ଭୁବନେଶ୍ବର: ଆଜି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ଭିତରୁ ଜଣେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଜଣେ। ଆମେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ବର୍ଗରୁ ଆସି ଦେଶ ଓ ରାଜ୍ୟ ପାଇଁ କାମ କରୁଛୁ। ପଦ ପଦବିରେ ନଥିଲେ ମଧ୍ୟ ଇଚ୍ଛାଶକ୍ତି ବଳରେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ଆମେ ଯଦି ବିକାଶରେ ସମାନତା ଆଣି ପାରିବା ତେବେ ଯାଇ ବିକଶିତ ଭାରତ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ବୟ ପରିଷଦର ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ। ଶପଥ ନେବାର ଘଣ୍ଟାଏ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେଲୁ ଓ ପରଦିନ ଖୋଲିଲୁ। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ଯାହା ୪୬ ବର୍ଷ ଧରି ହୋଇପାରୁନଥିଲା, ତାହା କରିପାରିଲୁ। ରତ୍ନ ଭଣ୍ଡାର ଖୋଲିଲୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କଲୁ। ଯଦି ଇଚ୍ଛାଶକ୍ତି ନାହିଁ, କୌଣସି କାମ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

Advertisment

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହ
ବିକାଶରେ ସମାନତା ଆସିଲେ ବିକଶିତ ଭାରତ ଗଠନ ହୋଇପାରିବ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢ଼ିବାକୁ ହେବ। ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ସମସ୍ତେ ସମର୍ପିତ ଅଛୁ। ସାମଗ୍ରିକ ଭାବେ ଓଡ଼ିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡ଼ିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସର୍ବାଙ୍ଗୀନ ଉନ୍ନତି ସହିତ ଅନୁନ୍ନତ ଓ ପଛୁଆ ଭାବେ ଯେଉଁମାନେ ସମାଜରେ ତଳ ସ୍ତରରେ ରହିଯାଇଛନ୍ତି ସେମାନଙ୍କ ହାତ ଧରି ସେମାନଙ୍କୁ ଆଗକୁ ବଢ଼େଇବାକୁ ପଡ଼ିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସେମାନଙ୍କର ହକ୍‌ ଧୀରେ ଧୀରେ ମିଳୁଥିବାବେଳେ ରାଜ୍ୟ ସରକାର ସେମାନଙ୍କ ପାଇଁ ବହୁତ ନୂଆ ଯୋଜନା ଆରମ୍ଭ କରୁଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ନେତୃତ୍ୱ ଏକ କ୍ଷମତା ନୁହଁ, ଏହା ଏକ କର୍ତ୍ତବ୍ୟ। ଏହା ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆଜି ଓଡ଼ିଶାରେ ଲୋକଙ୍କ ସରକାର ଗଠନ ହୋଇଛି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ, ରାଜ୍ୟ ସରକାର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରୁଛନ୍ତି। ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଗକୁ ନେବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ଆମ ସମସ୍ତଙ୍କର ସେଥିରେ ଭାଗିଦାରୀ ଅଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଆମ ପାଖରେ ଯେଉଁ ଦାୟିତ୍ୱ ଅଛି, ଯେଉଁ ଯୋଜନା ଅଛି ସେଗୁଡ଼ିକ କିପରି ସମାଜର ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ସେ ଦାୟିତ୍ୱ ଆମର। ଯଦି ଆମେ ସମସ୍ତେ ନିଜ ନିଜ ସ୍ତରରେ ଠିକ୍ ଭାବେ କାମ କରିବା ତେବେ ବିକାଶ ସହିତ ସମସ୍ତଙ୍କ କଲ୍ୟାଣ ସାଧନ ହେବ।

ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ, ରାଜ୍ୟ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ୫ ବର୍ଷରେ ଓଡ଼ିଶାକୁ ଦାଦନମୁକ୍ତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ସମେତ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପ୍ରାୟ ୨୩ ଜଣ ବିଧାୟକଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ସଭାପତି ଧନଞ୍ଜୟ ହେମ୍ବ୍ରମ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।