଚାନ୍ଦ ମଂଚାସୀନ ଥିଲେ।