ରାଜ୍ୟରେ ସବୁ ଠିକ୍‌ଠାକ୍ ଚାଲିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସାମଗ୍ରିକ ଭାବେ ଶାନ୍ତିପୂର୍ଣ୍ଣ ଥିଲା। ଏହି ସମୟରେ ରାଜ୍ୟରେ କୌଣସି ସାମ୍ପ୍ରଦାୟିକ ମତଭେଦ ହୋଇନାହିଁ। ପଞ୍ଚାୟତ ନିର୍ବାଚନ-୨୦୨୨, ପୌର ନିର୍ବାଚନ-୨୦୨୨ ଏବଂ ବିଭିନ୍ନ ସମବାୟ ସମିତିର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଦୁଇ ବର୍ଷ ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଯୋଗଦେଇଥିବା ବେଳେ ବ୍ୟାପକ ପୁଲିସ ବ୍ୟବସ୍ଥା ଯୋଗୁ ଏହା ସୁରୁଖୁରରେ ଶେଷ ହୋଇଛି। ବିଧାନସଭାରେ ଗୃହ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଭର୍ଚୁଆଲ ମୋଡ୍‌ରେ ଗୃହ କାର୍ଯ୍ୟରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସାମଗ୍ରିକ ନକ୍ସଲ ହିଂସାର ମାତ୍ରା କମିଛି। ନକ୍ସଲ ଅଧ୍ୟୁସିତ ଅଞ୍ଚଳରେ ମାଓବାଦୀଙ୍କ ଉଦ୍ୟମ ସତ୍ତ୍ବେ ପଞ୍ଚାୟତ ନିର୍ବାଚନରେ ଅଧିକ ମତଦାନ ହେବା ସହ କୌଣସି ଅଘଟଣ ଘଟିନାହିଁ। ମୋ ସରକାରରେ ପୁଲିସ କଳକୁ ଉଭୟ ମାନବସମ୍ବଳ ଓ ଭିତ୍ତିଭୂମି ଦୃଷ୍ଟିରୁ ସଶକ୍ତ କରିବାକୁ ଅଗ୍ରାଧିକାର ଦିଆଯାଇଛି। ଗତବର୍ଷ ଓଡ଼ିଶା ପୁଲିସରେ ବିଭିନ୍ନ ରୢାଙ୍କରେ ୯୪୪ଟି ପଦବି ସୃଷ୍ଟି କରାଯାଇଛି। ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପାଇଁ ବି ଉତ୍ସର୍ଗୀକୃତ ଥାନା କରାଯାଇଛି। ଏହାସହ ପୁଲିସ, ଜେଲ୍‌ ଏବଂ ଓଡ଼ିଶା ଅଗ୍ନି ସେବାରେ ଏସ୍‌ଆଇ/ଏଏସ୍‌ଆଇ ରୢାଙ୍କରେ ୧୭୩୦ଟି ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ୨୮ଟି ପୁଲିସ ଆଉଟପୋଷ୍ଟ ପାଇଁ ସରକାର ୨୦୦ଟି ପଦବି ସୃଷ୍ଟି କରିଛନ୍ତି। ସେହିପରି ଚଳିତବର୍ଷରେ ବର୍ତ୍ତମାନ ସୁଦ୍ଧା ୩ଟି ଆଇଆର୍‌ ବାଟାଲିଅନରେ ୩ଟି ସିକ୍ୟୁରିଟି କମ୍ପାନି ଗଠନ କରି ବିଭିନ୍ନ ରୢାଙ୍କ ପାଇଁ ୬୬୩ଟି ପଦବି ସୃଷ୍ଟି କରିଛନ୍ତି। ଜେଲ୍‌ଗୁଡ଼ିକରେ ଭିତ୍ତିଭୂମିର ଆଧୁନିକୀକରଣକୁ ଉନ୍ନତ କରିବା ପାଇଁ ପ୍ରିଜନ୍‌ସ ଡେଭଲପମେଣ୍ଟ ବୋର୍ଡ ଗଠନ କରାଯାଇଛି। କଏଦୀନମାନଙ୍କର ଦକ୍ଷତା ଅନୁଯାୟୀ ମଜୁରୀ ବଢ଼ାଯାଇଛି। ସାମାଜିକ ଅନ୍ତର୍ଭୁକ୍ତି ତଥା ସମାଜର ସମସ୍ତ ବର୍ଗର ଉନ୍ନତିର ଅଂଶ ଭାବେ କିନ୍ନରମାନଙ୍କୁ ଓଡ଼ିଶା ପୁଲିସରେ ସବ୍‌ ଇନ୍ସପେକ୍ଟର ପଦବି ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଇଛି।

ମୋ ସରକାର ମାନବଚାଲାଣ ନିରୋଧୀ ୟୁନିଟ, ମହିଳାଙ୍କ ଉପରେ ହେଉଥିବା ଅପରାଧର ତଦନ୍ତ ପାଇଁ ଅନୁସନ୍ଧାନ ୟୁନିଟ, ମହିଳା ଏବଂ ଶିଶୁ ଡେସ୍କ, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଭଳି ଶାଖା ଖୋଲିବା ସହ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ସମସ୍ତ ମହିଳା ଜନିତ ନୃଶଂସ ଅପରାଧକୁ ‘ରେଡ୍‌ ଫ୍ଲାଗ୍‌ କେସ୍‌’ ଭାବେ ଗଣା ହେଉଛି। ରାଜ୍ୟର ସବୁ ଥାନାରେ ସିସିଟିଭ ଲଗାଇବାକୁ ନିଷ୍ପତ୍ତି ହୋଇଥିବାବେଳେ ୫୯୩ଟି ଥାନାରୁ ବର୍ତ୍ତମାନ ସୁଦ୍ଧା ୫୮୪ଟି ଥାନାରେ ସିସିଟିଭି ଲାଗିଛି। ବର୍ତ୍ତମାନ ବଢ଼ୁଥିବା ସାଇବର ଅପରାଧକୁ ମୁକାବିଲା କରିବା ପାଇଁ ରାଜ୍ୟରେ ୧୫ଟି ସାଇବର ଅପରାଧ ଏବଂ ଅର୍ଥ‌ନୈତିକ ଅପରାଧ ପୁଲିସ ଥାନା ପ୍ରତିଷ୍ଠା କରାଯାଇଛି। ଅଭିଯୋଗକାରୀ ଏବଂ ନାଗରିକ ମତାମତ ମାଧ୍ୟମରେ ସର୍ବୋଚ୍ଚ ସ୍ତରର ଉତ୍ତରଦାୟିତ୍ବ ଓ ସ୍ବଚ୍ଛତା ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଥାନାକୁ ‘ମୋ ସରକାର’ ଅଧୀନରେ ରଖାଯାଇଛି। ଯେଉଁ ଲୋକମାନେ ଥାନାକୁ ଆସିଛନ୍ତି ସେଥିରୁ ୭୮ହଜାରରୁ ଅଧିକ ଲୋକଙ୍କୁ ଫୋନ୍‌ କରାଯାଇଛି। ଏଥିରୁ ୯୦%ରୁ ଅଧିକୁ ଲୋକ ଭଲ ରେଟିଂ ଦେଇଛନ୍ତି।

ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକମାନେ ଗଣତନ୍ତ୍ରର ଆତ୍ମା। ଉତ୍ତମ ଶାସନର ଲକ୍ଷଣ ହେଉଛି ନାଗରିକ ସନ୍ତୁଷ୍ଟ। ୫ଟି ଶାସନ ଅଧୀନରେ ‘ମୋ ସରକାର’ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଶୀଳ ପଦକ୍ଷେପ। ସମସ୍ତ ବିଭାଗ ୫ଟି ଅଧୀନରେ ପରିବର୍ତ୍ତନଶୀଳ ପଦକ୍ଷେପ ଏବଂ ସେବା ବିତରଣ ପାଇଁ ଏକ କାର୍ଯ୍ୟଶୈଳୀ ଅନୁମୋଦିତ। ‘ମୋ ସରକାର’ ବିଭାଗଗୁଡ଼ିକରେ କାର୍ଯ୍ୟକାରୀ କରାଯାଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ‘ମୋ ସରକାର’ ଫୋନ୍‌ କଲ୍‌ ମାଧ୍ୟମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଆନୁଷ୍ଠାନିକ ପରିବର୍ତ୍ତନ ଦିଗରେ ସେମାନଙ୍କ ମତାମତ ଆଧାରରେ ପଦକ୍ଷେପ ନିଆଯାଇଛି।

ଜନସେବାଗୁଡ଼ିକର ଠିକ୍‌ ସମୟରେ ଏବଂ ଅସୁବିଧାମୁକ୍ତ ବିତରଣକୁ ନିଶ୍ଚିତ କରିବାକୁ, ମୋ ସରକାର ୩୧ଟି ବିଭାଗର ୪୧୨ଟି ଜନସେବାକୁ ଓଡ଼ିଶା ଜନସେବା ଅଧିକାର ଆଇନ ଅଧୀନରେ ରଖିଛି।

ସେହିପରି ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସିକୁ ନିୟମିତ ବ୍ୟବଧାନରେ ପରୀକ୍ଷା କରି ନିଯୁକ୍ତି ଦେବାକୁ କୁହାଯାଇଛି। ସେହିପରି ପ୍ରଶାସନରେ ଦକ୍ଷତା ଆଣିବା ପାଇଁ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ୧୬୪ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର/ ସରକାରୀ ଚାକିରିରୁ ବହିଷ୍କାର/ ପେନସନ୍‌ ସ୍ଥଗିତ ଭଳି ପଦକ୍ଷେପ ନିଆଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୬୭କୋଟି ଖର୍ଚ୍ଚ ହୋଇଛି। ଏହାସହ ବହୁ ଲୋକଙ୍କୁ ପ୍ରମୁଖ ରୋଗର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରାଯାଇଛି। ଲୋକଙ୍କ ଅଭିଯୋଗର ତୁରନ୍ତ ଶୁଣାଣି, ପେନସନ୍ ମାମଲାଗୁଡ଼ିକର ଠିକ୍‌ ସମୟରେ ସମାଧାନ ପାଇଁ ଇ-ଅଭିଯୋଗ ପୋର୍ଟାଲକୁ ନଭେମ୍ବର ୧, ୨୦୨୧ରୁ ଜନଶୁଣାଣି ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି। ଏହି ସମୟ ମଧ୍ୟରେ ୧୬ ହଜାରରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି।

ଲୋକାୟୁକ୍ତ ଓ ଭିଜିଲାନ୍ସ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ମାର୍ଚ୍ଚ ୨୦, ୨୦୧୯ରୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିବା‌ ବେଳେ ଲୋକାୟୁକ୍ତଙ୍କ ଅଦାଲତକୁ ୨୦୨୧ରେ ୭୭୫ଟି ମାମଲା ଆସିଛି। ଏଥିରୁ ୪୯୯ଟିର ଶୁଣାଣି ହୋଇଛି। ମୋ ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛି। ରାଜ୍ୟ ଭିଜିଲାନ୍ସକୁ ସୁଦୃଢ଼ କରିବା ସହ ସେମାନେ ଯେପରି ବୃତ୍ତିଗତ ଭାବେ କାର୍ଯ୍ୟାନୁଷ୍ଠାନ ନେବେ ଏବଂ ଲୋକଙ୍କୁ ଉନ୍ନତ ସେବା ଯୋଗାଇବେ ସେଥିପାଇଁ ବହୁ ପଦକ୍ଷେପ ନିଆଯାଇଛି। ଏହି ବର୍ଷରେ ୪୭୫ଜଣ ବ୍ୟକ୍ତିଙ୍କ ବିରୋଧରେ ୨୬୭ଟି ଅପରାଧିକ ମାମଲା କରାଯିବା ସହ ୩୭୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ ହୋଇଛି। ୨୭୨ଜଣ ଅଭିଯୁକ୍ତ ଭିଜିଲାନ୍ସ ମାମଲାରେ ଗିରଫ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ସରକାର ସାଧାରଣ ଜୀବନରେ ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଉଚ୍ଚ ନୈତିକତା ଉପରେ ବିଶ୍ବାସ କରେ। ସମସ୍ତ ଜନ ପ୍ରତିନିଧି, ସବୁ ସ୍ତରରେ ଥିବା ସରକାରୀ କର୍ମଚାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଦେବାକୁ ବାଧ୍ୟତାମୂଳକ କରିଛୁ। ଏଥିରେ ସ୍ବଚ୍ଛତା ଆଣିବା ପାଇଁ ଏହାକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ହୋଇଛି। ଗଣତନ୍ତ୍ରରେ ଲୋକମାନେ ସର୍ବୋଚ୍ଚ ସ୍ଥାନରେ, ଆମେ ସେମାନଙ୍କର ସେବା କରିବାକୁ ଏଠାରେ ଅଛୁ। ମୋ ସରକାର ରାଜ୍ୟର ସାମଗ୍ରିକ ବିକାଶ ଏବଂ ଏହାର ସମସ୍ତ ନାଗରିକଙ୍କୁ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇଦେବାକୁ ସମସ୍ତ ନୀତିର ପ୍ରୋତ୍ସାହନ ତଥା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ଲୋକଙ୍କର ସମନ୍ବିତ ଅଭିବୃଦ୍ଧି ଏବଂ ଲୋକାଭିମୁଖୀ ସରକାରରେ ସ୍ବଚ୍ଛତା ନିଶ୍ଚିତ କରିବାକୁ ଆମେ ସ୍ବତନ୍ତ୍ର ଧ୍ୟାନ ଦେଉଛୁ।

ସମ୍ବନ୍ଧିତ ଖବର