ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଉଚ୍ଛେଦ ସଂକ୍ରାନ୍ତରେ ଅକ୍ଟୋବର ୨୨ରେ ପରବର୍ତ୍ତୀ ଶୁଣାଣି; ଶଙ୍କରାଚାର୍ଯ୍ୟ, ବରିଷ୍ଠ ସେବାୟତଙ୍କ ମତ ନେବାକୁ ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର: ଶ୍ରୀମନ୍ଦିର ନିକଟରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂକ୍ରାନ୍ତରେ ଅକ୍ଟୋବର ୨୨ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ କହିଛନ୍ତି। ଆଜି ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଶୁଣାଣି କରିବା ସହ ରାଜ୍ୟ ସରକାର ଐତିହ୍ୟସମ୍ପନ୍ନ ମଠ ତଥା ସେଭଳି ପ୍ରାଚୀନ ଅଟ୍ଟାଳିକା ଭାଙ୍ଗିବା ପୂର୍ବରୁ  ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି।

ଏଥିସହ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଉଚ୍ଛେଦର ସ୍ଥିତାବସ୍ଥା ଉପରେ ମଧ୍ୟ ରିପୋର୍ଟ (ଷ୍ଟାଟସ ରିପୋର୍ଟ) ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହାଛଡ଼ା ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଐତିହ୍ୟସମ୍ପନ୍ନ ମଠ ତଥା ସେଭଳି କୌଣସି ଅଟ୍ଟାଳିକା ଭଙ୍ଗାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରାଯିବା ନିହାତି ଜରୁରୀ। ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଉପସ୍ଥିତ ରହି ପକ୍ଷ ଉପସ୍ଥାପନ କରିଥିଲେ।

ଆଜିର  ଶୁଣାଣି ପୂର୍ବରୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଣଜିତ କୁମାରଙ୍କ ସେପ୍‌ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ‌ନୋଟ୍‌ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଗତ ସେ‌ପ୍‌ଟେମ୍ବର ୧୭ ଶୁଣାଣିରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ। ତଦନୁସାରେ ଆମିକସ କ୍ୟୁରି ଶ୍ରୀ କୁମାର ଗତ ମାସ ୨୭ରେ ଏକ ନୋଟ୍‌ ଦାଖଲ କରିଛନ୍ତି।

ନୋଟ୍‌ରେ ଆମିକସ କ୍ୟୁରି ତାଙ୍କ  ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଥିବା କୁହାଯାଉଛି। ଏହା ଛଡ଼ା ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ରଙ୍କ ଦ୍ୱାରା ଗତ ମାସ ୩୦ରେ ଶ୍ରୀମନ୍ଦିର ମାମଲାରେ ଏକ ଅତିରିକ୍ତ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ଶ୍ରୀମନ୍ଦିର ମାମଲାରେ ‘ଇଣ୍ଟରକଣ୍ଟିନେଣ୍ଟାଲ୍‌ ଆସୋସିଏସନ୍‌ ଅଫ୍‌ ଲୟାରର୍ସ’ର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ଦ୍ବାରା ତଦାରଖକାରୀ କମିଟି ନିଯୁକ୍ତି କରିବା ତଥା ସେପ୍ଟେମ୍ବର ୧୭ରେ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ଯାହାକୁ କୋର୍ଟ ଡିସ୍‌ପୋଜ ଅଫ୍‌ କରିଦେଇଥିଲେ, ତାହା ଉପରେ ନିର୍ଦ୍ଦେଶ ଜାରି କରିବା ପାଇଁ ସେପ୍ଟେମ୍ବର ୩୦ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର