କଟକ: ଓଡ଼ିଶା ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ବିକଶିତ ରାଜ୍ୟ ହେବାକୁ ଯାଉଛି I ରାଜ୍ୟର ବିକାଶ ଓ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଦରକାର। ପ୍ରତିକୂଳ ପରିସ୍ଥିତିରେ ଜନ୍ମ ନେଇଥିବା ଓଡ଼ିଶାର ଏକ ପ୍ରତିଷ୍ଠିତ ମସଲା କମ୍ପାନି ଆଜି ଭାରତ ନୁହେଁ ଦେଶ ବିଦେଶରେ ନାମ କମେଇଛି। ଓଡ଼ିଆ ପୁଅର ଏହି ଗରିମା ଆଜି ସାରା ଦେଶ ଦେଖୁଛି। ୨୫ ବର୍ଷର ଯୁବକ ପାଲଟିଥିବା ଭାରତ ମସଲା କମ୍ପାନି ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ୧୦ ହଜାର ପରିବାର ମୁହଁରେ ଦାନା ଦେଇପାରିଛି। ସେଥ‌ିପାଇଁ ଏହାର ପ୍ରତିଷ୍ଠାତା ଓ ପରିବାରକୁ ଯେତେ ପ୍ରଶଂସା କଲେବି କମ ପଡ଼ିବ ବୋଲି ପୁରୀ ଶରଧାବାଲି ମଣ୍ଡପ ଠାରେ ଭାରତ ମସଲା ପକ୍ଷରୁ ଭାରତ ସମ୍ପର୍କ ରଥକୁ ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ରାଜ୍ୟ ମତ୍ସ୍ୟ ଓ ଅଣୁ, କ୍ଷୁଦ୍ର,ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନ୍ଦ ମଲ୍ଲିକ କହିଛନ୍ତି। ସମ୍ମାନିତ ଅତିଥିଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଜ‌ୟ ଭାରତ ଫାଉଣ୍ଡେସନ ପକ୍ଷରୁ ୨୫ ବର୍ଷ ପ୍ରତିଷ୍ଠା ଦିବସରେ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଗୁଆ, ନିମନ୍ତ୍ରଣ ପତ୍ର ପ୍ରେରଣ କରିବା ଓଡ଼ିଆ ପରମ୍ପରାର ଏକ ନିଆରା ନିଦର୍ଶନ ବୋଲି କହିଥିଲେ।

Advertisment

ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ପୌରୋହିତ କରି ଭାରତ ମସଲା କମ୍ପାନିର ଦୀର୍ଘ ୨୫ ବର୍ଷର ଉତ୍‌ଥାନ ପତନ ସଂକ୍ରାନ୍ତରେ ମତ ରଖିଥିଲେ। ଅତିଥିମାନଙ୍କୁ ଏସ୍‌ଏନ୍‌ ମିଲେନିୟମ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗୋଟିଏ ବସ୍ତାରୁ ଆରମ୍ଭ କରିଥିବା ମସଲା କମ୍ପାନି ଆଜି ସାରା ବିଶ୍ୱକୁ ବିସ୍ତାର ହୋଇଛି ବୋଲି କହିଥିଲେ। ଜିଏମ୍ ଅପରେସନ ଅରୁଣ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା‌ ବେଳେ ଉତ୍ପାଦନ ମୁଖ୍ୟ ନବକୃଷ୍ଣ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ଅତିଥିମାନେ ସବୁଜ ପତାକା ଦେଖାଇ ଭାରତ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ନମିତା ପଣ୍ଡା, ନିର୍ଦେଶକ ସୁମନ୍ତ ପଣ୍ଡା,ଦିଗନ୍ତ ପଣ୍ଡା, ଭାରତ ମସଲା କମ୍ପାନି ଓ ଜୟ ଭାରତ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।