ଭୁବନେଶ୍ବର : ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିଭିନ୍ନ ଦୋକାନର ବେଆଇନ ନିର୍ମାଣକୁ ଭଙ୍ଗାଯାଇଛି। ଏଥିରେ ରାସ୍ତାକୁ ମାଡ଼ି ନିର୍ମାଣ କରିଥିବା ଏବଂ ରାସ୍ତାରେ ଦୋକାନ ପକାଇଥିବା ୫୬ଟି ଦୋକାନକୁ ମିଳିତ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଛି। ଏହାବାଦ୍ ୪ଟି ଝୁମ୍ପୁଡ଼ି ଏବଂ ଦୁଇଟି ଚଉତରା ମଣ୍ଡପକୁ ଭଙ୍ଗାଯାଇଛି। କିନ୍ତୁ ଭଜନ ମଣ୍ଡପ ଭଙ୍ଗାକୁ ଶହ ଶହ ଲୋକ ବିରୋଧ କରିବାରୁ ସଂଧ୍ୟା ପୂର୍ବରୁ ଉଚ୍ଛେଦକୁ ବନ୍ଦ କରାଯାଇଥିଲା। ମଙ୍ଗଳବାର ପୁଣି ଉଚ୍ଛେଦ ଜୋରଦାର୍ ହେବ ବୋଲି କୁହାଯାଇଛି।
ଆଜି ପୂର୍ବାହ୍ନ ୧୧ଟା ୫ରୁ ମିଳିତ ଉଚ୍ଛେଦକାରୀ ଟିମ୍ ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ପୂର୍ବରୁ ବହୁ ଦୋକାନୀ ତାଙ୍କର ସମ୍ପ୍ରସାରିତ ଅଂଶକୁ ଖୋଲି ଦେଇଥିବାବେଳେ କିଛି ଉଠାଦୋକାନୀ ଚେୟାର, ଟେବୁଲ୍ ଉଠାଇନେଇଥିଲେ। କିନ୍ତୁ ଯେଉଁମାନେ ଉଠାଇନଥିଲେ ସେଗୁଡ଼ିକୁ ଉଚ୍ଛେଦକାରୀ ଟିମ୍ ବୁଲଡୋଜର୍ ଲଗାଇ ଭାଙ୍ଗି ଦେଇଥିଲା।
ଆଜି ଶ୍ରୀ ଲିଙ୍ଗରାଜମନ୍ଦିର ସିଂହଦ୍ବାର ସମ୍ମୁଖରୁ ପୂର୍ବାହ୍ନ ୧୧ଟା ୫ରୁ ଉଚ୍ଛେଦ ଆରମ୍ଭ ହୋଇ ଅପରାହ୍ନ ୪ଟା ୫୦ରେ ଶେଷ ହୋଇଥିଲା। ଏଥିରେ ୧୮ଟି କ୍ୟାବିନ୍, ୧୨ଟି ଟେବୁଲ ଦୋକାନ, ୬ଟି ଟିଣ ଘର, ୪ଟି ଝୁମ୍ପୁଡ଼ି ଘର, ୫ଟି ଦୋକାନର ସମ୍ପ୍ରସାରିତ ଅଂଶ, ୧୧ଟି ଫାଷ୍ଟ୍ ଫୁଡ୍ ଷ୍ଟଲ, ୨ଟି ଚଉତରା ମଣ୍ଡପ, ଗୋଟିଏ ମନ୍ଦିରର ଟିଣ ଚଦର ସହ ଭଜନ ମଣ୍ଡପର କିଛି ଅଂଶକୁ ଭଙ୍ଗାଯାଇଛି।
ମନ୍ଦିର ସମ୍ମୁଖ ବ୍ୟାଖାନ କେନ୍ଦ୍ର ପାଖରେ ଥିବା ଚାଳିଆରେ ଏକ ଗରିବ ପରିବାର ରହୁଥିବା ବେଳେ ସେହି ଘରକୁ ଭାଙ୍ଗି ଦିଆଯାଇଛି। ସେହିପରି ଦେବୀ ପାଦହରା ପୁଷ୍କରିଣୀ ନିକଟରେ ୪ଫୁଟ୍ ଜବର ଦଖଲ କରି ନିର୍ମାଣ ହୋଇଥିବା ଏକ ଘରକୁ ବି ଭଙ୍ଗାଯାଇଛି। ଏକାମ୍ର ପ୍ରକାଶନୀ ଭଜନ ମଣ୍ଡପ ନିକଟରେ ସର୍ବସାଧାରଣଙ୍କ ନିମେନ୍ତ ଥିବା ପାନୀୟ ଜଳ ଯୋଗାଣ ଟାଙ୍କିକୁ ଭାଙ୍ଗିବା ବେଳେ ଭଜନ ମଣ୍ଡପର କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଭଜନ ମଣ୍ଡପର କାନ୍ଥ ଭାଙ୍ଗିଯିବାରୁ ଜଟଣୀ ବିଧାୟକ ସୁର ରାଉତରାୟ, ଏକାମ୍ର ସାସ୍କୃତିକ ପ୍ରକାଶନୀର ସମ୍ପାଦକ ସନତ ମିଶ୍ର ଓ କର୍ମକର୍ତାମାନେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହାପରେ ବିଭିନ୍ନ ସାହିର ମୁରବି, ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀମାନେ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ। ଫଳରେ ଅପରାହ୍ଣ ୪ଟା ୫୦ରେ ଉଚ୍ଛେଦ ବନ୍ଦ ରଖାଯାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ଭେଟି ଆଲୋଚନା କରିବାକୁ ଚାହିଁଥିଲେ ହେଁ ଶ୍ରୀ ସାହୁ ଦେଖାଦେଇନଥିଲେ।
ଲୋକଙ୍କ ଜୀବନ ଜୀବିକା ମାରି ଏକତରଫା ଭାବେ ଉଚ୍ଛେଦ କରାନଯାଉ ବୋଲି ଶ୍ରୀ ରାଉତରାୟ କହିଲେ । ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ବାସଗୃହ ଭଙ୍ଗାଯାଇଛି ସେମାନଙ୍କୁ କ୍ଷତିପୂରଣ, ସ୍ଥାୟୀ ବାସଗୃହ ବ୍ୟବସ୍ଥା ଓ ଭାଙ୍ଗିଯାଇଥିବା ମଣ୍ଡପ ଏବଂ ପାଣିଟାଙ୍କିକୁ ପୁନଃନିର୍ମାଣ କରିବାର ଉପଯୁକ୍ତ ବ୍ୟବସ୍ଥା କରିବା ପରେ ଉଚ୍ଛେଦ କାର୍ଯ୍ୟ କରିବାକୁ ଶ୍ରୀ ରାଉତରାୟ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Eviction-drive-start-around-Lingaraj-Temple.jpg)